fbpx

ଯୁଦ୍ଧର ୫୬ ଦିନ ପରେ ଋଷ ରକ୍ଷାମନ୍ତ୍ରୀଙ୍କ ବୟାନ: ସରେଣ୍ଡର କଲେ ୟୁକ୍ରେନ ସେନାଙ୍କୁ ମିଳିବ ତ୍ରାହି

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୫୬ ଦିନରେ ପହଞ୍ଚିଛି । ଉଭୟ ଦେଶ ନିଜ ଜିଦରେ ଅଟଳ ଥିବା ବେଳେ ହାର ମାନିବାକୁ କେହି ରାଜି ନୁହଁନ୍ତି । ଋଷ ସେନା ଦିନକୁ ଦିନ ଆକ୍ରମଣର ଗତି ବଢାଇଚାଲିଛି । ଅନ୍ୟ ପକ୍ଷରେ ୟୁକ୍ରେନ ଦେଶକୁ ରକ୍ଷା କରିବା ପାଇଁ ଆମେରିକା ତଥା ଅନ୍ୟ ଦେଶମାନଙ୍କ ଠାରୁ ସହଯୋଗ ଭିକ୍ଷା କରୁଛି । ଋଷର ସମସ୍ତ ଆକ୍ରମଣକୁ କଡା ଜବାବ ଦେବା ପାଇଁ ୟୁକ୍ରେନ ଚେଷ୍ଟା ଜାରି ରଖିଛି । ତେବେ ଏହି ସମୟରେ ଋଷର ରକ୍ଷା ମନ୍ତ୍ରଣାଳୟ ତରଫରୁ ୟୁକ୍ରେନ ସେନାକୁ ଏକ ପ୍ରସ୍ତାବ ଦିଆଯାଇଛି । ୟୁକ୍ରେନ ସେନା ନିଜକୁ ଆତ୍ମସମର୍ପଣ କଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି କହିଛନ୍ତି ଋଷର ରକ୍ଷାମନ୍ତ୍ରୀ ।

ତେବେ ଋଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋବ ୟୁକ୍ରେନ ଉପରେ ହେଉତିବା ଯୁଦ୍ଧ କୌଶଳ ଉପରେ ଥିବା ଆଶଙ୍କାକୁ ଦୂର କରିଛନ୍ତି । ଋଷ କେବଳ ପାରମ୍ପରିକ ଅସ୍ତ୍ରଶସ୍ତ୍ରର ବ୍ୟବହାର କରିବ ଏବଂ ପରମାଣୁ ଅସ୍ତ୍ରକୁ ଯୁଦ୍ଧରେ ବ୍ୟବହାର କରିବ ନାହିଁ ବୋଲି କହିଛନ୍ତି ଲାବରୋବ । ଏହାସହିତ ୟୁକ୍ରେନରେ ଋଷ ସୈନ୍ୟର ଏକ ନୂଆ ଚରଣ ଆରମ୍ଭ ହୋଇଥିବା ସେ ପ୍ରକାଶ କରିଛନ୍ତି । ଆମେରିକା ସମେତ ଅନ୍ୟ ପଶ୍ଚିମ ଦେଶ ୟୁକ୍ରେନକୁ ଉସକାଇବା ଭଳି କଥା କହି ସାରା ଦୁନିଆ ଉପରେ ରାଜ କରିବାକୁ ଚିନ୍ତା କରୁଥିବା ସେ କହିଛନ୍ତି ।

ଋଷ ସେନାର ପ୍ରତ୍ୟେକଟି ଆକ୍ରମଣର କଡା ଜବାବ ଦେଉଥିବା କହିଛି ୟୁକ୍ରେନ । ପୁଣିଥରେ ନିଜ ଦୋନେଟସ୍କ ସହରକୁ ଋଷ କବଳରୁ ଦେଶ ମୁକ୍ତ କରିନେଇଛି । ବେଲାଋଷରୁ ସୈନ୍ୟ ଏକଜୁଟ କରି ଋଷ ଲଗାତାର ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଥିବା ଦାବି କରିଛି ୟୁକ୍ରେନ । ତେବେ ୟୁକ୍ରେନର ଦୋନବାସ ଉପରେ ଋଷର ସମ୍ପୂର୍ଣ୍ଣ ଫୋକସ ରହିତିବା କହିଛନ୍ତି ବ୍ରିଟେନର ରକ୍ଷା ମନ୍ତ୍ରାଳୟ ।

Get real time updates directly on you device, subscribe now.