fbpx
BSKY
BJD MS SKY
BJD YOUTH SKY

ସାଇବର ସୁରକ୍ଷା ପାଠ ପଢ଼ିବେ UG ଓ PG ଛାତ୍ରଛାତ୍ରୀ: ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜକୁ UGCର ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ସାଇବର ଅପରାଧ ଓ ଡିଜିଟାଲ ଠକେଇ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି । ଦିନକୁ ଦିନ ଦେଶରେ ସାଇବର ଅପରାଧ ମାମଲା ବଢ଼ିବାରେ ଲାଗିଛି । ସାଇବର ସୁରକ୍ଷା ଦିଗରେ ସଚେତନ ହୋଇପାରିଲେ ଜଣେ ନାଗରିକ ଡିଜିଟାଲ କ୍ଷେତ୍ରରେ ନିଜକୁ ସୁରକ୍ଷା ଦେଇପାରିବ । ଏହାକୁ ରୋକିବା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ପିଲାଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି ।

ତେବେ ଯୁବପିଢ଼଼ି କିପରି ସାଇବର ଅପରାଧରୁ ରକ୍ଷା ପାଇ ପାରିବେ ସେନେଇ ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ସାଇବର ସୁରକ୍ଷା ପାଠ୍ୟକ୍ରମକୁ ଉଭୟ ୟୁଜି ଓ ପିଜି ଶ୍ରେଣୀରେ ଲାଗୁ କରିବାକୁ ୟୁଜିସି ପକ୍ଷରୁ ସିଲାବସ ପ୍ରସ୍ତୁତ କରାଯାଇଛି । ସମସ୍ତ ବିଶ୍ୱବିଦ୍ୟାଳୟ ଓ ସେମାନଙ୍କ ଅଧିନରେ ଥିବା କଲେଗୁଡ଼ିକରେ ଏହାକୁ ତୁରନ୍ତ ଲାଗୁ କରିବାକୁ ୟୁଜିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ବର୍ଷ ସାଇବର ଜାଗ୍ରତ ଦିବସ ଅବସରରେ ୟୁଜିସି ପକ୍ଷରୁ ସାଇବର ସୁରକ୍ଷା କୋର୍ସ ଲଞ୍ଚ କରାଯାଇଥିଲା । ଗତବର୍ଷ ଅକ୍ଟୋବର ମାସରେ ସାଇବର ସୁରକ୍ଷା ବାବଦରେ ୟୁଜିସି ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଥିଲା । ସାଇବର ସୁରକ୍ଷା ସିଲାବସକୁ ପାଠ୍ୟକ୍ରମରେ ସାମିଲ କରିବା ସଙ୍ଗେସଙ୍ଗେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ୟୁଜିସି ପକ୍ଷରୁ କୁହାଯାଇଥିଲା ।

ଅନ୍ୟପକ୍ଷରେ ସ୍କୁଲ ସ୍ତରର ପିଲାଙ୍କୁ ମଧ୍ୟ ସାଇବର ସୁରକ୍ଷା ଶିକ୍ଷା ଦିଆଯିବାକୁ ଷ୍ଟେଟ ଲେବଲ ବ୍ୟାଙ୍କର୍ସ କମିଟି (ଏସଏଲବିସି) ପକ୍ଷରୁ ଗୁରୁତ୍ୱାରୋପ କରାଯାଇଥିଲା । ନ୍ୟାସନାଲ ସେଣ୍ଟର ଫର ଫାଇନାନ୍ସିଆଲ ଏଜୁକେସନ (ଏନସିଏଫଇ) ପକ୍ଷରୁ ସାଇବର ସୁରକ୍ଷା ଓ ଡିଜିଟାଲ ଫ୍ରଡ ଇନ୍ ଅନଲାଇନ୍ ବ୍ୟାଙ୍କିଂ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା । ଏ ବାବଦରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ସୂଚନା ଦିଆଯାଇଥିଲା । ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ଏହି ପାଠ୍ୟକ୍ରମ ପଢ଼ାଇବା ନେଇ ସୁପାରିଶ କରାଯାଇଥିଲା ।

Get real time updates directly on you device, subscribe now.