ବ୍ରିଟେନରେ ଆଜି ଆସୁଛି ନିର୍ବାଚନ ରେଜଲ୍ଟ : ଏକଜିଟ୍ ପୋଲରେ ଋଷି ସୁନକ୍‌ଙ୍କୁ ଝଟକା ; ଲେବର ପାର୍ଟିକୁ ବହୁମତ

ଲଣ୍ଡନ : ବ୍ରିଟେନରେ ଜୁଲାଇ ୪ ରେ କୋଟି କୋଟି ଭୋଟର ଏକ ନୂତନ ସରକାର ବାଛିବା ପାଇଁ ଭୋଟ୍ ଦେଇଥିଲେ। ଆଜି ନିର୍ବାଚନ ଫଳାଫଳ ଆସୁଛି । ବ୍ରିଟେନରେ ନୂତନ ସରକାର ପାଇଁ ଭୋଟ୍ ଗଣନା କରାଯାଉଛି।

ଏଥି ସହିତ, ଏଥର ବ୍ରିଟେନରେ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିପାରେ, କାରଣ ମତଦାନରୁ ଜଣାପଡିଛି ଯେ କିର ଷ୍ଟାରମର ଲେବର ପାର୍ଟି କ୍ଷମତାକୁ ଆସିବ ଏବଂ ଋଷି ସୁନକ୍‌ଙ୍କ କଞ୍ଜରଭେଟିଭ୍‌ ପାର୍ଟିକୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିପାରେ।ଦୀର୍ଘ ୧୪ ବର୍ଷର ବ୍ୟବଧାନ ପରେ କ୍ଷମତା ପରିବର୍ତ୍ତନ ହେବାକୁ ଯାଉଛି। ଲେବର ପାର୍ଟି ଐତିହାସିକ ବିଜୟ ଦିଗରେ ଅଗ୍ରସର ହେବା ସହ କ୍ଷମତାକୁ ଫେରୁଛି। ଲେବର ପାର୍ଟି ନେତା କିର୍‌ ଷ୍ଟାର୍ମର ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ହୋଇପାରନ୍ତି।

ତେବେ ବ୍ରିଟେନ୍‌ର ଶାସକ କଞ୍ଜରଭେଟିଭ୍‌ ପାର୍ଟିରେ ଅନ୍ତର୍କଳହ ଯୋଗୁ ଦେଶ ଗତ ୮ ବର୍ଷରେ ୫ ପ୍ରଧାନମନ୍ତ୍ରୀ ଦେଖିଲାଣି। ୨୦୨୨ ଅକ୍ଟୋବର ଦୀପାବଳି ଦିନ ଋଷି ସୁନକ୍‌ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ। ଏଥିସହ ଦେଶର ୨୧୦ ବର୍ଷ ଇତିହାସରେ ସର୍ବକନିଷ୍ଠ ଏବଂ ପ୍ରଥମ ଅଣଶ୍ୱେତାଙ୍ଗ ପ୍ରଧାନମନ୍ତ୍ରୀ ରୂପେ ସେ ୧୦ ଡାଉନିଂ ଷ୍ଟ୍ରିଟ୍‌କୁ ପ୍ରବେଶ କରିଥିଲେ। କିନ୍ତୁ ପ୍ରାୟ ୨ ମାସ ତଳେ ସୁନକ୍‌ଙ୍କ କ୍ୟାବିନେଟ୍‌ରୁ ଜଣେ ପରେ ଜଣେ ମନ୍ତ୍ରୀ ଇସ୍ତଫା ଦେବା ପରେ ସେ ପାର୍ଲାମେଣ୍ଟକୁ ଭଙ୍ଗକରି ଆଗୁଆ ସାଧାରଣ ନିର୍ବାଚନ ପାଇଁ ଘୋଷଣା କରିଥିଲେ।

