‘Too Much Love’ ଭାଙ୍ଗିଦେଲା ବୈବାହିକ ସମ୍ପର୍କ! ଅତ୍ୟଧିକ ଭଲ ପାଇଲେ ପତି, ଡିଭୋର୍ସ ପାଇଁ ଆବେଦନ କଲେ ପତ୍ନୀ

ନୂଆଦିଲ୍ଲୀ: କଥାରେ ଅଛି, ଯଦି ପତି-ପତ୍ନୀଙ୍କ ମଧ୍ୟରେ ନିବିଡ଼ ଭଲ ପାଇବା ଥିବ, ତେବେ ସେମାନଙ୍କ ସମ୍ପର୍କରେ କେବେ ବି ଫାଟ ସୃଷ୍ଟି ହେବ ନାହିଁ । ପରସ୍ପରକୁ ସମ୍ମାନ ନଦେବା, ଉଭୟେ ଉଭୟଙ୍କର ମନର କଥାକୁ ଠିକ୍ ଭାବେ ବୁଝି ନ ପାରିବା କାରଣରୁ ଆଜିର ସମୟରେ ଅନେକ ସୁନାର ସଂସାର ଉଜୁଡ଼ି ଯାଉଥିବା ଦେଖାଯାଉଛି । ଏପରିକି ବିବାହର କିଛିଦିନ, କିଛି ମାସ ପରେ ମଧ୍ୟ ସ୍ୱାମୀ-ସ୍ତ୍ରୀ ପରସ୍ପର ଠାରୁ ଛାଡ଼ପତ୍ର ନେବା ପାଇଁ ଆବେଦନ କରୁଥିବା ଦେଖାଯାଉଛି । ତେବେ ଏହା ମଧ୍ୟରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଅତ୍ୟଧିକ ଭଲ ପାଇବା ଆଜି ଗୋଟିଏ ବୈବାହିକ ସମ୍ପର୍କକୁ ଭାଙ୍ଗି ଦେଇଛି ।

ଖବର ମୁତାବକ, ୟୁଏଇରୁ ଆସିଛି ଏକ ଅଜବ ଧରଣର ତଲାକ ମାମଲା । ତାଙ୍କର ସ୍ୱାମୀ ତାଙ୍କୁ ଅତ୍ୟଧିକ ମାତ୍ରାରେ ଭଲ ପାଉଥିବା କାରଣରୁ ମହିଳା ଜଣଙ୍କ ଡିଭୋର୍ସ ପାଇଁ ଆବେଦନ କରିଛନ୍ତି । ଏହି କାହାଣୀ ଯିଏ ଶୁଣିବ ସେ ନିଶ୍ଚିତ ଭାବେ ମୁଣ୍ଡରେ ହାତ ଦେବ । ଯଦି ଅଧିକ ଭଲ ପାଇଲେ ସମ୍ପର୍କ ଭାଙ୍ଗି ଯାଉଛି ତେବେ ଏପରି ସ୍ଥିତିରେ ଜଣେ କ’ଣ କରିବ ବୋଲି ଅନେକ ପ୍ରଶ୍ନ କରିଛନ୍ତି । ମହିଳାଙ୍କୁ ତାଙ୍କର ସ୍ୱାମୀ ବହୁତ ଭଲ ପାଇବା ଆଜି ପତିଙ୍କ ପାଇଁ କାଳ ସାଜିଛି । ତେବେ ପତ୍ନୀଙ୍କ ଠାରୁ ଛାଡ଼ପତ୍ର ପାଇବା କଥା ଶୁଣିବା ପରେ ପତିଙ୍କ ମାନସିକ ଅବସ୍ଥା କ’ଣ ହୋଇଥିବା ତାହା କଳ୍ପନା କରିବା ନିହାତି ମୁସ୍କିଲ କଥା ।

