fbpx

(Video) ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଷୟରେ ବଡ଼ ଶବ୍ଦ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ନବୀନ । କେନ୍ଦ୍ରମନ୍ତ୍ରୀ ହେବାରୁ ଜଣାଇଥିଲେ ଅଭିନନ୍ଦନ । ସୋସିଆଲ ମିଡିଆରେ ଜବାବ ଦେଲେ ଧର୍ମେନ୍ଦ୍ର । ନବୀନଙ୍କ ଉଦ୍ଦେଶ୍ୟରେ କହିଲେ ଏମିତି କଥା । କେନ୍ଦ୍ର ସରକାରରେ ମନ୍ତ୍ରୀ ପଦ ପାଇଥିବା ଓଡିଶାର ୩ ଜଣ ସାଂସଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବ ମୋଦି ସରକାରଙ୍କ ତୃତୀୟ ପାଳିରେ ମନ୍ତ୍ରୀ ପଦ ପାଇଛନ୍ତି । ଏମାନେ ସମସ୍ତେ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଆଉ ଏଥର ପୁଣି ଥରେ କେନ୍ଦ୍ର କ୍ୟାବିନେଟ୍‌ରେ ସ୍ଥାନ ପାଇ ଗତକାଲି ମନ୍ତ୍ରୀ ପଦର ଶପଥ ଗ୍ରହଣ କରିଛନ୍ତି ।

ଆଉ ଏହା ପରେ ଓଡିଶାର ଏହି ତିନି ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖିଆ ନବୀନ ପଟ୍ଟନାୟକ । ଧର୍ମେନ୍ଦ୍ର, ଜୁଏଲ୍ ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ଅଭିନନ୍ଦନ ଜଣାଇବା ସହିତ ସମସ୍ତେ ନିଜ ନିଜ ମନ୍ତ୍ରଣାଳୟରେ ଦେଶ ପାଇଁ ଏବଂ ଖାସ୍ କରି ଓଡିଶାର ଲୋକଙ୍କ ପାଇଁ ସଫଳତାର ସହିତ କାର୍ଯ୍ୟ କରନ୍ତୁ ବୋଲି ଟ୍ୱିଟ୍ କରି ଆଶା ପ୍ରକାଶ କରିଛନ୍ତି ନବୀନ । ଆଉ ନବୀନଙ୍କ ଏଭଳି ଟ୍ୱିଟ୍‌ର ଜବାବ ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବୀନଙ୍କ ଶୁଭେଚ୍ଛା ପାଇଁ ତାଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ।

ଆଉ କହିଛନ୍ତି, ଆପଣଙ୍କ ଭଳି ରାଷ୍ଟ୍ରନେତାଙ୍କ ପ୍ରେରଣାଦାୟୀ ଶବ୍ଦ ଅନେକ କିଛି ତାତ୍ପର୍ଯ୍ୟ ରଖୁଛି । ଆଶା, ଆକାଂକ୍ଷା ପୂରଣ କରିବା ସହିତ ଅଭିବୃଦ୍ଧି ପଥରେ ଆଗେଇବା ଏବଂ ବିକଶିତ ଓଡିଶା ଓ ବିକଶିତ ଭାରତର ଲକ୍ଷ୍ୟ ପୂରଣ ଦିଗରେ ଆମେ ଦେଇଥିବା ପ୍ରତିଶ୍ରୁତି ପାଳନରେ ବଦ୍ଧ ପରିକର ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କିଛି ଦିନ ପୂର୍ବରୁ ଯେତେବେଳେ ନିର୍ବାଚନ ପାଇଁ ପ୍ରଚାର ଚାଲିଥିଲା, ସେତେବେଳେ ଉଭୟ ଦଳର ନେତାମାନେ ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେକ କରୁଥିବାର ଦେଖିବାକୁ ମିଳୁଥିଲା । କିନ୍ତୁ ଆଜି ସେ ସମୟ ପଛରେ ପଡିଯାଇଛି । ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଉଭୟ ଦଳ ଯଥେଷ୍ଟ ସମ୍ମାନ କରୁଥିବାର ଏକ ସୁସ୍ଥ ପରମ୍ପରା ଦେଖିବାକୁ ମିଳିଛି ।

ନିର୍ବାଚନ ମୈଦାନରେ ପରସ୍ପରର ପ୍ରବଳ ପ୍ରତିଦ୍ୱନ୍ଦ୍ୱୀ ସାଜିଥିବା ଉଭୟ ଦଳର ଛାମୁଆ ନେତାଙ୍କ ମଧ୍ୟରେ ପରସ୍ପର ପ୍ରତି ସମ୍ମାନାଷ୍ପଦ ଆଚରଣ ଏକ ଭଲ ବାର୍ତ୍ତା ଦେଉଛି । ପ୍ରଥମେ ଓଡିଶାରୁ କେନ୍ଦ୍ରରେ ମନ୍ତ୍ରୀ ପଦ ପାଇଥିବା ସାଂସଦ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବିଦାୟୀ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ଏହା ପରେ ଏହି ଅଭିନନ୍ଦନ ବାର୍ତ୍ତାର ଉତ୍ତର ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖାଲି ଉତ୍ତର ରଖିନାହାଁନ୍ତି, ବରଂ ନବୀନଙ୍କ ସମ୍ମାନରେ ବହୁତ ବଡ ଶବ୍ଦ କହିଛନ୍ତି ଧର୍ମେନ୍ଦ୍ର । ପ୍ରତିପକ୍ଷ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ଷ୍ଟେଟ୍‌ସମ୍ୟାନ୍ ବୋଲି ସମ୍ବୋଧନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅର୍ଥାତ୍ ତାଙ୍କର ଏହି ଶବ୍ଦ ମାଧ୍ୟମରେ ନବୀନଙ୍କୁ ବଡ ସମ୍ମାନ ଜଣାଇବା ସହ ସିଧାସଳଖ ପ୍ରଶଂସା ମଧ୍ୟ କରିଛନ୍ତି । ନବୀନଙ୍କୁ ଜଣେ ରାଷ୍ଟ୍ରନେତା ବୋଲି କହିବା ସହ ତାଙ୍କର ଶବ୍ଦକୁ ପ୍ରେରଣାଦାୟୀ କହିଛନ୍ତି ଧର୍ମେନ୍ଦ୍ର । ଜାତୀୟ ସ୍ତରରେ ବାରମ୍ବାର ଏକନମ୍ବର ମୁଖ୍ୟମନ୍ତ୍ରୀ ଭାବେ ସ୍ୱୀକୃତିଲାଭ କରିଥିବା ଏବଂ ସମ୍ମାନିତ ହୋଇଥିବା ନବୀନ ପଟ୍ଟନାୟକଙ୍କ ସମ୍ମାନରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଷ୍ଟେଟ୍‌ସମ୍ୟାନ୍ ଭଳି ଉଚିତ୍ ଶବ୍ଦ ବ୍ୟବହାର କରିଛନ୍ତି ବୋଲି କୁହାଯାଉଛି । ନିଜ ବିପକ୍ଷ ଦଳର ସର୍ବୋଚ୍ଚ ନେତାଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ଏଭଳି ସମ୍ମାନସୂଚକ ଶବ୍ଦ ବ୍ୟବହାର ପାଇଁ ତାଙ୍କୁ ବେଶ୍ ପ୍ରଶଂସା କରାଯାଉଛି । ଏହା ଧର୍ମେନ୍ଦ୍ରଙ୍କ ରାଜନୈତିକ ପରିପକ୍ୱତା ଏବଂ ସୁସଂସ୍କାରକୁ ଦର୍ଶାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.