୬୫୦ ଆସନ ବିଶିଷ୍ଟ ବ୍ରିଟେନ୍‌ ପାର୍ଲାମେଣ୍ଟରେ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ହେଉଛି ୩୨୬। ଇଂଲଣ୍ଡ, ସ୍କଟ୍‌ଲାଣ୍ଡ, ଓ୍ବେଲ୍ସ ଓ ନର୍ଦ୍ଦର୍ନ ଆୟରଲାଣ୍ଡର ସମସ୍ତ ସଂସଦୀୟ ଆସନ ପାଇଁ ପ୍ରାୟ ୪୦,୦୦୦ ମତଦାନ କେନ୍ଦ୍ରରେ ଗୁରୁବାର ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲିଥିଲା। ମଇଦାନରେ ଦୁଇ ବଡ଼ ଦଳ ସମେତ ଲିବରାଲ ଡେମୋକ୍ରାଟ୍ସ, ଗ୍ରୀନ୍‌ ପାର୍ଟି, ସ୍କଟିଶ୍‌ ନ୍ୟାଶନାଲ ପାର୍ଟି, ଏସ୍‌ଡିଏଲ୍‌ପି, ଡେମୋକ୍ରାଟିକ୍‌ ୟୁନିୟନ୍‌ ପାର୍ଟି, ସିନ୍ନ ଫିଏନ୍‌, ପ୍ଲାଇଡ୍‌ ସିମ୍‌ରୁ, ଆଣ୍ଟି ଇମିଗ୍ରେଶନ୍‌ ରିଫର୍ମ୍‌ ପାର୍ଟିର ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିଲେ। ୪୬ ନିୟୁତରୁ ଊର୍ଦ୍ଧ୍ୱ ଭୋଟରଙ୍କ ମଧ୍ୟରୁ ଅଧିକାଂଶ ବାଲଟ୍‌ ଜରିଆରେ ରାଜନୈତିକ ମତାଧିକାର ସାବ୍ୟସ୍ତ କରି ନୂଆ ପ୍ରତିନିଧିଙ୍କୁ ବାଛିଛନ୍ତି।

ଶୁକ୍ରବାର ଭୋଟ ଗଣତି ପରେ ସ୍ଥାନୀୟ ସମୟ ସକାଳ ୭ଟା (ଭାରତୀୟ ସମୟ ପୂର୍ବାହ୍ନ ୧୧ଟା ୩୦ରେ) ଫଳାଫଳ ଘୋଷଣା କରାଯିବ। ଏଥିସହ ନୂଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବ। ପୋଲିଂ ଡେଟା ଏବଂ ବିଶେଷଜ୍ଞଙ୍କ ମତରେ ବିରୋଧୀ ଲେବର ପାର୍ଟି ସପକ୍ଷରେ ବିପୁଳ ମତଦାନ ହୋଇଛି। ତେଣୁ ଦୀର୍ଘ ୧୪ ବର୍ଷ ଧରି କ୍ଷମତାରୁ ଦୂରରେ ରହିଥିବା ଲେବର ପାର୍ଟିର ନେତା କିର୍‌ ଷ୍ଟାର୍ମରଙ୍କ ନେତୃତ୍ୱରେ ନୂଆ ସରକାର ଗଠନ ହୋଇପାରେ। ଲେବର ପାର୍ଟି କଞ୍ଜରଭେଟିଭ୍ସଙ୍କଠାରୁ ୨୦ ପଏଣ୍ଟ ଆଗରେ ଥିବା ଅଧିକାଂଶ ଓପିନିୟନ୍‌ ପୋଲ୍‌ରୁ ଜଣାପଡ଼ିଛି। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ କୋଭିଡ୍‌-୧୯ ଏବଂ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରିପ୍ରେକ୍ଷୀରେ ଉପୁଜିଥିବା ସ୍ଥିତିର ମୁକାବିଲା କରିବାରେ ବିଫଳତାକୁ ନେଇ ସେମାନଙ୍କ ସରକାରଙ୍କୁ ଦଣ୍ଡିତ କରିଛନ୍ତି। ବ୍ରିଟେନ୍‌ ମଧ୍ୟ ଏହି ଧାରାକୁ ଅନୁସରଣ କରିପାରେ।