fbpx

ଦିଲ୍ଲୀ ଘଟଣାରେ ନୂଆ ଟ୍ୱିଷ୍ଟ: ଦୁର୍ଘଟଣା ସମୟରେ ସ୍କୁଟିରେ ଥିଲେ ଦୁଇ ଜଣେ ଯୁବତୀ, ପୋଲିସକୁ ମିଳିଲା ପ୍ରମାଣ

ନୂଆଦିଲ୍ଲୀ: ଗତମାସ ୩୧ ତାରିଖ ରାତିରେ ଦିଲ୍ଲୀର ସୁଲତାନପୁରୀ ରାସ୍ତାରେ ଘଟିଥିବା ଲୋମହର୍ଷଣକାରୀ ଘଟଣାକୁ ନେଇ ଆଜି ସାରା ଦେଶ ପଡ଼ୁଛି ଉଠୁଛି । ରାତି ୩ଟା ସମୟରେ ଯୁବତୀ ଅଞ୍ଜଳି ସିଂହ ଘରକୁ ଫେରୁଥିବା ସମୟରେ ଏକ କାର ସହ ତାଙ୍କର ଦୁର୍ଘଟଣା ହୋଇଥିଲା । ପରବର୍ତ୍ତୀ ସମୟରେ ଯୁବତୀଙ୍କୁ କାରଟି ୪ କିମି ପର୍ଯ୍ୟନ୍ତ ଘୋଷାରି ନେଇଥିଲା । ତେବେ ପରେ ଯୁବତୀଙ୍କ ମୃତଦେହ ଗୋଟିଏ ସ୍ଥାନରୁ ଓ ତାଙ୍କର ସ୍କୁଟି ଆଉ ଗୋଟିଏ ସ୍ଥାନରୁ ଜବତ ହୋଇଥିଲେ ।

ଏହି ଘଟଣାକୁ ପ୍ରଥମେ ଏକ ଦୁର୍ଘଟଣା ବୋଲି କୁହାଯାଉଥିଲେ ହେଁ ଯୁବତୀଙ୍କ ପରିବାର ବର୍ଗ କିନ୍ତୁ ଭିନ୍ନ ଅଭିଯୋଗ ଆଣିଥିଲେ । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ସୂଚନା ମୁତାବକ, ଯେଉଁ ସମୟରେ ଦୁର୍ଘଟଣା ଘଟିଥିଲା ସେ ସମୟରେ ସ୍କୁଟିରେ ଦୁଇଜଣ ଯୁବତୀ ରହିଥିଲେ । ଅଞ୍ଜଳିଙ୍କ ସହିତ ସ୍କୁଟିରେ ଥିବା ଅନ୍ୟ ଯୁବତୀଙ୍କ ସନ୍ଧାନ ପାଇଛି ପୋଲିସ ।

ପୋଲିସ ଅଞ୍ଜଳିଙ୍କ ରୁଟ ଟ୍ରେସ କରି ଏହି ତଥ୍ୟ ପାଇବାରେ ସକ୍ଷମ ହୋଇଛି । ତେବେ ଦୁର୍ଘଟଣା ସମୟରେ ଅନ୍ୟ ଯୁବତୀ ସାମାନ୍ୟ ଆଘାତ ପାଇଥିବା ବେଳେ ସେ ଘରକୁ ଚାଲିଯାଇଥିଲେ । ମାତ୍ର ଅଞ୍ଜଳିଙ୍କ ପାଦ ଗାଡ଼ିର ଏକ୍ସେଲରେ ଫସି ଯାଇଥିଲା । ଫଳରେ କାରଟି ଅଞ୍ଜଳିଙ୍କୁ ୪ କିମି ପର୍ଯ୍ୟନ୍ତ ଘୋଷାରି ନେଇଥିଲା । ତେବେ ଏହି ଘଟଣାଟି ଗତ ୨୦୧୨ ଡିସେମ୍ବର ୧୬ ତାରିଖରେ ଘଟିଥିବା ନିର୍ଭୟା କାଣ୍ଡ ସହିତ ମିଶୁଛି । ତାଙ୍କ ଝିଅ ସହିତ କିଛି ଖରାପ କାମ କରାଯାଇଥିବା ଅଭିଯୋଗ ଆଣିଛନ୍ତି ପୀଡ଼ିତା ଅଞ୍ଜଳିଙ୍କ ପରିବାରବର୍ଗ । ପୋଲିସ ଅନ୍ୟ ଯୁବତୀଙ୍କୁ ଘଟଣା ବିଷୟରେ ପଚରାଉଚରା କରିଥିବା ବେଳେ ମଙ୍ଗଳବାର ଦିନ ଔପଚାରିକ ଭାବେ ତାଙ୍କର ବୟାନ ରେକର୍ଡ କରାଯିବ ।

Get real time updates directly on you device, subscribe now.