fbpx

ବାଜିଲା ଟୋକିଓ ଅଲିମ୍ପିକ୍ସ ବିଗୁଲ, ବିନା ଦର୍ଶକରେ ହେଲା ରଙ୍ଗାରଙ୍ଗ୍‌ ଉଦ୍‌ଘାଟନ ଉତ୍ସବ; ଭାରତୀୟ ଦଳର ନେତୃତ୍ୱ ନେଲେ ମନପ୍ରୀତ ଓ ମେରୀକମ୍‌

ଟୋକିଓ (ଭାସ୍କର ନ୍ୟୁଜ୍): ବାଜିଲା ଟୋକିଓ ଅଲିମ୍ପିକ୍ସ ବିଗୁଲ୍‌ । ବିନା ଦର୍ଶକ ଓ ରଙ୍ଗାରଙ୍ଗ୍‌ ଉତ୍ସବ ସହ ଶୁକ୍ରବାର ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି ୩୨ତମ ଗ୍ରୀଷ୍ମକାଳୀନ ଟୋକିଓ ଅଲିମ୍ପିକ୍ସ କ୍ରୀଡ଼ା । ଜାପାନ ସମ୍ରାଟ ନରୁହିତୋ ଆନୁଷ୍ଠାନିକଭାବେ ଏହି ଅଲିମ୍ପିକ୍ସ କ୍ରୀଡ଼ାକୁ ଉଦ୍‌ଘାଟନ କରି କହିଛନ୍ତି ଯେ କରୋନା ଆତଙ୍କ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଅଲିମ୍ପିକ୍ସ କ୍ରୀଡ଼ାକୁ ସଫଳତାର ସହ ଆୟୋଜନ ପାଇଁ ସମସ୍ତ ପ୍ରୟାସ କରାଯିବ ।

 

ଜାପାନର ମହିଳା ଟେନିସ୍‌ ତାରକା ନାଓମି ଓସାକା ଅଲିମ୍ପିକ୍ସ ଜ୍ୟୋତି ପ୍ରଜ୍ଜ୍ୱଳନ କରିବା ପରେ ଆରମ୍ଭ ହୋଇଥିଲା ଉଦ୍‌ଘାଟନୀ ଉତ୍ସବ କାର୍ଯ୍ୟକ୍ରମ । କରୋନା ସଂକ୍ରମଣ ଯୋଗୁଁ କୌଣସି ଦର୍ଶକଙ୍କୁ ଷ୍ଟାଡ଼ିୟମ୍‌ରେ ଉପସ୍ଥିତ ହେବାକୁ ଅନୁମତି ଦିଆଯାଇ ନଥିଲା । ଜାତୀୟ ଷ୍ଟାଡ଼ିୟମ୍‌ର ଦର୍ଶକ କ୍ଷମତା ୬୮ ହଜାର ହୋଇଥିବା ବେଳେ ୧ ହଜାରରୁ କମ୍‌ ଭିଆଇପି ଓ ୫ ହଜାର ୭ଶହ ଆଥଲେଟ୍‌ଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ଉଦ୍‌ଘାଟନୀ ଉତ୍ସବ । ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ସଭାପତି ଥୋମାସ୍‌ ବାକ୍‌ ଏହି ଅବସରରେ କହିଛନ୍ତି ଯେ ବିଗତ ଦିନର ସମସ୍ତ ଅଲିମ୍ପିକ୍ସ କ୍ରୀଡ଼ାଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ । କରୋନା ଆତଙ୍କ ମଧ୍ୟରେ ଆୟୋଜିତ ଏହି ଅଲିମ୍ପିକ୍ସ କ୍ରୀଡ଼ା ସବୁଦିନ ପାଇଁ ଇତିହାସ ପୃଷ୍ଠାରେ ଲିିବଦ୍ଧ ହୋଇ ରହିବ । ବାସ୍ତବିକ ଏହା ଆମ ପାଇଁ ଏକ ଆଶାର ମୁହୁର୍ତ୍ତ ବୋଲି ସେ କହିଛନ୍ତି ।

୧୬ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ଅଲିମ୍ପିକ୍ସ କ୍ରୀଡ଼ାରେ ୩୩ କ୍ରୀଡ଼ା ଇଭେଣ୍ଟର ୩୩୯ ସ୍ୱର୍ଣ୍ଣଦକ ପାଇଁ ବିଶ୍ୱର ୧୧ ହଜାରରୁ ଊଦ୍ଧ୍ୱର୍ ଆଥଲେଟ୍‌ ପ୍ରତିଦ୍ୱନ୍ଦିତା କରିବେ । କରୋନା ଯୋଗୁଁ ଆଥଲେଟ୍‌ଙ୍କ ପ୍ରତି କଡ଼ା କଟକଣା ଜାରି ହୋଇଥିଲେ ହେଁ ନିଜ ଦେଶ ପାଇଁ ପଦକ ଅର୍ଜନ କରିବା ଲକ୍ଷ୍ୟ ନେଇ ଆଥଲେଟ୍‌ମାନେ ଜୋର୍‌ଦାର୍‌ ଲଢ଼େଇ କରିବେ ।

