ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଶୁକ୍ରବାର ଦିନ ‘କାର୍ନେଗି ଗ୍ଲୋବାଲ୍ ଟେକ୍ ସମିଟ୍ ୨୦୨୫’ରେ ଅଂଶଗ୍ରହଣ କରି ବିଶ୍ୱର ପରିବର୍ତ୍ତିତ ପ୍ରଯୁକ୍ତିବିଦ୍ୟା ଏବଂ ଭୂରାଜନୈତିକ ପରିସ୍ଥିତି ଉପରେ ନିଜର ମତ ପ୍ରକାଶ କରିଛନ୍ତି । ସେ କହିଥିଲେ ଯେ ଗତ ଗୋଟିଏ ବର୍ଷ ମଧ୍ୟରେ ଆମେରିକାର ବିଶ୍ୱ ଦୃଷ୍ଟିକୋଣରେ ଏକ ବଡ଼ ପରିବର୍ତ୍ତନ ଆସିଛି, ଯାହାର ପ୍ରଭାବ ବିଶେଷକରି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଗଭୀର ଭାବରେ ନଜାର ଆସୁଛି ।
ଜୟଶଙ୍କର କହିଛନ୍ତି ଯେ, ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ‘MAGA’ (ମେକ୍ ଆମେରିକା ଗ୍ରେଟ୍ ଅଗେନ୍) ଏଜେଣ୍ଡା ଏବଂ ପ୍ରଯୁକ୍ତିବିଦ୍ୟା ମଧ୍ୟରେ ଏବେ ଏକ ସ୍ପଷ୍ଟ ସମ୍ପର୍କ ଦୃଶ୍ୟମାନ ହେଉଛି । ସେ କହିଛନ୍ତି ଯେ ପ୍ରଯୁକ୍ତିବିଦ୍ୟା କେବଳ ଆମେରିକାର ସବୁଠାରୁ ବଡ଼ ଶକ୍ତି ନୁହେଁ ବରଂ ଏହା ବିଶ୍ୱ ପ୍ରଗତିରେ ମଧ୍ୟ ଏକ ପ୍ରମୁଖ ଅବଦାନକାରୀ । ସେ କହିଛନ୍ତି, “ଆମେରିକାକୁ ମହାନ କରିବାରେ ପ୍ରଯୁକ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି, ଯାହା ପୂର୍ବରୁ ଏତେ ସ୍ପଷ୍ଟ ନଥିଲା, କିନ୍ତୁ ତାହା ଏବେ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯାଇଛି ।’
ଚୀନର ପ୍ରଗତି ଏବଂ ୟୁରୋପର ପରିବର୍ତ୍ତିତ ପରିସ୍ଥିତି ଉପରେ ମତ :
ଜୟଶଙ୍କର ଏହା ମଧ୍ୟ କହିଛନ୍ତି ଯେ, ଆମେରିକା ବ୍ୟତୀତ, ଚୀନ୍ ମଧ୍ୟ ଗତ ଗୋଟିଏ ବର୍ଷ ମଧ୍ୟରେ ଲଗାତାର ପ୍ରଗତି କରୁଛି । ସେ କହିଛନ୍ତି ଯେ, ଏହି ପରିବର୍ତ୍ତନ ହଠାତ୍ ନୁହେଁ, ବରଂ ଧୀରେ ଧୀରେ ଆସିଛି ।
ସେ ୟୁରୋପର ପରିସ୍ଥିତି ଉପରେ ନିଜର ମତାମତ ମଧ୍ୟ ପ୍ରକାଶ କରି କହିଛନ୍ତି ଯେ, ପାଞ୍ଚ ବର୍ଷ ପୂର୍ବେ ୟୁରୋପର ଆମେରିକା, ରୁଷ ଏବଂ ଚୀନ୍ ସହିତ ଏକ ସନ୍ତୁଳିତ ସମ୍ପର୍କ ଥିଲା । କିନ୍ତୁ ଆଜି ସେହି ତ୍ରିକୋଣୀୟ ସନ୍ତୁଳନ ଚାପରେ ଅଛି ଏବଂ ପ୍ରତ୍ୟେକ ଦିଗରୁ ଚାପ ଅନୁଭୂତ ହେଉଛି । ଜୟଶଙ୍କର କହିଛନ୍ତି, ‘ଏହି ପରିବର୍ତ୍ତନ ନାଟକୀୟ ମନେ ନହୁଏ, କିନ୍ତୁ ଏହା ଧୀରେ ଧୀରେ ଗଭୀର ହେଉଛି ଏବଂ ବିଶ୍ୱ ସମ୍ପର୍କରେ ପ୍ରଭାବ ପକାଇବ ।’