fbpx

୨.୫ ଟନ୍ ଟମାଟୋ ବୋଝେଇ ଟ୍ରକକୁ ଅପହରଣ କଲେ ଦମ୍ପତି, ସିସିଟିଭି ଫୁଟେଜ ଆଧାରରେ ଗିରଫ କଲା ପୋଲିସ

ବେଙ୍ଗାଲୁର: ଏବେ ଆକାଶଛୁଆଁ ରହିଛି ଟମାଟୋ ଦର । ଏହି କାରଣରୁୁ ବିଭିନ୍ନ ସ୍ଥାନରେ ଟମାଟୋ ଚୋରୀ ଘଟଣା ବି ବୃଦ୍ଧି ପାଇବାରେ ଲାଗିଛି । ଏପରି କିଛି ଅଜବ ଘଟଣା ଘଟିଛି କର୍ଣ୍ଣାଟକରେ । ଏଠାରେ ଏକ ଦମ୍ପତି ଏକ ଟମାଟୋ ବୋଝେଇ ଟ୍ରକକୁ ଅପହରଣ କରି ନେଇଛନ୍ତି । ଏହି ଦମ୍ପତିଙ୍କୁ ତାମିଲନାଡୁର ଭେଲୋର ଜିଲ୍ଲାରୁ ଗିରଫ କରାଯାଇଛି । ଏହି ଦମ୍ପତି ଯେଉଁ ଟ୍ରକକୁ ଅପହରଣ କରି ନେଇଥିଲେ ସେଥିରେ ୨.୫ ଟନ୍ ଟମାଟୋ ବୋଝେଇ ହୋଇଥିଲା । ଏହି ଦମ୍ପତି ଟମାଟୋକୁ ନେଇ ଯାଇ ମଣ୍ଡିରେ ବିକି ଦେଇଥିଲେ ଓ ଖାଲି ଟ୍ରକକୁ ଛାଡି ଫେରାର ହୋଇଯାଇଥିଲେ ।

ଟମାଟୋ ବୋଝେଇ ଟ୍ରକ ଅପହରଣ କରିଥିବା ଏହି ଦମ୍ପତି ହେଉଛନ୍ତି ୨୮ ବର୍ଷୀୟ ଭାସ୍କର ଓ ତାଙ୍କ ୨୬ ବର୍ଷୀୟା ପତ୍ନୀ ସିନ୍ଧୁଜା । ଏହି ଦମ୍ପତି ହାଇୱେ ଉପରେ ଟ୍ରକ ଡ୍ରାଇଭରଙ୍କୁ ଧମକାଇ ସେମାନଙ୍କ ଠାରୁ ପଇସା ଲୁଟ କରିଥାନ୍ତି । ଚିତ୍ରଦୁର୍ଗା ଜିଲ୍ଲା ହିରିୟୁରର ମଲେଶ ନାମକ ଜଣେ କୃଷକ ଯେତେବେଳେ ଟ୍ରକରେ ଟମାଟୋ ଲଦି ଏହାକୁ ବିକ୍ରୀ କରିବାକୁ ଚେନ୍ନାଇ ଯାଉଥିଲା ସେତେବେଳେ ତାଙ୍କର ସାମ୍ନା ଭାସ୍କର ଓ ସିନ୍ଧୁଜାଙ୍କ ସହ ହୋଇଥିଲା । ଏହି ଦମ୍ପତି ମଲେଶଙ୍କୁ କହିଥିଲେ ଯେ, ତାଙ୍କ ଟ୍ରକ ସେମାନଙ୍କ କାରକୁ ଧକ୍କା ମାରିଛି ବୋଲି । ଏହାପରେ ସେମାନେ ତାଙ୍କ ଠାରୁ ପଇସା ଆଦାୟ କରିବାକୁ ଚେଷ୍ଟା କରିଥିଲେ । ଯେତେବେଳେ ମଲେଶ ପଇଓା ଦେଇ ନ ଥିଲେ ସେତେବେଳେ ସେମାନେ ତାଙ୍କୁ ମାରପିଟ କରି ଟ୍ରକ ଅପହରଣ କରି ନେଇଥିଲେ । ପରେ ସେମାନେ ତାଙ୍କୁ ଅନଲାଇନରେ ପଇସା ପଠାଇବାକୁ ବାଧ୍ୟ କରିଥିଲେ । ପଇସା ପାଇବା ପରେ ସେମାନେ ତାଙ୍କୁ ଦେବନହଲି ନିକଟରେ ଧକ୍କା ମାରି ଟ୍ରକରୁ ବାହାର କରି ଦେଇ ଟ୍ରକ ଧରି ସେଠାରୁ ଫେରାର ହୋଇଯାଇଥିଲେ ।

ଏହାପରେ ସେମାନେ ଚେନ୍ନାଇରେ ପହଞ୍ଚି ସବୁ ଟମାଟୋକୁ ବିକ୍ରୀ କରି ଟ୍ରକକୁ ବାଙ୍ଗାଲୁରର ଏକ ସ୍ଥାନରେ ଛାଡି ଦେଇ କାର୍ ଧରି ଫେରାର ହୋଇ ଯାଇଥିଲେ । ମଲେଶ ନିକଟସ୍ଥ ପୋଲିସ ଷ୍ଟେସନରେ ଘଟଣା ବିଷୟରେ ଅଭିଯୋଗ କରିବା ପରେ ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଓ ଏହି ଲୁଟେରା ଦମ୍ପତିଙ୍କୁ ତାମିଲନାଡୁର ଭେଲ୍ଲୋରରୁ ଗିରଫ କରିଥିଲା ।

 

Get real time updates directly on you device, subscribe now.