fbpx

ଜିତିଲା ପ୍ରେମ: ୟୁପି ଯୁବତୀ ଭୁବନେଶ୍ୱରରେ ବିବାହ ଘଟଣାରେ ପୂର୍ଣ୍ଣଚ୍ଛେଦ ପକାଇଲେ କୋର୍ଟ, କହିଲେ …

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶେଷରେ ଝିଅର ପ୍ରେମ ପାଖରେ ହାରିଗଲା ବାପାଙ୍କ ଜିଦ୍ । ୟୁପି ଯୁବତୀ ଭୁବନେଶ୍ୱରରେ ବାହାଘର ଘଟଣାରେ ପଡିଲା ପୂର୍ଣ୍ଣଚ୍ଛେଦ ।  ୟୁପିରୁ ଚାଲିଆସିଥିବା ଆକାଂକ୍ଷାଙ୍କ ପକ୍ଷରେ ରହିଲା ନ୍ୟାୟ । ଯେହେତୁ ଯୁବତୀଙ୍କ ବୟସ ୧୮ ବର୍ଷରୁ ଅଧିକ, ସେ ସାବାଳିକା ଓ ନିଜ ବିଷୟରେ ନିଷ୍ପତ୍ତି ନେବାର ଅଧିକାର ତାଙ୍କର ଅଛି । ତେଣୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ସେ ଯେଉଁଠି ଚାହିଁବେ ରହି ପାରିବେ । ତା’ ପରେ ଆକାଂକ୍ଷା ନିଜ ସ୍ୱାମୀଙ୍କ ପାଖରେ ଭୁବନେଶ୍ୱରରେ ରହିବେ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ରାଜ କିଶୋର ଦାସ । କୋର୍ଟଙ୍କ ରାୟ ପରେ ଅପହରଣ ଅଭିଯୋଗ ଆଣିଥିବା ଆକାଂକ୍ଷାଙ୍କ ପରିବାର ଲୋକେ ଉତ୍ତରପ୍ରଦେଶ ଫେରିଛନ୍ତି ।

ଘରୁ ପଳେଇ ଆସି ଭୁବନେଶ୍ୱରରେ ଥିବା ନିଜ ପ୍ରେମିକଙ୍କୁ ବିବାହ କରିବା ପରେ ଏହି ଯବତୀଙ୍କୁ ଖୋଜି ଖୋଜି ଗୋରଖପୁର ପୋଲିସ ଭୁବନେଶ୍ୱରରେ ପହଞ୍ଚିଥିଲା ଓ ତାଙ୍କୁ ଘରକୁ ଫେରାଇ ନେବାକୁ ଚାହୁଁଥିଲା । ଏହାକୁ ନେଇ ଉଭୟ ରାଜ୍ୟର ପୋଲିସ ମଧ୍ୟରେ ଚାଲିଥିବା ଛକାପଞ୍ଝା ଦେଖିବାକୁ ମିଳିଥିଲା ।

