fbpx
BJD SKY
BJD SKY

UGC ଆଣିଲା ନୂଆ ସୁବିଧା: ଛାତ୍ରଛାତ୍ରୀମାନେ BA, B.Sc ଓ B.Comର ୪ ବର୍ଷିଆ ପାଠ୍ୟକ୍ରମରେ ଆଡମିଶନ କରିପାରିବେ

BJD

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଶିକ୍ଷାନୀତି (ଏନଇପି)-୨୦୨୦ ଅଧିନରେ ଦେଶରେ ଶିକ୍ଷା କ୍ଷେତ୍ରରେ ଅଦ୍ଭୂତପୂର୍ବ ପରିବର୍ତ୍ତନ ଘଟିବାକୁ ଯାଉଛି । ନୂଆ ଶିକ୍ଷା ନୀତି ଆଧାରରେ ଦେଶରେ ଧୀରେଧୀରେ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି । ନୂଆ ଶିକ୍ଷା ନୀତି ଅନୁଯାୟୀ ଦେଶର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଧୀରେଧୀରେ ୪ ବର୍ଷିଆ ୟୁଜି ପ୍ରୋଗ୍ରାମ ଲାଗୁ ହେଉଛି । ମାତ୍ର ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ଏ କ୍ଷେତ୍ରରେ ପଛଘୁଞ୍ଚା ଦେଉଥିବା ଜଣାପଡ଼ିଛି ।

ଏନଇପି-୨୦୨୦ ଅଧିନରେ ଲାଗୁ ହୋଇଥିବା ୪ ବର୍ଷିଆ ୟୁଜି କୋର୍ସରେ ଛାତ୍ରଛାତ୍ରୀଙ୍କୁ ଅନେକ ଫାଇବା ମିଳିପାରିବ । ଏହାର ସବୁଠାରୁ ଖାସ ବେନିଫିଟ୍ ହେଉଛି ମଲ୍ଟିପଲ ଏଣ୍ଟ୍ରି ଓ ଏଗଜିଟ ସ୍କିମ । ମାତ୍ର ଏହା ଏବେ ପ୍ରାଥମିକ ସ୍ତରରେ ରହିଥିବାରୁ ଏ କ୍ଷେତ୍ରରେ କିଛି ସମସ୍ୟା ଦେଖଶଯାଉଛି । ଗତବର୍ଷ ଦିଲ୍ଲୀରେ ଏହାକୁ ଲାଗୁ କରାଯାଇଥିଲା । ସେ ସମୟରେ ନାମଲେଖାରେ ବିଳମ୍ବ ହେବା ସହ ସିଲାବସ କି ଶିକ୍ଷକ ପ୍ରସ୍ତୁତ କରାଯାଇ ନଥିଲା । ମାତ୍ର ଏବେ ଏହିସବୁ ସମସ୍ୟା ଏବେ ଧୀରେଧୀରେ ସୁଧୁରିବାରେ ଲାଗିଛି ।

ତେବେ ଚଳିତ ବର୍ଷ ଯେଉଁମାନେ ଆଡମିଶନ ନେବେ ସେମାନଙ୍କୁ ପୂର୍ବ ପରି ଆଉ ସମସ୍ୟାର ସାମ୍ନା କରିବାକୁ ପଡ଼ିବ ନାହିଁ । ରାଷ୍ଟ୍ରୀୟ ରାଜଧାନୀ ସ୍ଥିତ ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଡକ୍ଟର ଅମ୍ବେଦକର ବିଶ୍ୱବିଦ୍ୟାଳୟ ପରି ଆଇପି ୟୁନିଭରସିଟିରେ ଆଂଶିକ ଭାବେ ନୂଆ ବ୍ୟବସ୍ଥା ଲାଗୁ କରାଯାଇଛି । ଦେଶର ଅନ୍ୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ଧୀରେଧୀରେ ଏହାକୁ ଲାଗୁ କରୁଛନ୍ତି ।

ଯଦି ଆପଣ ବିଏ, ବିଏସସି, ବିକମ କରିଥିବେ, ତେବେ ଏହି ୪ ବର୍ଷିଆ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ । ୪ ବର୍ଷ ପରେ ବିଏ, ବିଏସସି ବା ବିକମ ଅନର୍ସ ସହ ରିସର୍ଚ୍ଚ ଡିଗ୍ରୀ ମିଳିବ । ସାରା ବିଶ୍ୱରେ ୟୁଜି କୋର୍ସର ଏହି ମଡେଲ ଚାଲିଛି । ତେଣୁ ମାଷ୍ଟର ଡିଗ୍ରୀ କରିବାକୁ ପାଇଁ ବାହାରକୁ ଗଲେ କୌଣସି ସମସ୍ୟା ଦେଖାଦେବ ନାହିଁ । ଦେଶରେ ବିଟେକ, ବି ଫାର୍ମ ଓ ଏମବିବିଏସ ପରି ଅନ୍ୟ ୪ ବର୍ଷିଆ ମେଡିକାଲ କୋର୍ସ ପୂର୍ବରୁ ରହିଛି । ଯଦି ଜଣେ ଗୋଟିଏ ବିଷୟ ବାଛିବ, ତେବେ ସେଥିରେ ରିସର୍ଚ୍ଚ ସହିତ ବହୁମୁଖୀ ଦକ୍ଷତା ବୃଦ୍ଧି କୋର୍ସ ମଧ୍ୟ ରହିଛି । ଯଦି କୌଣସି କାରଣରୁ ଜଣେ ତିନିବର୍ଷ ପରେ ଏହି କୋର୍ସ ଛାଡ଼ିଦେବ, ତେବେ ଡିଗ୍ରୀ ମିଳିବ । ଦୁଇ ବର୍ଷ ପଢ଼ା ସରିବା ପରେ ଡିପ୍ଲୋମା ଓ ଏକ ବର୍ଷ ପରେ ଛାଡ଼ିଲେ ସାର୍ଟିଫିକେଟ ମିଳିବ । ପୂର୍ବରୁ କୋର୍ସ ସରିବା ପରେ ହିଁ ଡିଗ୍ରୀ ମିଳୁଥିଲା । ଯଦି ଅଢ଼େଇ ବର୍ଷ ପରେ ଜଣେ ପାଠପଢ଼ା ଛାଡ଼ିଦେବ, ତେବେ ସେ କ୍ଷେତ୍ରରେ ସମୟ ଓ ଅର୍ଥ ବର୍ବାଦ ହେବ ।

ସୂଚନାଯୋଗ୍ୟ ଯେ, ଚଳିତ ଶିକ୍ଷାବର୍ଷଠାରୁ ଦେଶର ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟରେ ୪ ବର୍ଷିଆ ୟୁଜି କୋର୍ସ ଲାଗୁ କରିବା ନେଇ ପୂର୍ବରୁ ଯୋଜନା କରାଯାଇଥିଲା । ପ୍ରଥମେ ଦେଶର ୪୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏହା କାର୍ଯ୍ୟକାରୀ ହେବ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଗତବର୍ଷ ନଭେମ୍ବର ମାସରେ ସୂଚନା ଦିଆଯାଇଥିଲା । ମାତ୍ର ଛାତ୍ରଛାତ୍ରୀଙ୍କ ପାଇଁ ଏହି କୋର୍ସ ବାଧ୍ୟତାମୂଳକ ହେବ ନାହିଁ କୁହାଯାଇଥିଲା ।

Get real time updates directly on you device, subscribe now.