Breaking: ବିଳମ୍ୱିତ ରାତିରେ ହସ୍ପିଟାଲରେ ଭର୍ତ୍ତି ହେଲେ ଉପରାଷ୍ଟ୍ରପତି

ବିଳମ୍ୱିତ ରାତିରେ ଛାତିରେ ଯନ୍ତ୍ରଣା ହେବାରୁ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ତାଙ୍କ ଏବେ ଅବସ୍ଥା ସ୍ଥିର ଅଛି।

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଉପରାଷ୍ଟ୍ରପତି। ବିଳମ୍ୱିତ ରାତିରେ ଛାତିରେ ଯନ୍ତ୍ରଣା ହେବାରୁ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଏବେ ସ୍ଥିର ଅଛି। ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ସୂଚନାନୂସାରେ, ତାଙ୍କୁ ହୃଦରୋଗ ବିଭାଗର ମୁଖ୍ୟ ଡାକ୍ତର ରାଜୀବ ନାରଙ୍ଗଙ୍କ ତତ୍ତ୍ୱାବଧାନରେ କ୍ରିଟିକାଲ୍ କେୟାର ୟୁନିଟ୍ (CCU)ରେ ଭର୍ତ୍ତି କରାଯାଇଛି।

ରାତି ୨ଟାରେ ତାଙ୍କୁ ଏମ୍ସକୁ ଅଣାଯାଇଥିଲା। ଡାକ୍ତରଙ୍କ ଏକ ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି। ତାଙ୍କର ସମସ୍ତ ହୃଦୟ ସମ୍ବନ୍ଧୀୟ ସମସ୍ତ ପରୀକ୍ଷା କରାଯାଇଛି। ତେବେ ୭୩ ବର୍ଷୀୟ ଜଗଦୀପ ଧନଖଡ଼ ଦେଶର ୧୪ତମ ଉପରାଷ୍ଟ୍ରପତି ଅଟନ୍ତି।

ଏହା ପୂର୍ବରୁ ସେ ୨୦୧୯ ରୁ ୨୦୨୨ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ୨୦୧୯ ଜୁଲାଇ ୨୦ରେ ତାଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା। ରାଜ୍ୟପାଳ ହେବା ପୂର୍ବରୁ ସେ ଭାରତୀୟ ଜନତା ପାର୍ଟିର ସଦସ୍ୟ ଥିଲେ।

୧୬ ଜୁଲାଇ, ୨୦୨୨ରେ, ଜଗଦୀପ ଧନଖରଙ୍କୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଦ୍ୱାରା ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ମନୋନୀତ କରାଯାଇଥିଲା। ସେ ୧୯୮୯-୯୧ ମଧ୍ୟରେ ୯ମ ଲୋକସଭାରେ ଜନତା ଦଳକୁ ପ୍ରତିନିଧିତ୍ୱ କରି ରାଜସ୍ଥାନର ଝୁନଝୁନୁ (ଲୋକସଭା ନିର୍ବାଚନମଣ୍ଡଳୀ)ରୁ ସାଂସଦ ଥିଲେ।

ସେ ୧୯୯୩-୯୮ ମଧ୍ୟରେ ରାଜସ୍ଥାନର ଦଶମ ବିଧାନସଭା ପାଇଁ କିଶନଗଡ଼ରୁ ନିର୍ବାଚନ ଜିତିଥିଲେ। ସେ ଜୟପୁରର ରାଜସ୍ଥାନ ହାଇକୋର୍ଟ ବାର ଆସୋସିଏସନର ସଭାପତି ମଧ୍ୟ ରହିସାରିଛନ୍ତି। ଜଗଦୀପ ଧନଖଡ଼ଙ୍କ ରାଜନୈତିକ କ୍ୟାରିଅର ପ୍ରାୟ ୩୦ ବର୍ଷର।

ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ସରକାରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଲୋକସଭା ହେଉ କି ବିଧାନସଭା, ସେ ଯେଉଁ ଗୃହର ସଦସ୍ୟ ଥିବେ, ସେ ସବୁର ଗୁରୁତ୍ୱପୂର୍ଣ୍ଣ କମିଟିର ଅଂଶ ରହିଆସିଛନ୍ତି।