fbpx

କାଲି ଲଘୁଚାପ ! ଭୁବନେଶ୍ୱର ଓ କଟକରେ ହେଉଛି ଲଗାଣ ବର୍ଷା, ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କାଲିଠୁ ବଢ଼ିବ ବର୍ଷାର ପରିମାଣ । ଆସନ୍ତାକାଲିଠାରୁ ଲଘୁଚାପ ହେବାର ସମ୍ଭାବନା ରହିଛି । ୬ରୁ ୧୦ ଯାଏଁ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତଳିଆ ଅଞ୍ଚଳରେ ପାଣି ଜମିବା ସହ ଭୂସ୍ଖଳନ ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ରାଜଧାନୀ ଭୁବନେଶ୍ୱର ଓ କଟକରେ ଆଜି ଲଗାଣ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଉପୁଜୁଛି । ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବା ବେଳେ ଗମନାଗମନ ବାଧାପ୍ରାପ୍ତ ହୋଇଛି ।

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଉତ୍ତର-ପଶ୍ଚିମ ଓ ପାଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ୭ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏବେ ମୌସୁମୀ ପ୍ରଭାବରେ ରାଜ୍ୟରେ ହାଲକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । କିନ୍ତୁ ରବିବାର ଠାରୁ ବର୍ଷାର ପରିମାଣ ବଢ଼ିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଧାରା ଶ୍ରାବଣରେ ବର୍ଷାର ପରିମାଣ ଅଧିକ ରହିବାର ଥିବାବେଳେ କମ୍‌ ବର୍ଷା ହେଉଛି । ଯାହା ଫଳରେ ଅନେକ ସ୍ଥାନରେ ଚାଷ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି ।

ଆକଳନ ଅନୁଯାୟୀ, ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ଗଜପତି, ଗଞ୍ଜାମ, କନ୍ଧମାଳ, ପୁରୀ, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Get real time updates directly on you device, subscribe now.