fbpx

ତ୍ରିପାଠୀ ଓ ମାର୍କରାମଙ୍କ ଧୂଆଁଧାର ଅର୍ଦ୍ଧଶତକ: ୭ ୱିକେଟରେ ଜିତିଲା ସନରାଇଜର୍ସ

ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଥିବା ଆଇପିଏଲର ୨୫ ତମ ମୁକାବିଲାକୁ ଜିତି ନେଇଛି ସନରାଇଜର୍ସ । ହ୍ୟାଟ୍ରିକ ବିଜୟ ସହିତ ପଏଣ୍ଟ ଟେବଲର ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛି ହାଇଦ୍ରାବ । ୨-୭ ମଧ୍ୟରେ ରହିଥିବା ସମସ୍ତ ଦଳ ୩ଟି ଲେଖାଏଁ ବିଜୟ ହାସଲ କରିଥିଲେ ହେଁ ନେଟ ରନରେଟ୍ କାରଣରୁ ସପ୍ତମ ସ୍ଥାନରେ ରହିଛି ହାଇଦ୍ରାବାଦ । ୧୭୬ ରନ ଲକ୍ଷ୍ୟର ପିଛା କରୁଥିବା ସନରାଇଜର୍ସ ପକ୍ଷରୁ ରାହୁଲ ତ୍ରିପାଠୀ ଏବଂ ଏଡେନ୍ ମାର୍କରାମ୍ ଧୂଆଁଧାର ଅର୍ଦ୍ଧଶତକ ହାସଲ କରିଥିଲେ ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କେକେଆର୍ ୨୦ ଓଭରରେ ୮ୱିକେଟ ହରାଇ ୧୭୫ ରନ୍ କରିଥିଲା । ନୀତିଶ ରାଣା ସର୍ବାଧିକ ୫୪ ରନ କରିଥିବା ବେଳେ ଆନ୍ଦ୍ରେ ରସେଲ୍ ଅପରାଜିତ ୪୯ ରନ୍ କରିଥିଲେ । ଦଳ ମାତ୍ର ୩୧ ରନରେ ୩ଟି ୱିକେଟ ହରାଇ ସଙ୍କଟରେ ପଡିଥିଲା । ଶ୍ରେୟସ ଆୟର(୨୮)ଙ୍କ ସହିତ ରାଣା ୩୯ ରନ୍ ଯୋଡିଥିଲେ । ନୀତିଶ ରାଣା ୩୬ଟି ବଲ ଖେଳି ୫୪ ରନ ସଂଗ୍ରହ କରିଥିଲେ । ରାଣାଙ୍କ ଇନିଂସରେ ୬ଟି ଚୌକା ଓ ଦୁଇଟି ଛକା ସାମିଲ ଥିଲା । ଶେଷ ଆଡକୁ ଆନ୍ଦ୍ରେ ରସେଲ୍ ଧୂଆଁଧାର ୪୯ ରନ କରିଥିଲେ । ରସେଲ ୨୫ ବଲ ଖେଳି ୪ଟି ଲେଖାଏଁ ଛକା ଓ ଚୌକା ସହିତ ୪୯ ରନ କରିଥିଲେ । ଟି ନଟରାଜନ ୪ ଓଭରରେ ୩୭ ରନ ବ୍ୟୟରେ ୩ଟି ୱିକେଟ ନେଇଥିବା ବେଳେ ଉମ୍ରାନ ମଲିକ ୨୭ ରନରେ ୨ଟି ୱିକେଟ ନେଇଥିଲେ ।

୧୭୬ ରନର ପିଛା କରୁଥିବା ସନରାଇଜର୍ସର ଓପନିଂ ପାର୍ଟନରଶିପ୍ ଅତ୍ୟନ୍ତ ଦୟନୀୟ ରହିଥିଲା । ମାତ୍ର ୩୯ ରନ ମଧ୍ୟରେ ଦୁଇ ଓପ୍ନର ଅଭିଷେକ ଶର୍ମା(୩) ଓ ୱିଲିୟମ୍ସନ୍(୧୭) ପ୍ୟାଭିଲିୟନ୍ ଫେରିଥିଲେ ।ତେବେ ରାହୁଲ ତ୍ରିପାଠୀଙ୍କ ୭୧ ଓ ମାର୍କରାମଙ୍କ ଅପରାଜିତ ୬୮ ରନ ବଳରେ ୧୩ଟି ବଲ୍ ପୂର୍ବରୁ ୩ଟି ୱିକେଟ ହରାଇ ମ୍ୟାଚ୍ ଜିତି ନେଇଥିଲା ହାଇଦ୍ରାବାଦ । ରାହୁଲ ୩୭ ବଲ ଖେଳି ୪ଟି ଚୌକା ଓ ୬ଟି ଛକା ମାରିଥିବା ବେଳେ ମାର୍କରାମ ୩୬ଟି ବଲରୁ ୬ଟି ଚୌକା ଓ ୪ଟି ଛକା ସହିତ ୬୮ ରନ କରିଥିଲେ । କେକେଆର ପକ୍ଷରୁ ଆନ୍ଦ୍ରେ ରସେଲ ୨ଟି ଏବଂ ପ୍ୟାଟ୍ କମିନ୍ସ ଗୋଟିଏ ୱିକେଟ ନେଇଥିଲେ । ରାହୁଲ ତ୍ରିପାଠୀଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.