fbpx

ପିମ୍ପୁଡ଼ି ଆତଙ୍କରେ ଗ୍ରାମବାସୀ ଥରହର: ରାଣୀ ପିମ୍ପୁଡ଼ିକୁ ଖୋଜୁଛି ବିଶେଷଜ୍ଞ ଟିମ୍

ପିପିଲି, (ଓଡ଼ିଶା ଭାସ୍କର) : ପିପିଲି ଚନ୍ଦ୍ରାଦେଈପୁର ପଞ୍ଚାୟତ ବ୍ରାହ୍ମଣ ସାହିରେ ଲାଲ୍ ପିମ୍ପୁଡ଼ିଙ୍କ ଆତଙ୍କ ଥମିବାର ନାଁ ନେଉନାହିଁ । ପିମ୍ପୁଡ଼ି ଭୟରେ ଅତିଷ୍ଠ ହୋଇ ୩ଟି ପରିବାର ଇତିମଧ୍ୟରେ ଗାଁ ଛାଡ଼ିଥିବାବେଳେ ସୋମବାର ଓୟୁଏଟିର ଏକ ୪ ଜଣିଆ ଟିମ୍ ବ୍ରାହ୍ମଣସାହିରେ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି । ସେମାନେ ରାଣୀ ପିମ୍ପୁଡ଼ିକୁ ଖୋଜିବାରେ ଲାଗିଛନ୍ତି । ରାଣୀ ପିମ୍ପୁଡ଼ି ଧରାପଡ଼ିଲେ ପିମ୍ପୁଡ଼ି ଉତ୍ପାତରୁ ଲୋକଙ୍କୁ ବଞ୍ଚାଇ ହେବ ବୋଲି ବିଶେଷଜ୍ଞ ଟିମ୍ ମତ ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଲଘୁଚାପଜନିତ ବର୍ଷା ଯୋଗୁଁ ପିପିଲି ଅଧିବାସୀ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ । ସେମାନେ ଏ ପର୍ଯ୍ୟନ୍ତ ଅଣ୍ଟା ସଳଖି ଛିଡ଼ା ହେବା ପାଇଁ ସମର୍ଥ ହୋଇନଥିବାବେଳେ ଏବେ ପିମ୍ପୁଡ଼ି ଚିନ୍ତା ସେମାନଙ୍କୁ ବ୍ୟତିବ୍ୟସ୍ତ କରିପକାଉଛି । ଘରେ ଓ ବାହାରେ ସବୁଆଡ଼େ ପିମ୍ପୁଡ଼ିଧାର । ଏହି ପିମ୍ପୁଡ଼ିଙ୍କ ଉତ୍ପାତ ଯୋଗୁଁ ନା ଘର କାମ କରୁଛନ୍ତି ନା ବିଲବାଡ଼ିକୁ ଯାଇପାରୁଛନ୍ତି । ପିମ୍ପୁଡ଼ି କାମୁଡ଼ୁଥିବା ଲୋକଙ୍କ ଗୋଡ଼ ଫୁଲିଯାଉଥିବା ଦେଖିବାକୁ ମିଳୁଛି ।

ଓୟୁଏଟିର ବରିଷ୍ଠ ବୈଜ୍ଞାନିକ ଡକ୍ଟର ସଞ୍ଜୟ କୁମାର ମହାନ୍ତି କହିଛନ୍ତି, ବନ୍ୟାପାଣି ପିମ୍ପୁଡ଼ିଙ୍କ ଗାତରେ ପଶିଯାଇଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ସେମାନେ ଗଛ ଛାଇ ଓ ବାଲିଗଦାରେ ରହିବା ସହ ଖାଦ୍ୟ ପାଇଁ ଏଣେତେଣେ ବୁଲୁଛନ୍ତି । ପିମ୍ପୁଡ଼ି ବାହାରୁଥିବା ସ୍ଥାନରେ ଔଷଧ ସିଞ୍ଚନର ଆବଶ୍ୟକତା ରହିଛି । ତେବେ ପିପିଲି ବିଡ଼ିଓ ରଶ୍ମିତା ନାଥ କହିଛନ୍ତି ଯେ, ସୋମବାର ଠାରୁ ଔଷଧ ସିଞ୍ଚନ ଆରମ୍ଭ ହୋଇଛି । ୨ରୁ ୩ ଦିନ ଭିତରେ ଏହି ଉପଦ୍ରବ କମିଯିବ ।

ବର୍ଷା ପରେ ଗାଁ ଚାରିପାଖରେ ଅନାବନା ଗଛ ଉଠିବା ସହ ଜଙ୍ଗଲିଆ ପରିବେଶ ସୃଷ୍ଟି ହୋଇଛି । ତେଣୁ ଅନାବନା ଗଛକୁ କାଟିବା ପାଇଁ ସ୍ଥାନୀୟ ସରପଞ୍ଚଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବିଡିଓ କହିଛନ୍ତି । ସୂଚନାଯୋଗ୍ୟ ଯେ, ଏହି ଲାଲ୍ ପିମ୍ପୁଡ଼ି ପାଇଁ ଗତ କିଛି ଦିନ ହେବ ବ୍ରାହ୍ମଣ ସାହିର ୪ଶହରୁ ଊଦ୍ଧ୍ୱର୍ ଲୋକ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ।

Get real time updates directly on you device, subscribe now.