fbpx

(Video) ରାଜ୍ୟ ରାଜପଥର ମଝିରାସ୍ତାରେ ଗଛ ପୋତିଲେ ଲୋକେ, ହେଲେ କାହିଁକି?

ଓଡିଶା ଭାସ୍କର; ରାଜ୍ୟ ରାଜପଥର ମଝିରାସ୍ତାରେ ଗଛ ପୋତିଲେ ଲୋକେ । ବାଲେଶ୍ୱର ଭଦ୍ରକ-ଜିଲ୍ଲାକୁ ସଂଯୋଗ କରୁଥିବା କୁପାରି-ରାଣୀତାଲ ରାସ୍ତାର ସୁଜିପୁର ନିକଟରେ ରାସ୍ତା କାମ ଚାଲୁଥିବା ଦେଖିବାକୁ ମିଳିଛି । ଏଥିପାଇଁ ୧୨ କୋଟି ଟଙ୍କା ବ୍ୟୟ ବରାଦରେ ପୂର୍ତ୍ତ ବିଭାଗ ପକ୍ଷରୁ ଖର୍ଚ୍ଚ କରାଯାଉଥିବା ସୂଚନା ରହିଛି । ହେଲେ ରାସ୍ତା କାମ ନସରୁଣୁ ଡୁଙ୍ଗୁରା ପଞ୍ଚାୟତ ସୁଜିପୁର ଛକରେ ରାସ୍ତା ଫାଟି ଆଁ କଲାଣି । ରାସ୍ତା ମଝିରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇ ଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ଦିନ ଏହି ରାସ୍ତାରେ ଶହ ଶହ ଲୋକ ଯାତାୟାତ କରିଥାନ୍ତି । ତେବେ ରାସ୍ତାରେ ଗାତ ହୋଇଥିବାରୁ ଲୋକଙ୍କ ଜୀବନ ପ୍ରତି ଏବେ ବିପଦ ଥିବା ଆଶଙ୍କା କରାଯାଉଛି । ଏହି ରାସ୍ତାରେ ବିରାଟ ଗାତ ହୋଇଥିବାରୁ ବହୁ ଯାନବାହନ ଚାଳକ ସେଠାରେ ପଡି ଆଘାତ ମଧ୍ୟ ହେଉଛନ୍ତି । ଏପରିକି ରାତି ଅଧିଆ ଚାଳକଙ୍କ ପାଇଁ ବଡ଼ ଦୁର୍ଘଟଣାର ମଧ୍ୟ ସମ୍ଭାବନା ରହିଛି ।

ସେପଟେ ରାସ୍ତା ମଝିରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇ ଥିବା ବେଳେ ସ୍ଥାନୀୟ ଲୋକେ ମଝି ରାସ୍ତାରେ ଗଛ ପୋତି ଲୋକଙ୍କୁ ସତର୍କ କରାଇଛନ୍ତି । କାମରେ ନିମ୍ନମାନର କଞ୍ଚାମାଲ ଏବଂ ପିଚୁ ବ୍ୟବହାର କରା ଯାଉଥିବା ସ୍ଥାନୀୟ ଲୋକମାନେ ମଧ୍ୟ ଅଭିଯୋଗ ଆଣିଛନ୍ତି । ଏପରିକି କାମ ବେଳେ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହୁ ନଥିବାରୁ ଠିକାଦାର ମନମୁଖୀ ଭାବେ କାମ କରୁଥିବା ଲୋକେ ଅଭିଯୋଗ କରିଛନ୍ତି । ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କାର ଦୁର୍ନୀତି ହେଉଥିବାର ଗନ୍ଧ ସ୍ପଷ୍ଟ ବାରି ହୋଇ ପଡ଼ୁଛି ବୋଲି କୁହାଯାଉଛି ।

୧୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏହି ରାସ୍ତାର ସ୍ଥାୟୀତ୍ୱକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି । ତେବେ ଏନେଇ ବିଭାଗୀୟ ଅଧିକାରୀ ନରେଶ ସିଂଙ୍କୁ ପଚାରିବାରୁ ପୂର୍ବରୁ ରାସ୍ତାର ୧୦ରୁ ୧୫ଫୁଟ ତଳେ ଏକ ପାଣି ପାଇପ ପଡ଼ିଥିଲା ଫଳରେ ଏବେ ବର୍ଷା ଯୋଗୁଁ ତାହା ଫଟି ଗାତ ହୋଇଥିବା ଶ୍ରୀ ସିଂ ସଫେଇ ଦେଇଛନ୍ତି । ସେପଟେ ତୁରନ୍ତ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

Get real time updates directly on you device, subscribe now.