fbpx

୨୫ ଜଣ ସଚିବାଳୟ କର୍ମଚାରୀ ଅଫିସକୁ ବିଳମ୍ବରେ ଆସିଲେ: ସମସ୍ତଙ୍କର ଦରମା ବନ୍ଦ କରିଦେଲେ ବଡ଼ବାବୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଫିସକୁ ବିଳମ୍ବରେ ଆସି ହଟହଟା ହୋଇଛନ୍ତି କିଛି ସରକାରୀ କର୍ମଚାରୀ । ଅଫିସକୁ ବିଳମ୍ବରେ ଆସିବା କାରଣ ପାଇଁ ଅନେକ କର୍ମଚାରୀଙ୍କର ଦରମା ମଧ୍ୟ ବନ୍ଦ କରାଯାଇଛି । ଏହି ଘଟଣା ଦେଖିବାକୁ ମିଳିଛି ରାଜ୍ୟ ସଚିବାଳୟରେ । ଅଫିସ୍ ଆସିବାରେ ବିଳମ୍ବ ହେବା କାରଣରୁ ୨୫ ଜଣ ସରକାରୀ କର୍ମଚାରୀଙ୍କର ଦିନକର ଦରମା ବନ୍ଦ କରି ଦିଆଯାଇଛି । ଏହି ଘଟଣା ପରେ ଅନ୍ୟ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଯାଇଛି ।

ଜଣାପଡ଼ିଛି ଯେ, ରାଜ୍ୟ ସଚିବାଳୟର ବାଣିଜ୍ୟ ଓ ପରିବହନ ବିଭାଗର ୨୫ ଜଣ କର୍ମଚାରୀ ବିଳମ୍ବରେ ସରକାରୀ ଦପ୍ତରକୁ ଆସିଥିଲେ । ବିଳମ୍ବ କାରଣରୁ ସମସ୍ତ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯିବା ସହ ଉକ୍ତ ଦିନର ଦରମା ବନ୍ଦ କରି ଦିଆଯାଇଛି । ଉକ୍ତ କର୍ମଚାରୀଙ୍କ ମଧ୍ୟରେ ଦୁଇଜଣ ଅନୁସଚିବ, ୨ ଜଣ ଡେସ୍କ ଅଧିକାରୀ, ୮ ବିଭାଗୀୟ ଅଧିକାରୀ ରହିଥିଲେ ।

ଖାରବେଳ ଭବନରେ ଥିବା ବାଣିଜ୍ୟ ଓ ପରିବହନ ବିଭାଗର ବହୁ ଅଧିକାରୀ ଠିକ୍ ସମୟରେ ଅଫିସକୁ ଆସୁ ନଥିବା ନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା । ତେଣୁ ସିନିୟର ଅଫିସର ହଠାତ୍ କାର୍ଯ୍ୟାଳୟକୁ ସକାଳ ୧୦.୩୦ରେ ପହଞ୍ଚି ଯାଇ ଦେଖନ୍ତି ତ ୨୫ ଜଣ କର୍ମଚାରୀ ଦପ୍ତରରେ ନାହାନ୍ତି । ଏହାପରେ ସେମାନଙ୍କ ବିରୋଧରେ ଆରମ୍ଭ ହୋଇଯାଇଥିଲା କାର୍ଯ୍ୟାନୁଷ୍ଠାନ । ସୂଚନାଯୋଗ୍ୟ ଯେ, ଅପାରଗ ଓ ଦୁର୍ନୀତିରେ ଲିପ୍ତ ଥିବା କିଛି ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇ ସାରିଛନ୍ତି । ଏହି ପଦକ୍ଷେପ ପ୍ରଶାସନିକ କ୍ଷେତ୍ରରେ ସ୍ୱଚ୍ଛତା ଆଣିବାରେ ସହାୟକ ହେବ ।

Get real time updates directly on you device, subscribe now.