IIT Kanpur ବୈଜ୍ଞାନିକଙ୍କ ବଡ଼ ଖୁଲାସା: ଭାରତରେ ଆସିପାରେ ତୁର୍କୀ-ସିରିଆ ଭରି ଭୟଙ୍କର ଭୂକମ୍ପ

ନୂଆଦିଲ୍ଲୀ: ତୁର୍କୀ-ସିରିଆରେ ଦେଖାଦେଇଥିବା ଭୟଙ୍କର ଭୂକମ୍ପକୁ ନେଇ ଏବେ ସାରା ବିଶ୍ୱବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏହାମଧ୍ୟରେ ମୃତ୍ୟୁସଂଖ୍ୟା ୨୧ ହଜାର ଟପିଥିବା ବେଳେ ହଜାର ହଜାର ହଜାର ଘରଦ୍ୱାରା ଭଗ୍ନସ୍ତୂପ ପାଲଟିବା ସହ ହଜାର ହଜାର ଲୋକ ଆହତ ହୋଇଛନ୍ତି । ତେବେ ତୁର୍କୀ-ସିରିଆ ବିପଦ ମଧ୍ୟରେ ଭାରତରେ ମଧ୍ୟ ଭୂକମ୍ପ ଦେଖାଦେବା ନେଇ ଏକ ତଥ୍ୟ ସାମ୍ନାକୁ ଆସିଛି । ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଆଇଆଇଟି) କାନପୁର ପକ୍ଷରୁ କରାଯାଇଥିବା ଏକ ରିସର୍ଚ୍ଚରୁ ଏକ ବଡ଼ ତଥ୍ୟର ଖୁଲାସା ହୋଇଛି ।

ଆଇଆଇଟି କାନପୁରର ଭୂବିଜ୍ଞାନ ବିଭାଗର ବରିଷ୍ଠ ବୈଜ୍ଞାନିକ ପ୍ରଫେସର ଜାଭେଦ ମଲିକ ଏହି ରିସର୍ଚ୍ଚ କରିଥିଲେ । ଆସନ୍ତା ଦୁଇ ଦଶନ୍ଧି ପୂର୍ବରୁ ଭାରତରେ ଭୂକମ୍ପ ଝଟକା ଆସିପାରେ । ଭୂକମ୍ପର କେନ୍ଦ୍ର ସ୍ଥଳ ହିମାଳୟ ଜୋନ ବା ଆଣ୍ଡାମାନ ନିକୋବର ହୋଇପାରେ । ତେଣୁ ଏଥିପାଇଁ ସତର୍କ ରହିବା ଜରୁରୀ ବୋଲି ସେ କହିଛନ୍ତି । ପ୍ରଫେସର ମଲିକ ଭୂକମ୍ପ ପ୍ରଭାବିତ କ୍ଷେତ୍ର କଚ୍ଛ, ଆଣ୍ଡାମାନ ଓ ଉତ୍ତରଖଣ୍ଡରେ ଦୀର୍ଘ ସମୟ ଧରି ଧରିତ୍ରୀର ପରିବର୍ତ୍ତନ ଉପରେ ଅଧ୍ୟୟନ କରୁଛନ୍ତି ।

ପ୍ରଫେସର ମଲିକ କହିଛନ୍ତି, ନେପାଳରେ ଯଦି କୌଣସି ବଡ଼ ଭୂକମ୍ପ ଆସେ ତେବେ ତା’ର ପ୍ରଭାବ ଉତ୍ତର ପ୍ରଦେଶରେ ପଡ଼ିପାରେ । ଗତ ୧୯୩୪ ମସିହାରେ ନେପାଳ ଓ ବିହାରରେ ଆସିଥିବା ଭୂକମ୍ପର ପ୍ରଭାବ ବହୁ ଦୂର ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା । ୧୮୦୩ରେ ନୋପାଳରେ ଆସିଥିବା ଭୂକମ୍ପର ପ୍ରଭାବ ମଥୁରାରେ ଦେଖିବାକୁ ମିଳିଥିଲା । ଧରିତ୍ରୀର ଆଭ୍ୟନ୍ତରରେ ଇଣ୍ଡିଆନ ଓ ୟୁରୋଶିୟନ ପ୍ଲେଟଗୁଡ଼ିକ ମଧ୍ୟରେ ଧକ୍କା କାରଣରୁ ସୃଷ୍ଟ ଉର୍ଜାରୁ ୨୦୧୫ରେ ନେପାଳରେ ଭୂକମ୍ପା ଆସିଥିଲା । ଏନେଇ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଚେତନ ରହିବା ଜରୁରୀ ।

ବିଶେଷଜ୍ଞଙ୍କ ଏହି ଉକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଭୂକମ୍ପ ଦ୍ୱାରା ଭୂପୃଷ୍ଠ ତଳେ ଉପଲବ୍ଧ ଥିବା ଉର୍ଜା ସମ୍ପୂର୍ଣ୍ଣ ଭାବେ ବାହାରକୁ ଆସିନାହିଁ । ତେଣୁ ଏପରି ସ୍ଥିତିରେ ସମସ୍ତ ଆକଳନ ଓ ମଡେଲର ସଙ୍କେତ ମୁତାବକ, ହିମାଳୟ ରେଞ୍ଜରେ କୌଣସି ଏକ ବଡ଼ ଭୂକମ୍ପର ସମ୍ଭାବନା ସୃଷ୍ଟି ହୋଇଛି । ନେପାଳରେ ୧୨୫୫ ଓ ୧୮୩୩ରେ ଭୂକମ୍ପ ଆସିଥିଲା । ଉତ୍ତରାଖଣ୍ଡର କୁମାରୁଁ ରେଞ୍ଜରେ ମଧ୍ୟ ୧୫୦୫ ଓ ୧୮୦୩ରେ ବଡ଼ ଭୂକମ୍ପ ଆସିଥିଲା । ୧୯୩୪ରେ ନେପାଳର ହିମାଳୟ କ୍ଷେତ୍ରରେ ୮ରୁ ଅଧିକ ତୀବ୍ରତା ବିଶିଷ୍ଟ ଭୂକମ୍ପ ରେକର୍ଡ ହୋଇଥିଲା ।