ଛାଡ଼ପତ୍ର ପାଇଁ ଆବେଦନ କରିଥିବା ୟୁଏଇର ଉକ୍ତ ମହିଳାଙ୍କ ମୁତାବକ, ତାଙ୍କର ସ୍ୱାମୀ ତାଙ୍କୁ ପ୍ରବଳ ମାତ୍ରାରେ ଲଭ୍ କରିଥାନ୍ତି । ପତି ତାଙ୍କ ସହ କେବେ ବି ଝଗଡ଼ା କରିନାହାନ୍ତି କି ବିରକ୍ତ ବି ହୋଇ ନାହାନ୍ତି । ତେଣୁ ମହିଳା ଜଣଙ୍କ ଏଥିରେ ଅତିଷ୍ଠ ହୋଇ ପତିଙ୍କ ଠାରୁ ଅଲଗା ହେବା ଛାଡ଼ପତ୍ର ପାଇଁ କୋର୍ଟରେ ଆବେଦନ କରିଛନ୍ତି । ସ୍ୱାମୀଙ୍କର ଅତ୍ୟଧିକ ପ୍ରେମକୁ ମହିଳା ଜଣଙ୍କ ସହ୍ୟ କରି ପାରିନଥିବା କିଛି ରିପୋର୍ଟରେ କୁହାଯାଇଛି । ସ୍ୱାମୀଙ୍କ ଅତ୍ୟଧିକ ପ୍ରେମ ଆଜି ତାଙ୍କର ଜୀବନକୁ ନର୍କ କରିଦେଇଥିବା ମହିଳା ଜଣଙ୍କ କହିଛନ୍ତି । ଆଜ୍ଞାଧାରୀ ସ୍ୱାମୀ ତାଙ୍କର ପସନ୍ଦ ନୁହେଁ ବୋଲି ମହିଳା ଜଣଙ୍କ କହିଛନ୍ତି । ମହିଳା ଜଣଙ୍କ ଝଗଡ଼ା କରିବାକୁ ଚାହୁଁଥିବା ବେଳେ ତାଙ୍କର ସ୍ୱାମୀଙ୍କ ପାଇଁ ଅସମ୍ଭବ ହୋଇଥାଏ । ସବୁ କଥାରେ ସ୍ୱାମୀ ଭୁଲ୍ ମାଗିବା ସହିତ ସ୍ତ୍ରୀକୁ କ୍ଷମା ଉପହାର ଦେଇଥାନ୍ତି । ସ୍ୱାମୀ ଜଣେ ଆଦର୍ଶ ସ୍ୱାମୀ ହେବାକୁ ପସନ୍ଦ କରୁଥିବ ବେଳେ ବେଳେ ମହିଳାଙ୍କୁ କିନ୍ତୁ ଏହା ପସନ୍ଦ ଆସିନଥିଲା । ଅନ୍ୟପକ୍ଷରେ ଏହି ମାମଲା ଶୁଣିବା ପରେ ଛାଡ଼ପତ୍ର ଆବେଦନକୁ ପ୍ରତ୍ୟାହାର କରିନେବାକୁ କୋର୍ଟ କହିଥିବା ଜଣାପଡ଼ିଛି । ଏହି କାହାଣୀ ଶୁଣିବା ପରେ ଲୋକଙ୍କ ମଧ୍ୟରେ ନାନା ପ୍ରକାରର ପ୍ରଶ୍ନ ଉଠିଛି । ନିଜର ପାର୍ଟନରଙ୍କୁ ଅଧିକ ଭଲ ପାଇବା କ’ଣ ସତରେ ଏକ ବଡ଼ ଭୁଲ’ ବୋଲି ଅନେକ ପ୍ରଶ୍ନ କରିଛନ୍ତି । କିଛି ବର୍ଷ ପୂର୍ବରୁ ୟୁଏଇରେ ଘଟିଥିବା ଏଭଳି ଏକ ଘଟଣାକୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚା ସୃଷ୍ଟି ହୋଇଥିଲା ।