ଗଞ୍ଜାମ: ୨୪ ବର୍ଷର ସରକାର ବିକାଶର ଖାଲି ଡିଣ୍ଡିମ ପିଟି ଚାଲିଥିଲା । କିନ୍ତୁ ଏବେ ବି ଅନେକ ଉପାନ୍ତ ଅଞ୍ଚଳରେ ରାସ୍ତାଘାଟ ଠିକ୍ ନଥିବା ଯୋଗୁଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ । ବାରମ୍ବାର ପ୍ରଶାସନକୁ ଏବିଷୟରେ ଅବଗତ କରାଇବା ପରେ ମଧ୍ୟ କିଛି ସୁଫଳ ମିଳିପାରିନଥିଲା । ଗଞ୍ଜାମରୁ କନ୍ଧମାଳକୁ ସଂଯୋଗ କରୁଥିବା ରାସ୍ତାର ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ।
ଗଞ୍ଜାମରୁ କନ୍ଧମାଳକୁ ସଂଯୋଗ କରୁଥିବା ରାସ୍ତା ଉପରେ ପ୍ରାୟ ୨୦ ଖଣ୍ଡ ଗାଁ ଲୋକେ ନିର୍ଭର କରନ୍ତି । ଶାସନ କାଳ ମଧ୍ୟରେ ମାତ୍ର ୨-୩ କିମି ରାସ୍ତା ତିଆରି କରି ପାରିନଥିଲା ପୂର୍ବ ସରକାର । ଏହି ରାସ୍ତାର ଅବସ୍ଥା କହିଲେ ନସରେ । କିନ୍ତୁ ପ୍ରଶାସନର ଦାୟିତ୍ୱହୀନତା ସାମ୍ନାରେ ହାର ମାନିଲେନି ଗାଁର ମହିଳା । ଏକାଠି ହୋଇ ନିଜେ ପଥର ଟେକିଲେ । ନିଜେ କୋଦାଳ ଧରି ମାଟି ଖୋଳିଲେ । ଦୁଇରୁ ୩ କିଲୋମିଟର ରାସ୍ତାକୁ ସୁନ୍ଦର କରିବାରେ ଲାଗି ପଡ଼ିଛନ୍ତି ମହିଳା । ସାଇକେଲଟିଏ ଧରି ବି ଏହି ରାସ୍ତାରେ ଯିବା ସମ୍ଭବ ନୁହେଁ । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ରଣବା, କରଡ଼ା, ଇନ୍ଦ୍ରଗଡ଼ ଭଳି ତିନୋଟି ପଞ୍ଚାୟତର ବାଦଗଡ଼,ନୁଆଁ କାନସୁରୁ, ପୁରୁଣା କାନସୁରୁ, ନୂଆଁପଲ୍ଲୀ, ଡେଙ୍ଗାଖମଣ, ବଡ଼ଖମଣ, ଗାନ୍ଧାରୀଭୁଇଁ, ମାଣ୍ଡିଆଖମଣ,ସିକରିଗୁଡା, ସଲପଗୁଡ଼ା, ପାଇକ ଗଣ୍ଡା, ବରଡ଼ା,ଇନ୍ଦ୍ରଗଡ଼,କଙ୍କଡମ୍ବା, ମାଙ୍କଡ଼ଗଣ୍ଡା, ଦାରଜୁ, ଭିତରଯୋଡ଼ି ଭଳି ଗ୍ରାମର ଲୋକମାନେ ଏହି ରାସ୍ତା ଦେଇ ସୋରଡ଼ାକୁ ନିଜର ବ୍ୟକ୍ତିଗତ କାମଠୁ ଆରମ୍ଭକରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ଆସିବା କରିବାପାଇଁ ନିର୍ଭର କରନ୍ତି ଏହି ରାସ୍ତା ଏତେ ଖରାପ ଯେ ଗର୍ଭବତୀ ମହିଳା ମାନଙ୍କୁ ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପାଇଁ ଅସୁବିଧା ହେବା ସହ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ସେବାରୁ ମଧ୍ୟ ବଞ୍ଚିତ ରହୁଥିବା କହୁଛନ୍ତି ଗ୍ରାମବାସୀ ଓ ଆଶା କର୍ମୀ । ଏମିତି କି ମା ସହ ସନ୍ତାନ ହରାଇଥିବା କଥା ମଧ୍ୟ କେମେରା ସାମ୍ନାରେ କହିଛନ୍ତି ଆଶା କର୍ମୀ ।
ବର୍ତ୍ତମାନ ଗ୍ରାମବାସୀ ଚାନ୍ଦା କରି ନିଜ ଖର୍ଚ୍ଚରେ ଏହି ରାସ୍ତାକୁ ନିର୍ମାଣ କରୁଥିବା ଦେଖିବାକୁ ମିଳିଛି । ହାତରେ କୋଡ଼ି କୋଦାଳ ,ଶାବଳ ଧରି ଶହ ଶହ ଆଦିବାସୀ ଏହି ରାସ୍ତା ନିର୍ମାଣ ପାଇଁ ଓହ୍ଲାଇଛନ୍ତି । ଏହା ସହ ବର୍ତ୍ତମାନର ସରକାରଙ୍କୁ ଅନୁରୋଧ କରିଛନ୍ତି ଏହି ରାସ୍ତା ଉପରେ ନଜର ପକେଇବା ସହ ତାହାର ସମ୍ପୁର୍ଣ୍ଣ ନିର୍ମାଣ କରିବା ପାଇଁ କ୍ଷ ଏହି ରାସ୍ତାଟି ନିର୍ମାଣ ହେଲେ ଏହି ତିନି ଖଣ୍ଡ ପଞ୍ଚାୟତର ୨୦ ଖଣ୍ଡ ଗ୍ରାମର ଗ୍ରାମବାସୀ ଉପକୃତ ହୁଅନ୍ତେ ।