fbpx

କିନ୍ନର ଆସିଲେ ଗ୍ରହ ଶାନ୍ତି କରିବାକୁ, ଲୁଟିନେଲେ ସୁନା ଗହଣା

ନୂଆପଡା: ଲୋକଙ୍କ ଅନ୍ଧ ବିଶ୍ୱାସ ହେଉ ବା କୁ ସଂସ୍କାର, ତାର ଫାଇଦା ନେବା ଅତି ସହଜ । ଗ୍ରହ ଶାନ୍ତି, ରିଷ୍ଟ ଖଣ୍ଡନ, ଗୁଣି ଗାରେଡିର ଭୟ ଦେଖାଇ ଲୋକଙ୍କୁ ଲୁଟିବା ଠକ ତଥା ମନ୍ଦପ୍ରକୃତିର ଲୋକଙ୍କ ପାଇଁ ସହଜ ହୋଇଛି । ଏମିତି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଲୋକଙ୍କ ଭିତରେ ଆସୁନି ସଚେତନତା । ଏମିତି ଏକ ଘଟଣା ପୁଣି ଘଟିଛି ନୂଆପଡା ଜିଲ୍ଲାରେ । ଖଡିଆଳ ବ୍ଲକ ତୁକଲା ଗାଁରେ ରହୁଥିବା ଜନୈକ ବ୍ୟବସାୟୀଙ୍କ ଘରକୁ କିଛି କିନ୍ନର ଆସି ତାଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି ।

ସମ୍ପୃକ୍ତ ବ୍ୟବସାୟୀଙ୍କ ବଡବୋହୂ ପ୍ରାୟ ସମୟରେ ଅସୁସ୍ଥ ରହିଥାନ୍ତି । ଯାହାକୁ ନେଇ ସମସ୍ତ ପରିବାର ସଦସ୍ୟ ଚିନ୍ତାରେ ରହୁଥିଲେ । ତେବେ ଗତକାଲି ୪ ଜଣ କିନ୍ନର ବ୍ୟବସାୟୀଙ୍କ ଘରେ ଏକ କାରରେ ଆସି ପହଞ୍ଚିଥିଲେ । ମହିଳାଙ୍କୁ ଦଶହରା ଖର୍ଚ୍ଚ ମାଗିଥିଲେ । ମହିଳାଙ୍କ ସହ କଥା ହେଉଥିବା ବେଳେ ଘରେ ସବୁ ଠିକ ଅଛିକି ନାହିଁ ମଧ୍ୟ ପଚାରି ବୁଝିଥିଲେ । ଏହି ସମୟରେ ଘରର ପୁରୁଖା ମହିଳା ଜଣକ କହିଥିଲେ କି, ବଡ ପୁଅର ବାହା ସରିଲା, ହେଲେ ବୋହୂ ସବୁ ସମୟରେ ଅସୁସ୍ଥ ରହୁଛି ।

କିନ୍ନରମାନେ ସଙ୍ଗେ ସଙ୍ଗେ ଏହାର ପ୍ରତିକାର କରିଦେବେ ବୋଲି କହିଥିଲେ । ଏକ ଢାଳରେ ପାଣି ଆଣିବାକୁ କହିଲେ । ପାଣି ଦେବାରୁ ପାଣିକୁ ଧରି ଜଣେ କିନ୍ନର କିଛି ମନ୍ତ୍ର ପାଠ କରିବା ସହ ଫୁଙ୍କ ମାରିଥିଲେ ଓ ବୋହୂକୁ ଡାକିବାକୁ କହିଥିଲେ । ବୋହୂ ବାହାରକୁ ଆସିବା ପରେ ସେମାନେ ଅନ୍ୟ ପରିବାର ସଦସ୍ୟଙ୍କୁ ସେଠାରୁ ଘର ଭିତରକୁ ଚାଲିଯିବାକୁ କହିଥିଲେ । ସମସ୍ତେ ଘରକୁ ଚାଲିଯାଇଥିଲେ । ଏହା ପରେ କିନ୍ନରମାନେ ତାଙ୍କ ଉପରେ ପାଣି ଛିଞ୍ଚିବା ସହ ଝଡା ଫୁଙ୍କା କରିବା ବାହାନା କରି ବୋହୂଙ୍କ ବେକ, କାନରୁ ହାର ଓ କାନଫୁଲ ନେଇ ସେଠୁ ଛୁ ମାରିଥିଲେ ଆସିଥିବା କାରରେ ।

ବ୍ୟବସାୟୀ ଜଣଙ୍କ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ବ୍ୟବସାୟୀଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.