fbpx

ଚଢ଼ାଉ ବେଳେ ପ୍ରଶାସନ ସହ ମୁହାଁମୁହିଁ ହେଲେ ଗ୍ରାମବାସୀ, ଭାଙ୍ଗିଲେ ତହସିଲ ଗାଡ଼ି

ରାଜସ୍ୱ ବିଭାଗ କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ । ଅଭିଯୋଗ ପରେ ଗିରଫ ହେଲେ ସ୍ଥାନୀୟ ସରପଞ୍ଚ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜଲେଶ୍ୱର ତହସିଲ ଅନ୍ତର୍ଗତ ବାଲିଆପାଳ ଗାଁରେ । ମନେରେଗା କାର୍ଯ୍ୟ ଦର୍ଶାଇ ସୁବର୍ଣ୍ଣରେଖା ନଦୀରୁ ବାଲି ଚୋରି କରାଯାଉଥିଲା । ଆଉ ପଚାରିବାରୁ ରାଜସ୍ୱ ବିଭାଗ କର୍ମଚାରୀଙ୍କୁ ଆକ୍ରୋଶ ମୂଳକ ଆକ୍ରମଣ କରିଥିଲେ ।

ବାଲିଆପାଳ ଗାଁରେ ମନୋରେଗା କାର୍ଯ୍ୟର ନାଁ କହି ସୁବର୍ଣ୍ଣରେଖା ନଦୀରୁ ୧୦୦ରୁ ଉର୍ଦ୍ଦ୍ୱ ଲୋକେ ବହୁ ଟ୍ରାକ୍ଟର ସାହାଯ୍ୟରେ ବାଲି ଉଠାଉଥିଲେ । ଖବର ପାଇ ରାଜସ୍ୱ ବିଭାଗର ଏକ ଟିମ୍ ଯାଞ୍ଚ ପାଇଁ ଯାଇଥିଲା । ଘଟଣାସ୍ଥଳରେ ଗ୍ରାମବାସୀମାନେ ତହସିଲ ଗାଡିକୁ ଭଙ୍ଗାରୁଜା କରିଥିଲେ । ଏହାସହ ଘଟଣାକୁ ଚପେଇ ଦେବା ପାଇଁ ଉଦ୍ୟମ କରିବା ସହ ରାଜସ୍ୱ କର୍ମଚାରୀଙ୍କ ମୋବାଇଲ ଛଡାଇ ନେଇଥିଲେ ଲୋକେ ।

ଘଟଣାସ୍ଥଳରେ ଗୋଟିଏ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛି । ଆକ୍ରମଣ କରିଥିବା ଲୋକମାନଙ୍କୁ ପୁଲିସ ଖୋଜୁଛି । ୩ ଜଣ ରାଜସ୍ୱ ଅଧିକାରୀ ଓ ଡ୍ରାଇଭର ପୁଲିସ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବାଲି ଉତ୍ତୋଳନ ନେଇ ଦୀର୍ଘଦିନ ଧରି ଅଭିଯୋଗ ହୋଇଆସୁଥିଲା ଏବଂ ସ୍ଥାନୀୟ ସରପଞ୍ଚଙ୍କ ତତ୍ତ୍ୱାବଧାନରେ ଆକ୍ରମଣ କରାଯାଇଛି ବୋଲି ତହସିଲଦାର କହିଛନ୍ତି । ଏନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ସ୍ଥାନୀୟ ସରପଞ୍ଚ ଧୂର୍ବଜ୍ୟୋତି ଗିରିଙ୍କୁ ଗିରଫ କରିଛି ପୁଲିସ ।

Get real time updates directly on you device, subscribe now.