ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ଶୁକ୍ଳ ତୃତୀୟା ଦିନକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ । ଏହି ଦିନକୁ ଔପଚାରିକ ଭାବେ କୃଷକ ଦିବସ ଭାବେ ମଧ୍ୟ ଜଣାଯାଏ । କାରଣ କୃଷକ ଏହି ଦିନର ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ ଦେଇଥାଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ। ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି ବୋଲି କୁହାଯାଏ । କେବଳ ସେତିକି ନୁହେଁ ଏହି ଦିନ ଅତ୍ୟନ୍ତ ଶୁଭ ହୋଇ ଥିବାରୁ ଗୃହନିର୍ମାଣ, ନିର୍ବନ୍ଧ, ବିବାହ ଆଦି ଶୁଭକାର୍ଯ୍ୟ ଅନୁଷ୍ଠିତ ହୁଏ ।