ତେବେ ଭାରତ ପାଇଁ ଏଥର ଏହି ଅଲିମ୍ପିକ୍ସ ସବୁଠାରୁ ବଡ଼ ଚାଲେଞ୍ଜ ଓ ଆହ୍ୱାନ । କାରଣ ଅଧିକ ପଦକ ଆଶା ନେଇ କେନ୍ଦ୍ର ସରକାର ଆଥଲେଟ୍‌ଙ୍କ ତାଲିମ୍‌ ପାଇଁ ବିୁଳ ଅର୍ଥ ବ୍ୟୟ କରିଛନ୍ତି । ପୂର୍ବ ସମସ୍ତ ଅଲିମ୍ପିକ୍ସ ଅପେକ୍ଷା ଚଳିତ ଥର ସର୍ବାଧିକ ୧୨୭ ଭାରତୀୟ ଆଥଲେଟ୍‌ ଟୋକିଓ ଅଲିମ୍ପିକ୍ସକୁ ଯାଇଥିବା ବେଳେ ୧୮ କ୍ରୀଡ଼ା ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଉଦଘାଟନୀ ସମାରୋହର ଆରମ୍ଭରୁ ୨୦୧୩ରେ ଟୋକିଓକୁ ମିଳିଥିବା ଆୟୋଜନକୁ ସ୍ମରଣ କରାଯାଇଥଲା । ଏହା ପରେ ଟୋକିଓ ୨୦୨୦ର ପ୍ରତୀକକୁ ପ୍ରଦର୍ଶିତ କରିବା ପାଇଁ ୨୦ ସେକେଣ୍ଡ ଯାଏ ନୀଳ ଓ ଧରା ରଙ୍ଗର ଆତିଶବାଜୀ କରାଯାଇଥିଲା, ଯାହାକୁ ଜାପାନୀ ସଂସ୍କୃତିରେ ଶୁଭଙ୍କର ବୋଲି କୁହାଯାଏ । ଉଦ୍‌ଘାଟନୀ ସମାରୋହରେ ଆମେରିକାର ପ୍ରଥମ ମହିଳା ଜିଲ୍‌ ବାଇଡେନ୍‌ ସାମିଲ୍‌ ଥିଲେ । ଏହି ଅଲିମ୍ପିକ୍ସରେ ଓଡ଼ିଶା ପାଇଁ ମଧ୍ୟ ବଡ଼ ଆହ୍ୱାନ ରହିଛି । ଦେଶର ଦ୍ରୁତତମ ମହିଳା ଧାବିକା ଦୂତୀ ଚାନ୍ଦ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଗତ ୨୦୧୬ ରିଓ ଅଲିମ୍ପିକ୍ସରେ ସେ ବିଫଳ ହୋଇଥିବା ବେଳେ ଏଥର ପଦକ ନେଇ ଓଡ଼ିଶା ଓ ଭାରତକୁ ଗୌରବାନ୍ୱିତ କରିବେ ବୋଲି ବଡ଼ ଆଶା ଓ ବିଶ୍ୱାସ ରହିଛି । ସେହିରି ଓଡ଼ିଶାର ହକି ତାରକା ବିରେନ୍ଦ୍ର ଲାକ୍ରା, ଅମିତ୍‌ ରୋହିଦାସ୍‌ ଓ ଦୀପ୍‌ ଗ୍ରେସ୍‌ ଏକ୍କା ମଧ୍ୟ ଅଲିମ୍ପିକ୍ସ ଟିମ୍‌ରେ ରହିଛନ୍ତି । ସେମାନେ ମଧ୍ୟ ପଦକ ଜିତିବେ ବୋଲି ସମସ୍ତ ଆଶା କରିଛନ୍ତି ।

ତ୍ରିରଙ୍ଗା ଧରିଲେ ମନପ୍ରୀତ ଓ ମେରୀ କମ୍‌

ଟୋକିଓ ଅଲିମ୍ପିକ୍ସର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ଏକ ନୂଆ ପରାମ୍ପରା ସହ ପ୍ରତିଦେଶର ୨ଜଣ ଲେଖାଏଁ ଆଥଲେଟ୍‌ ପରେଡ୍‌ରେ ଜାତୀୟ ପତାକା ଧରିଥିଲେ । ଭାରତ ପକ୍ଷରୁ ୬ଥର ବିଶ୍ୱ ଚାମ୍ପିଅନ୍‌ ମହିଳା ବକ୍ସର ମେରି କମ୍‌ ଓ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ ତ୍ରିରଙ୍ଗା ଧରିଥିବା ବେଳେ ଉଦ୍‌ଘାଟନ ଉତ୍ସବରେ ୨୦ ଆଥଲେଟ୍‌ଙ୍କ ସହ ୬ ଅଫିସିଆଲ୍‌ ଯୋଗ ଦେଇଥିଲେ ।

Get real time updates directly on you device, subscribe now.