ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ-ଡିଜେଲ୍ ଏବଂ ସିଏନଜି ଦାମ ଅହେତୁକ ଭାବେ ବଢିବାରେ ଲାଗିଛି । ଏହି କାରଣରୁ ଉବର ଏବଂ ଓଲାର ଡ୍ରାଇଭର କ୍ୟାବ୍ ସର୍ଭିସର ଦାମ ବଢାଇବାକୁ ଲଗାତାର ଦାବି କରି ଆସୁଛନ୍ତି । ଆଉ ଉବର କମ୍ପାନୀ ଏହି ଦାବିକୁ ସ୍ଵୀକାର କରି ନେଇଛି ଏବଂ ଦାମ ୧୨ ପ୍ରତିଶତ ବୃଦ୍ଧି କରାଯାଇଛି ।
ଜାରି ପ୍ରେସ ବିଜ୍ଞପ୍ତିରେ ଦକ୍ଷିଣ ଏସିଆ ଏବଂ ଭାରତର ଉବର ମୁଖ୍ୟ ନୀତିଶ ଭୁଷଣ କହିଛନ୍ତି, ଆମେ ଆମ ଡ୍ରାଇଭରଙ୍କ କଥା ବୁଝି ପାରୁଛୁ । ତେଲ ଦର ଅଚାନକ ଏତେ ଟଙ୍କା ବଢିବା ନେଇ ସେମାନେ ବହୁତ ଚିନ୍ତିତ । ତେଣୁ ଏହି ଡ୍ରାଇଭରଙ୍କ ସହାୟତା ପାଇଁ ଆମେ ଟ୍ରିପ ପ୍ରାଇଜ ଦିଲ୍ଲୀ-ଏନସିଆରରେ କ୍ୟାବ୍ ଦାମ ୧୨ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛୁ । ଆଗାମୀ ସମୟରେ ମଧ୍ୟ ଆମେ ତେଲ ଦାମ ଉପରେ ନଜର ରଖିବୁ । ଆବଶ୍ୟକ ପଡିଲେ ଏହା ଉପରେ ନିଷ୍ପତ୍ତି ନେବୁ । ଉଲ୍ଲେଖନୀୟ ଦାମ ବଢାଯାଉ ଦାବି ଉପରେ କମ୍ପାନୀ କୌଣସି ନିଷ୍ପତ୍ତି ନନେବାରୁ ଓଲା ଏବଂ ଉବର ଡ୍ରାଇଭର ହଡତାଳ କରିଥିଲେ ।
ଏବେ ଉବର ଗୋଟିଏ ପାଦ ଆଗକୁ ବଢି ନିଜ ତରଫରୁ ୧୨ ପ୍ରତିଶତ ପର୍ଯ୍ୟନ୍ତ ଦାମ ବଢାଇ ଦେଇଛି । ତେଣୁ ଏବେ ଯାତ୍ରୀଙ୍କୁ ଉବରରେ ଯାତ୍ରା କରିବା ସମୟରେ ୧୨ ପ୍ରତିଶତ ଅଧିକ ଭଡା ଦେବାକୁ ପଡିବ। ଅନ୍ୟପଟେ କମ୍ପାନୀର ଏହି ନିଷ୍ପତ୍ତିରେ ଡ୍ରାଇଭରମାନେ କିଛି ମାତ୍ରାରେ ଆଶ୍ଵସ୍ତି ପାଇ ପାରିବେ ।