ସୂଚନା ମୁତାବକ, ଗୋରଖପୁରର ଯୁବତୀ ଆକାଂକ୍ଷା ସିଂଙ୍କ ସହ ଏୟାରଫିଲଡ୍ ଥାନା ଅଞ୍ଚଳର ଜଣେ ଯୁବକଙ୍କ ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଉତ୍ତରପ୍ରଦେଶ ଯାଇ ସେଠାରେ ଯୁବତୀଙ୍କୁ ବିବାହ କରିବା ଯୁବକଙ୍କ ପାଇଁ ବିପଦପୂର୍ଣ୍ଣ ଥିବାରୁ ଯୁବତୀଜଣଙ୍କ ନିଜ ଇଚ୍ଛାରେ ଓଡ଼ିଶା ଚାଲି ଆସିଥିଲେ । ଗତ ୧୬ ତାରିଖରେ ଯୁବତୀ ଜଣକ ଘରୁ ପଳାଇଆସିଥିଲେ । ଏଠାରେ ପହଞ୍ଚିବା ପରେ ସେ ପ୍ରେମିକଙ୍କୁ କୋର୍ଟରେ ବିବାହ ମଧ୍ୟ କରିଥିଲେ । ପରେ ଏ ସଂପର୍କରେ ଯୁବତୀଜଣଙ୍କ ତାଙ୍କ ପରିବାରଲୋକଙ୍କୁ ସବୁ କଥା ଜଣାଇ ଦେଇଥିଲେ । କିନ୍ତୁ ପରିବାର ଲୋକ ଏହାକୁ ବିରୋଧ କରିଥିଲେ । ଆକାଂକ୍ଷା ନାବାଳିକା ଓ ଭୁବନେଶ୍ୱରର ଜଣେ ଯୁବକ ତାଙ୍କୁ ଅପହରଣ କରିନେଇଛି ବୋଲି ତାଙ୍କ ପିତା ଗୋରଖପୁର ଥାନାରେ ଅଭିଯୋଗ କରି ଯୁବତୀଙ୍କୁ ସାଙ୍ଗରେ ନେଇଯିବାକୁ ଉଦ୍ୟମ କରିଥିଲେ ।

ଫଳରେ ଯୁବତୀ ଜଣକ କମିଶନରେଟ ପୋଲିସର ଦ୍ୱାରସ୍ଥ ହୋଇଥିଲେ । ଯୁବତୀଙ୍କ ବୟାନ ଅନୁସାରେ,- ‘ମୁଁ ସାବାଳିକା ହେଲେ ମୋତେ ନାବାଳିକା ଦର୍ଶାଇ,ୟୁପି ପୋଲିସ ଜରିଆରେ ମୋତେ ଓଡିଶାରୁ ଉଠାଇ ନେବାକୁ ଚାଁହୁଛନ୍ତି ବାପା । ମନର ମଣିଷକୁ ବିବାହ କରି ସାରିବା ପରେ,ମୁଁ ଏବେ ମୋ ସ୍ୱାମୀଙ୍କ ସହ ରହିବାକୁ ଚାଁହୁଁଛି I କିନ୍ତୁ ମୋ ବାପା ୟୁପିର ଜଣେ ପ୍ରଭାବଶାଳୀ ଲୋକ ହୋଇଥିବାରୁ ମୋତେ ପୁଲିସ ଜରିଆରେ ଉଠେଇ ନେବାକୁ ଚାଁହୁଛନ୍ତି I’

ତାଙ୍କୁ ୧୮ ବର୍ଷ ପୂରି ଯାଇଥିବାରୁ ସେ ଜଣେ ସାବାଳିକା ଏବଂ ନିଜ ଇଚ୍ଛାରେ ସେ ଯୁବକଙ୍କୁ କୋର୍ଟରେ ବିବାହ କରିଛନ୍ତି ବୋଲି ଆକାଂକ୍ଷା ପୋଲିସକୁ ଜଣାଇବା ସହ ପ୍ରମାଣପତ୍ର ବାବଦକୁ ନିଜ ଆଧାରକାର୍ଡ ଓ ମାଟ୍ରିକ୍‌ ସାର୍ଟିଫିକେଟ୍‌ ମଧ୍ୟ ଦେଖାଇଥିଲେ। ଏସବୁ ପ୍ରମାଣ ଦେଖିଲା ପରେ ଏୟାରଫିଲଡ଼୍‌ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତରପ୍ରଦେଶ ପୋଲିସ ଟିମ୍‌କୁ ବାଧା ଦେଇଥିଲା। ଯୁବତୀଙ୍କ ପାଇଁ ୟୁପି ପୋଲିସ ଓ ଓଡିଶା ପୋଲିସ ମୁହାଁମୁହିଁ ହୋଇଥିଲେ ।

Get real time updates directly on you device, subscribe now.