fbpx

ଖୁବଶୀଘ୍ର ହୋଇପାରେ ଟେସଲାର ଭାରତ ପ୍ରବେଶ: ଆଲୋଚନା ପାଇଁ ଏଲନ ମସ୍କଙ୍କୁ ଭେଟିବେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ

ନୂଆଦିଲ୍ଲୀ: ବହୁ ଶୀଘ୍ର ଭାରତରେ ପ୍ରବେଶ କରିବାକୁ ଯାଉଛି ଟେସଲା । କେନ୍ଦ୍ରୀୟ ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋୟଲ ଏ ନେଇ ଦିପାବଳୀ ପରେ ଟେସଲା ମାଲିକ ଏଲନ ମସ୍କଙ୍କ ସହ ଭେଟିବେ ବୋଲି ସୂଚନା ମିଳିଛି । ତେବେ ହେବାକୁ ଥିବା ଏହି ସାକ୍ଷାତକାରରେ ଟେସଲାର ଭାରତ ପ୍ରବେଶ ପାଇଁ ପଥ ଉନ୍ମୁକ୍ତ ହେବ ବୋଲି କୁହାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ, ଟେସଲା ଦକ୍ଷିଣ ଏସୀୟ ବଜାରରେ ପ୍ରବେଶ କରିବାକୁ ଚାହୁଁଛି । ତେବେ ଏଥି ପାଇଁ ସେ ଭାରତକୁ ସର୍ବୋତ୍ତମ ସ୍ଥାନ ଭାବେ ଚୟନ କରିଛି । ଏପରିକି ଚଳିତ ବର୍ଷ ଜୁନ ମାସରେ ମସ୍କ ନରେନ୍ଦ୍ର ମୋଦିଙ୍କୁ ଭେଟି ଭାରତରେ ପୁଞ୍ଜିନିବେଶ ପାଇଁ ଇଚ୍ଛାପ୍ରକାଶ କରିଥିଲେ । ଏଥି ସହିତ ଭାରତରେ ଟେସଲାର ଏକ କାରଖାନା ସ୍ଥାପନ କରିବାକୁ ମଧ୍ୟ ଲକ୍ଷ ରଖିଛନ୍ତି ମସ୍କ । ଏହା ଦ୍ୱାରା ୨୦ ଲକ୍ଷ ଟଙ୍କା ମୂଲ୍ୟର କାର ଭାରତୀୟ ବଜାରକୁ ଆଣିବା ପାଇଁ ସେ ଲକ୍ଷ ରଖିଥିବା କହିଛନ୍ତିି । ଏହା ଛଡ଼ା କାରର ଯନ୍ତ୍ରାଂଶ ଗୁଡ଼ିକର ସୋର୍ସିଂ ଏବଂ ଦେଶରେ ଚାର୍ଜିଂ ଭିତ୍ତିଭୁମି ସ୍ଥାପନ କରିବାକୁ ଇଚ୍ଛା ରଖିଥିବା ମଧ୍ୟ କହିଛନ୍ତି ।

ତେବେ ଟେସଲାକୁ ଭାରତ ଆଣିବା ରାସ୍ତାରେ ପ୍ରତିବନ୍ଧକ ସାଜିଛି ଆମଦାନୀ ଶୁଳ୍କ ବା ଇମପୋର୍ଟ ଡ୍ୟୁଟୀ । ବର୍ତ୍ତମାନ ଦେଶରେ ଇଲେକଟ୍ରୋନିକ ଯାନଗୁଡ଼ିକର ଆମଦାନୀ ଉପରେ ୧୦୦% ଟ୍ୟାକ୍ସ ଆଦାୟ କରାଯାୁଛି । ତେବେ ଏହାକୁ କମ କରିବା ପାଇଁ ଭାରତ ସରକାର ଇଭି ଯାନ ପାଇଁ ଏକ ନୂଆ ନୀତି ପ୍ରସ୍ତୁତ କରୁଛନ୍ତି । ଯାହା ଅଧୀନରେ ଉତ୍ପାଦନକାରୀ ସଂସ୍ଥା କେବଳ ୧୫% ଟ୍ୟାକ୍ସ ଦେଇ ଯାନଗୁଡ଼ିକୁ ଭାରତକୁ ଆଣିପାରିବେ । ଭାରତ ସରକାରଙ୍କ ଏଭଳି ମନୋଭାବ ଦେଖି ମସ୍କଙ୍କ ମନରେ ମଧ୍ୟ ଆଶା ବୃଦ୍ଧି ପାଇଛି । ତେବେ ଏ ବାବଦରେ ଉଭୟ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ ।

Get real time updates directly on you device, subscribe now.