fbpx

ଆଜି ପବିତ୍ର ରାମ ନବମୀ, ଶୁଭ ମୁହୂର୍ତ୍ତରେ ପୂଜାର୍ଚ୍ଚନା କଲେ ସୌଭାଗ୍ୟ ପ୍ରାପ୍ତି ହେବା ସହ ଦୁର୍ଭାଗ୍ୟ ଦୁରେଇ ଥାଏ

ଓଡ଼ିଶା ଭାସ୍କର: ଆଜି ପବିତ୍ର ରାମ ନବମୀ । ଚୈତ୍ର ମାସର ଶୁକ୍ଳ ପକ୍ଷ ନମବୀ ତିଥିରେ ଭଗବାନ ବିଷ୍ଣୁଙ୍କ ୭ମ ଅବତାର ଭାବେ ଶ୍ରୀ ରାମ ଧରାବତରଣ କରିଥିଲେ । ରାଜା ଦଶରଥ ଏବଂ ମାତା କୌଶଲ୍ୟାଙ୍କ ସୁପୁତ୍ର ଥିଲେ ଶ୍ରୀ ରାମ । ସେ ମର୍ଯ୍ୟାଦା ପୁୁରୁଷୋତମ ନାଁରେ ମଧ୍ୟ ବେଶ ପରିଚିତ ଥିଲେ । ଚଳିତ ବର୍ଷ ଏପ୍ରିଲ ୧୭(ବୁଧବାର) ଦେଶରେ ରାମ ନବମୀର ଉତ୍ସବ ପାଳନ ହେବ । ତେବେ ଆଜିର ଏହି ଶୁଭ ଅବସରରେ ଶ୍ରୀ ରାମଙ୍କ ବିଶେଷ ପୂଜାର୍ଚ୍ଚନା କରିବା ଦ୍ୱାରା ପୁଣ୍ୟଫଳ ପ୍ରାପ୍ତ ହେବା ସହ ପ୍ରଭୁଙ୍କ କୃପାଦୃଷ୍ଟି ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଚୈତ୍ର ମାସ ଶୁକ୍ଳ ପକ୍ଷର ନବମୀ ତିଥିର ଆରମ୍ଭ ଏପ୍ରିଲ ୧୬ ଅପରାହ୍ନ ୧ଟା ୨୩ ମିନିଟରେ ଆରମ୍ଭ ହୋଇ ଏପ୍ରିଲ ୧୭ ଅପରାହ୍ନ ୩ଟା ୧୪ ମିନିଟରେ ଶେଷ ହେବ । ଏପ୍ରିଲ ୧୭ ତାରିଖ ଦିନ ଶ୍ରୀ ରାମଙ୍କ ପୂଜାର୍ଚ୍ଚନା କରିବାର ଶୁଭ ମୁହୂର୍ତ୍ତ ହେଉଛି ସକାଳ ୧୧ଟା ୫୦ ମିନିଟରୁ ୧୨ଟା ୨୧ ମିନିଟ । ଏହି ଶୁଭ ମୁହୂର୍ତ୍ତରେ ପୂଜା କରିବା ଦ୍ୱାରା ପୂଜାର ସଂପୂର୍ଣ୍ଣ ଫଳ ମିଳିବା ସହ ଭକ୍ତଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ଏବଂ ସମସ୍ତ ଦୁଃଖ ଦୁର ହୋଇଥାଏ । ରାମ ନବମୀ ଦିନ ବାଳକ ଶ୍ରୀ ରାମଙ୍କ ସହ ମାତା ସୀତା, ପ୍ରଭୁ ଲକ୍ଷ୍ମଣ ଏବଂ ପ୍ରଭୁ ହନୁମାନଙ୍କ ପୂଜାର୍ଚ୍ଚନା କରିବାର ବିଧି ରହିଛି ।

କିପରି କରିବେ ଶ୍ରୀ ରାମଙ୍କ ପୂଜାର୍ଚ୍ଚନା ?

