ଟୁଇଟରରେ ଭାଇରାଲ୍ ହେଉଛି ଜେଇଇ ପରୀକ୍ଷାର୍ଥୀଙ୍କ ଟାଇମ୍‌ଟେବୁଲ୍‌, ସଫଳ ହେବାକୁ ହେଲେ କରିବାକୁ ପଡିବ ଏପରି ପରିଶ୍ରମ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜେଇଇ ପାଇଁ ପ୍ରସ୍ତୁତ ହେଉଥିବା ଶିକ୍ଷାର୍ଥୀଙ୍କ ଟାଇମଟେବୁଲ୍ ଏବେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଏହି ଟାଇମଟେବୁଲରେ ଶୋଇବା ଠାରୁ ଅଧିକ ସମୟ ପଢାରେ ଦିଆଯାଇଛି । ଏହି ଟାଇମଟେବୁଲରେ ପରୀକ୍ଷାର୍ଥୀ ଖାଇବା, ଶୋଇବା ଓ ପଢିବା ବ୍ୟତିତ କୌଣସି ଅନ୍ୟ କାମ ପାଇଁ ସମୟ ରଖି ନାହାନ୍ତି ।
ଦେଶର ୨୩ ଆଇଆଇଟି ସଂସ୍ଥାନରେ ଇଂଜିନିୟରିଂ, ସାଇନ୍ସ ଓ ଆର୍କିଟେକ୍ଟ କୋର୍ସରେ ପଢିବା ଲାଗି ଜେଇଇ, ଜେଇଇ ଆଡଭାନ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଏତେ ସହଜ ନୁହେଁ । ଏହା ଏକ ରାଷ୍ଟ୍ରୀୟ ସ୍ତରର ଇଂଜିନିୟରିଂ ପ୍ରବେଶ ପରୀକ୍ଷା ଯାହା ୨ଟି ପର୍ଯ୍ୟାୟରେ ହୋଇଥାଏ, ଜେଇଇ ମେନ୍ ଓ ଜେଇଇ ଆଡଭାନ୍ସଡ୍ । ଏହି ଦୁଇ ପରୀକ୍ଷାର କଟ୍ ଅଫ୍ କ୍ଲିୟର କରିବା ପାଇଁ ବିଦ୍ୟାର୍ଥୀଙ୍କୁ ଦିନ ରାତି କଠିନ ପରିଶ୍ରମ କରିବାକୁ ପଡିଥାଏ । ଏହାର ପ୍ରମାଣ ଦେଇଛନ୍ତି ଜଣେ ଟୁଇଟର ୟୁଜର ।

ଜେଇଇ ପରୀକ୍ଷା ଲାଗି କେତେ ପରିଶ୍ରମ କରିବାକୁ ପଡିଥାଏ ଏହା ଟୁଇଟରରେ ଭାଇରାଲ୍ ଜେଇଇ ପରୀକ୍ଷାର୍ଥୀଙ୍କ ଟାଇମ୍‌ଟେବୁଲରୁ ଜଣାପଡୁଛି । ମିଷ୍ଟର ଆରସୀ ନାମକ ପରୀକ୍ଷାର୍ଥୀ ଜେଇଇ ପାଇଁ ପ୍ରସ୍ତୁତ ହେଉଥିବା ନିଜ ବନ୍ଧୁଙ୍କ ଟାଇମଟେବୁଲର ଫଟୋ ସେୟାର କରିଛନ୍ତି । ଏହି ଟାଇମ୍‌ଟେବୁଲରେ ଶୋଇବା, ଖାଇବା ଓ ପଢିବାର ନିର୍ଦ୍ଧାରିତ ସମୟ ଲେଖାଯାଇଛି । ଏହି ଜେଇଇ ଆଶାୟୀ ରାତି ୧୨ ଟାରେ ଶୋଉଥିବା ବେଳେ ସକାଳ ୪ଟା ୩୦ରେ ଉଠି ଯାଉଛନ୍ତି । ସେ ରାତିରେ କେବଳ ୪ ଘଣ୍ଟା ହିଁ ଶୋଉଛନ୍ତି ଓ ଦିନକୁ ପାଠ ହିସାବରେ ମ୍ୟାନେଜ୍ କରୁଛନ୍ତି । ସକାଳ ୪ଟା ୩୦ରେ ଉଠି ବିଦ୍ୟାର୍ଥୀ ପ୍ରଥମେ ରିଭିଜନ୍ କରୁଛନ୍ତି ଓ ଏହାପରେ ଶ୍ରେଣୀ ପଢା ଉପରେ ଧ୍ୟାନ ଦେଉଛନ୍ତି । ମଝିରେ ମଝିରେ ୫ରୁ ୧୦ ମିନିଟ୍ ଶୋଇବା ଟାଇମ୍ ସେଟ୍ କରିଛନ୍ତି ଯାହାଫଳରେ ମସ୍ତିଷ୍କକୁ ସାମାନ୍ୟ ରିଲାକ୍ସ ମିଳିବ । ଟାଇମ୍‌ଟେବୁଲକୁ ଦେଖି ଏହା ସ୍ପଷ୍ଟ ହେଉଛି କି ଜଣେ ଜେଇଇ ଆଶାୟୀଙ୍‌କୁ ପରୀକ୍ଷାରେ ସଫଳ ହେବା ପାଇଁ କେତେ କଷ୍ଟ କରିବାକୁ ପଡିଥାଏ । ଟାଇମ୍‌ଟେବୁଲ ତଳେ ଛାତ୍ର ଏକ କୋଟ୍‌ରେ ଲେଖିଛନ୍ତି, ଆପଣଙ୍କୁ ଏହି ଦିନ ଆଉ କେବେ ବି ମିଳିବ ନାହିଁ । ତେଣୁ ଏହାକୁ ସଠିକ୍ ଉପଯୋଗ କରନ୍ତୁ ।