fbpx

ସ୍ୱାମୀ ବିବେକାନନ୍ଦଙ୍କ ୧୬୧ତମ ଜୟନ୍ତୀ: ତାଙ୍କର ମହାନ ଆଦର୍ଶ, ମୂଳମନ୍ତ୍ର ଆଜି ବି ଯୁବକଙ୍କ ହୃଦୟରେ ଗୁଞ୍ଜରିତ ହେଉଛି

‘ଉଠ, ଜାଗ ଆଉ ଜୀବନର ଲକ୍ଷ୍ୟ ପୂରଣ ନ ହେବା ପର୍ଯ୍ୟନ୍ତ ଜମା ବିଶ୍ରାମ ନିଅ ନାହିଁ’, ‘ନିଜକୁ ଦୁର୍ବଳ ବୋଲି ବିଚାର କରିବା ହେଉଛି ସବୁଠାରୁ ବଡ଼ ପାପ’ । ଆଜି ହେଉଛି ମହାନ ସମାଜ ସେବକ, ସମାଜ ସୁଧାରକ ତଥା କୋଟି କୋଟି ଯୁବବର୍ଗଙ୍କ ପାଇଁ ପ୍ରେରଣାର ସ୍ରୋତ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ । ସ୍ୱାମୀଙ୍କର ୧୬୧ତମ ଜୟନ୍ତୀ ଅବସରରେ ତାଙ୍କର ଅମୂଲ୍ୟ ମୂଳମନ୍ତ୍ର ଆଜି ସଭିଙ୍କ କାନରେ ଗୁଞ୍ଜରିତ ହେଉଛି ।

ବିବେକାନନ୍ଦଙ୍କ ମହାନ ଆଦର୍ଶ, ବିଚାର ଯୁବପୀଢ଼ିଙ୍କ ମଧ୍ୟରେ କ୍ରାନ୍ତି ସୃଷ୍ଟି କରିଥାଏ । ସେ ନିଜର ଜଜୀବନକୁ ଦେଶ ପାଇଁ ସମର୍ପିତ କରିଦେଇଥିଲେ । ପ୍ରତିବର୍ଷ ଜାନୁଆରୀ ମାସ ୧୨ ତାରିଖରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ‘ଜାତୀୟ ଯୁବ ଦିବସ’ ପାଳନ କରାଯାଉଛି । ସ୍ୱାମୀଜୀ ଜଣେ ସମାଜ ସୁଧାରକ, ସେବକ ସହିତ ଜଣେ ଆଧ୍ୟାତ୍ମିକ ଗୁରୁ ମଧ୍ୟ ଥିଲେ । ସେ ଦେଶ, ଦୁନିଆକୁ ଧର୍ମ ଓ ଆଧ୍ୟାମିକତାର ଶିକ୍ଷା ଦେଇଥିଲେ ।

ତାଙ୍କର ସେହି ମହାନ ସନ୍ଦେଶ ଓ ବିଚାରଗୁଡ଼ିକ ଯୁବବର୍ଗଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟି ଯାଇଥିଲା । କାରଣ ସେ ତାଙ୍କର ଅଧିକାଂଶ ଭାଷଣରେ ଯୁବକମାନଙ୍କୁ ସମ୍ବୋଧିତ କରିଥିଲେ । ସେଥିପାଇଁ ତାଙ୍କର ବିଚାରଗୁଡ଼ିକୁ ଯୁବକଙ୍କର ସଫଳତାର ମୂଳମନ୍ତ୍ର କୁହାଯାଉଥିଲା । ଆଜି ବିବେକାନନ୍ଦଙ୍କର ୧୬୧ତମ ଜୟନ୍ତୀ ଅବସରରେ ତାଙ୍କର ଅମୂଲ୍ୟ ବିଚାର ଯୁବକଙ୍କ ହୃଦୟରେ ପ୍ରତିଧ୍ୱନିତ ହେଉଛି । ତାଙ୍କର ବିଚାରକୁ ଅନୁସରଣ କଲେ ଆଜିର ଯୁବପୀଢ଼ି ଜୀବନରେ ବହୁ ସଫଳତା ହାସଲ କରିବେ ଓ ଜୀବନକୁ ପରିବର୍ତ୍ତନ କରିପାରିବେ ।

୧୮୬୩ ମସିହା ଜାନୁଆରୀ ମାସ ୧୨ ତାରିଖରେ ବିବେକାନନ୍ଦ କୋଲକତାରେ ଜନ୍ମଗ୍ରହଣ କରିଥିଲେ । ସେ ରାମକ୍ରିଷ୍ଣ ଓ ଦେବେନ୍ଦ୍ରନାଥ ଠାକୁରଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ସେ ସ୍କଟିଶ ଚର୍ଚ୍ଚ କଲେଜ (ଏସିସି), ବିଦ୍ୟାସାଗର କଲେଜ, ପ୍ରେସିଡେନ୍ସି ୟୁନିଭରସିଟି, କୋଲକତା ୟୁନିଭରସିଟି ଆଦି ଶିକ୍ଷାନୁଷ୍ଠାନରୁ ଶିକ୍ଷାଲାଭ କରିଥିଲେ । ସେ ରାମକ୍ରିଷ୍ଣ ମିଶନ, ଆଦଭୈତା ଆଶ୍ରମ, ରାମକ୍ରିଷ୍ଣ ମିଶନ ବିବେକାନନ୍ଦ କଲେଜ (ସ୍ୱୟଂଶାସିତ) ପ୍ରତିଷ୍ଠା କରିଥିଲେ । ସେ ୧୯୦୨ ମସିହା ଜୁଲାଇ ମାସ ୪ ତାରିଖରେ ହାୱଡ଼ାର ବେଲୁର ମଠ ଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ନିଜର ମହାନ୍ ବାଣୀ, ମହାନ ବିଚାର ଓ ମହାନ ଦିଗଦର୍ଶନ ପାଇଁ ଯୁଗେ ଯୁଗେ ସ୍ୱାମୀଜୀ ଯୁବପୀଢ଼ିଙ୍କ ମଧ୍ୟରେ ଅମର ହୋଇ ରହିବେ ।

Get real time updates directly on you device, subscribe now.