– ରାମ ନବମୀ ଦିନ ଘର ସଫା ସୁତୁରା କରି ଘରକୁ ଫୁଲ ଏବଂ ଆମ୍ବ ପତ୍ରରେ ସଜାନ୍ତୁ । ଏହା ବ୍ୟତୀତ ମନ୍ଦିର ସହ ଘରର ମୁଖ୍ୟ ଦ୍ୱାରରେ ରଂଗୋଲି କରନ୍ତୁ ।

– ଶ୍ରୀ ରାମଙ୍କ ପିତ୍ତଳ ମୂର୍ତ୍ତି ଥିଲେ ଗଙ୍ଗାଜଳ, କ୍ଷୀର, ଦହି, ଘିଅ, ମହୁ ଏବଂ ଚିନିରେ ଅଭିଷେକ କରନ୍ତୁ । ପରେ ଜଳରେ ସ୍ନାନ କରାନ୍ତୁ । ଶ୍ରୀ ରାମଙ୍କ ଫଟୋ ଥିଲେ ଏହି ସବୁ ଜିନିଷ କେବଳ ଅର୍ପଣ କରିପାରିବେ ।

– ଏହା ପରେ ହଳଦୀ, କୁମ୍‌କୁମ୍‌, ଚନ୍ଦନ, ଅକ୍ଷତ ଏବଂ ଫୁଲ ଅର୍ପଣ କରନ୍ତୁ । ଅନ୍ୟ ସମସ୍ତ ଦେବାଦେବୀଙ୍କ ପାଇଁ ସମାନ ପ୍ରକ୍ରିୟା ରହିବ ।

– ଶ୍ରୀ ରାମଙ୍କ ଜନ୍ମ କଥା ପଢ଼ିବା କିମ୍ବା ଶ୍ରବଣ କରିବା ଉଚିତ । ଏହା ସହ ଘରେ ସୁନ୍ଦରକାଣ୍ଡ କିମ୍ବା ରାମାୟଣ ପାଠ କରିବା ଶୁଭ ହୋଇଥାଏ । ଶ୍ରୀ ରାମଙ୍କ ଜନ୍ମ କଥା ଶୁଣିବା ସମୟରେ ନିଜ ହାତରେ ବାଜରା, ଗହମ କିମ୍ବା ଅନ୍ୟ ଅନ୍ନର ଦାନା ରଖନ୍ତୁ । ଶ୍ରୀ ରାମ କଥା ଶେଷ ହେବା ପରେ ହାତରେ ଥିବା ଦାନାକୁ ଅନ୍ୟ ଅନ୍ନ ସହ ମିଶାଇ ଅଭାବୀ ଲୋକଙ୍କୁ ଦାନ କରନ୍ତୁ ।

– ଏହା ପରେ ଶୁଭ ମୁହୂର୍ତ୍ତରେ ଶଙ୍ଖ ବଜାଇ ଘିଅ ଦୀପ ଜାଳିବା ସହ ଖିରୀ ଏବଂ ଅନ୍ୟାନ୍ୟ ମିଷ୍ଠାନ ଭୋଗ ଲଗାନ୍ତୁ । ଶେଷରେ ପ୍ରଭୁଙ୍କ ଆଳତୀ କରନ୍ତୁ ।

ଏହା ବ୍ୟତୀତ ଏହି ଦିନ ରାମ ନାମର ଜପ, ହନୁମାନ ଚାଳିଶା ୧୦୮ ଥର ପାଠ କରିବା ଦ୍ୱାରା ଜୀବନରୁ ସମସ୍ତ ସଂକଟ ଦୂରେଇଥାଏ । ଏହା ବ୍ୟତୀତ ରାମରକ୍ଷା ସ୍ତୁତି ପାଠ କରିବା ଏକ ସୁରକ୍ଷା କବଚ ପରି କାର୍ଯ୍ୟ କରିଥାଏ । ଏହା ବ୍ୟକ୍ତିକୁ ଅଭୟ ପ୍ରଦାନ କରିଥାଏ । ଏହି ଦିନ ସାଧା କାଗଜରେ ନାଲି କଲମରେ କେବଳ ଜୟ ଶ୍ରୀ ରାମ ୧୦୮ ଥର ଲେଖିବା ଦ୍ୱାରା ଦୁର୍ଭାଗ୍ୟ ଦୂରେଇଥାଏ ।

Get real time updates directly on you device, subscribe now.