fbpx

ଆଜି ଦକ୍ଷିଣ ଆଫ୍ରିକା ସହ ବଡ ମୁକାବିଲା, ଏହି ଚୂଡାନ୍ତ ଏକାଦଶକୁ ନେଇ ମଇଦାନକୁ ଓହ୍ଲାଇବେ ରୋହିତ !

ନୂଆଦିଲ୍ଲୀ: ଦ୍ରୁତ ବୋଲରଙ୍କ ପାଇଁ ଉପଯୋଗୀ ପର୍ଥ ମଇଦାନରେ ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଆଉ ଏକ ବଡ ମୁକାବିଲା। ଚଳିତ ଟି-୨୦ ବିଶ୍ଵ କପରେ ଦୁଇ ଦଳର ଏହା ତୃତୀୟ ମ୍ୟାଚ୍। ଏହି ମୁକାବିଲା ଜିତି ସେମି ଫାଇନାଲର ନିକଟତର ହେବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ ଦୁଇ ଦଳ। ଗ୍ରୁପ-୨ର ପଏଣ୍ଟ ଟେବୁଲରେ ଭାରତ ଦୁଇଟି ମ୍ୟାଚରୁ ଦୁଇଟି ଜିତି ୪ ପଏଣ୍ଟ ସହ ଶୀର୍ଷରେ ରହିଥିବା ବେଳେ ସମାନ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଏକ ବିଜୟ ଏବଂ ଗୋଟିଏ ମ୍ୟାଚ୍ ବର୍ଷାରେ ଧୋଇ ହୋଇଯିବାରୁ ୩ ପଏଣ୍ଟ ସହ ଦ୍ଵିତୀୟରେ ରହିଛି। ଦୁଇ ଦଳ ପାଇଁ ଆଜିର ମ୍ୟାଚ୍ ବେଶ ଗୁରୁତ୍ଵପୂର୍ଣ୍ଣ ରହିଛି।

ଦକ୍ଷିଣ ଆଫ୍ରିକା ଏ ପର୍ଯ୍ୟନ୍ତ ଖେଳିଥିବା ଦୁଇଟି ମୁକାବିଲାରେ ତିନି ଦ୍ରୁତ ବୋଲର ଏବଂ ଦୁଇ ସ୍ପିନର ସହ ପଡିଆକୁ ଓହ୍ଲାଇଛି। ମାତ୍ର ପର୍ଥ ମଇଦାନରେ ବିପକ୍ଷ ଦଳ ନିଜର ରଣନୀତିରେ ପରିବର୍ତ୍ତନ କରିପାରେ। ଦ୍ରୁତ ବୋଲରଙ୍କ ପାଇଁ ଅନୁକୂଳ ଏହି ପିଚରେ ଦକ୍ଷିଣ ଆଫ୍ରିକା ଜଣେ ସ୍ପିନରଙ୍କୁ ବସାଇ ଆଉ ଜଣେ ଦ୍ରୁତ ବୋଲର ମାର୍କୋ ଜନସେନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରିପାରେ। ଜନସେନଙ୍କ ବ୍ୟତୀତ ଦଳରେ ଓ୍ଵେନ ପାର୍ଣ୍ଣେଲ ବି ସାମିଲ୍ ଅଛନ୍ତି। ଦଳର ତାରକା ବୋଲର ଏନରିଚ୍ ନୋର୍ତ୍ତଜେ ପର୍ଥରେ ଭାରତ ପାଇଁ ଘାତକ ସାବ୍ୟସ୍ତ ହୋଇ ପାରନ୍ତି।

କେମିତି ରହିବ ଭାରତର ଚୂଡାନ୍ତ ଏକାଦଶ
କେଏଲ ରାହୁଲଙ୍କ ଖରାପ ଫର୍ମକୁ ଦେଖି ଲାଗୁଥିଲା ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଋଷଭ ପନ୍ତଙ୍କୁ ଟପ୍ ଅର୍ଡରରେ ସୁଯୋଗ ମିଳିପାରେ। ମାତ୍ର ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ସ୍ପଷ୍ଟ କରି ଦେଇଛନ୍ତି ଯେ, ଦଳ ପ୍ରବନ୍ଧକଙ୍କ ଏମିତି କୌଣସି ଯୋଜନା ନାହିଁ। ତେଣୁ ଆଜିର ମ୍ୟାଚରେ ରୋହିତ ଶର୍ମାଙ୍କ ସହ କେଏଲ ରାହୁଲ ଓପନିଂ କରିବେ। ଚଳିତ ବିଶ୍ଵ କପରେ ଚମତ୍କାର ଫର୍ମରେ ଥିବା ବିରାଟ କୋହଲିଙ୍କ ଉପରେ ପୁଣି ଥରେ ସଭିଙ୍କ ନଜର ରହିବ। କୋହଲି ଅଦ୍ୟାବଧି ଟୁର୍ଣ୍ଣାମେଣ୍ଟରେ ଆଉଟ୍ ହୋଇ ନାହାନ୍ତି। ମାତ୍ର ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲରଙ୍କ ପ୍ରତି ସାବଧାନ ରହିବାର ଆବଶ୍ୟକତା ରହିଛି। ସୂର୍ଯ୍ୟକୁମାର ଯାଦବ ଏହି ମୁକାବିଲାରେ ବି ଦଳର ଏକ୍ସ ଫ୍ୟାକ୍ଟର ରହିବେ। ଦ୍ରୁତ ବୋରଲଙ୍କ ବିରୋଧରେ ଓ୍ଵିକେଟ୍ ପଛରେ ତାଙ୍କର ସଟ୍ ଖେଳିବାର କ୍ଷମତା ଆଜି ଦଳ ପାଇଁ ବେଶ ଉପଯୋଗୀ ରହିବ।

ରୋହିତ ଶର୍ମା ଆଜିର ମ୍ୟାଚରେ ଏକମାତ୍ର ପରିବର୍ତ୍ତନ ଅକ୍ଷର ପଟେଲଙ୍କ ରୂପେ କରି ପାରନ୍ତି। ଯଦି ରୋହିତ ଶର୍ମା ଦଳର ବ୍ୟାଟିଂକୁ ଆହୁରି ମଜବୁତ କରିବାକୁ ଚାହାନ୍ତି ତେବେ ଅକ୍ଷରଙ୍କ ସ୍ଥାନରେ ପନ୍ତଙ୍କୁ ସାମିଲ୍ କରି ପାରନ୍ତି। ଯଦି ଏମିତି ହୁଏ ତେବେ ଭାରତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ମୋଟ୍ ୪ ଦ୍ରୁତ ବୋଲର ଏବଂ ଜଣେ ସ୍ପିନର ରଣନୀତି ସହ ମଇଦାନକୁ ଓହ୍ଲାଇବ।

ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ
ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ(ଓ୍ଵିକେଟ୍ କିପର), ଅକ୍ଷର ପଟେଲ୍/ଋଷଭ ପନ୍ତ, ରବିଚନ୍ଦ୍ରନ ଅଶ୍ଵିନ, ଭୁବନେଶ୍ଵର କୁମାର, ମହମ୍ମଦ ଶାମି, ଅର୍ଶଦୀପ ସିଂହ।

Get real time updates directly on you device, subscribe now.