fbpx

୨୧ ମାସ ଓ ୪୯ ଇନିଂସ, ଗୋଟିଏ ହେଲେ ଶତକ କରି ପାରି ନାହାନ୍ତି ବିରାଟ, ୫୭ରୁ ୪୧କୁ ଖସିଲା ବ୍ୟାଟିଂ ହାର

ନୂଆଦିଲ୍ଲୀ : ଅଧିନାୟକ ବିରାଟ କୋହଲି ଭାରତୀୟ ଦଳର ବ୍ୟାଟିଂର ସବୁଠୁ ବଡ ସ୍ତମ୍ଭ । ମାତ୍ର ଗତ ୨୧ ମାସ ହେବ କୋହଲିଙ୍କ ବ୍ୟାଟ୍ ଶାନ୍ତ ରହିଛି । ଏହି ସମୟରେ ତିନି ଫର୍ମାଟ୍ ଟେଷ୍ଟ, ଦିନିକିଆ ଓ ଟି-୨୦ର ୪୯ଟି ଇନିଂସରୁ କୋହଲିଙ୍କ ବ୍ୟାଟରୁ ଗୋଟିଏ ହେଲେ ଶତକ ଦେଖିବାକୁ ମିଳିନାହିଁ । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ସେ ବଡ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି । ଏହି କାରଣରୁ ଭାରତୀୟ ଦଳ ବ୍ୟାଟିଂରେ ଆଶାନୁରୂପ ପ୍ରଦର୍ଶନ କରି ପାରିନାହିଁ । ଦଳ ଦ୍ୱିତୀୟ ଇନିଂସରେ ୧୮୧ ରନରେ ୬ ବ୍ୟାଟସମ୍ୟାନଙ୍କୁ ହରାଇ ସାରିଛି । ଦଳ ଇଂଲଣ୍ଡଠୁ ୧୫୪ ରନ ଅଗ୍ରଣୀ ହାସଲ କରି ପାରିଛି ଏବଂ ହାତରେ ରହିଛି ୪ ୱିକେଟ୍ । ଭାରତ ପ୍ରଥମ ଇନିଂସରେ ୩୬୪ ରନ କରିଥିବା ବେଳେ ଇଂଲଣ୍ଡ ୩୯୧ ରନ କରି ୨୭ ରନର ଅଗ୍ରଣୀ ହାସଲ କରିଛି ।

କୋହଲି ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୪୨ ରନ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୨୦ ରନ କରିଛନ୍ତି । କୋହଲି ନିଜର ଶେଷ ଅନ୍ତର୍ଜାତୀୟ ଶତକ ୨୦୧୯ ନଭେମ୍ବର ୨୩ରେ ବାଂଲାଦେଶ ବିପକ୍ଷ ଟେଷ୍ଟରେ ହାସଲ କରିଥିଲେ । ଏହା ପରେ ୨୦୨୧ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଅର୍ଥାତ ୨୧ ମାସରେ ତାଙ୍କ ବ୍ୟାଟରୁ ଗୋଟିଏ ହେଲେ ଶତକ ଆସି ପାରିନାହିଁ । ଏହି ସମୟରେ ପାକିସ୍ତାନର ଅଧିନାୟକ ବାବର ଆଜମ ୭ ଶତକ ଅର୍ଜନ କରି ସାରିଲେଣି । ଅର୍ଥାତ କୋହଲି ଶତକ ମାମଲାରେ ବାବରଙ୍କଠୁ ବହୁ ପଛରେ ରହିଛନ୍ତି ।

ଟେଷ୍ଟର ୧୭ ଇନିଂସରେ ମାତ୍ର ୩ ଅର୍ଦ୍ଧଶତକ

ବିରାଟ କୋହଲିଙ୍କ ଗତ ୪୯ଟି ଇନିଂସ ଉପରେ ନଜର ପକାଇଲେ ସେଥିରୁ ୧୦ଟି ଟେଷ୍ଟର ୧୭ ଟି ଇନିଂସରୁ ମାତ୍ର ୩ ଅର୍ଦ୍ଧଶତକ ତାଙ୍କ ବ୍ୟାଟରୁ ଆସିଛି । ୭୪ ରନ ତାଙ୍କର ସର୍ବୋଚ୍ଚ ସ୍କୋର ରହିଛି । ୨୪ ହାରରେ କୋହଲି କରିଛନ୍ତି ୪୦୭ ରନ । ସେହି ପରି ଦିନିକିଆର ୧୫ଟି ଇନିଂସରେ ୮ଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି କୋହଲି । ୮୯ ସର୍ବୋଚ୍ଚ ସ୍କୋର ଥିବା ବେଳେ ୪୩ ହାରରେ ୬୪୯ ରନ କରିଛନ୍ତି । ଟି-୨୦ରେ ୧୭ଟି ଇନିଂସରେ କୋହଲି ୬ ଅର୍ଦ୍ଧଶତକ ହାସଲ କରିଛନ୍ତି । ଅପରାଜିତ ୯୪ ରନ ହେଉଛି ସର୍ବାଧିକ ସ୍କୋର । ୬୪ ହାରରେ ସେ ୭୦୯ ରନ କରିଛନ୍ତି । ତିନୋଟି ଫର୍ମାଟ ଦେଖିଲେ ବିରାଟ କୋହଲି ୪୯ଟି ଇନିଂସରେ ୪୧ ହାରରେ ୧୭୬୫ ରନ କରିଛନ୍ତି । ଏଥିରେ ୧୭ ଅର୍ଦ୍ଧଶତକ ସାମିଲ । ଏହା ପୂର୍ବରୁ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ୪୩୮ ଇନିଂସରେ ୫୭ ହାରରେ ୨୧୧୭୨ ରନ କରିଥିଲେ । ଏଥିରେ ୭୦ ଶତକ ସାମିଲ । ଏହି ପରି ତାଙ୍କର ହାର ୫୭ରୁ ହ୍ରାସ ହୋଇ ୪୧ରେ ପହଞ୍ଚିଛି ।

ଦଳ ୧୦ଟି ଟେଷ୍ଟରୁ ୫ଟିରେ ହାରିଛି, ୩ ଜିତିଛି

ଅଧିନାୟକ ବିରାଟ କୋହଲି ରନ କରିନପାରିବା କାରଣରୁ ଭାରତୀୟ ଦଳର ପ୍ରଦର୍ଶନ ଉପରେ ଏହାର ବଡ ପ୍ରଭାବ ପଡୁଛି । ଏହି ସମୟରେ କୋହଲି ୧୦ଟି ଟେଷ୍ଟରେ ଦଳର ନେତୃତ୍ୱ ନେଇଛନ୍ତି । ଏଥିରୁ ଦଳ ୫ଟିରେ ପରାଜିତ ହୋଇଥିବା ବେଳେ କେବଳ ୩ଟି ଜିତି ପାରିଛି । ଅର୍ଥାତ ଦଳ ୫୦ ପ୍ରତିଶତ ମ୍ୟାଚ୍ ହାରିଛି । କେବଳ ଏତିକି ନୁହେଁ ଏହି ସମୟରେ ୧୯ଟି ଇନିଂସରେ ଦଳ ୬ ଥର ୨୦୦ ରନ ବି କରି ପାରିନାହିଁ । କୋହଲି ଦଳରେ ମଧ୍ୟକ୍ରମ ବ୍ୟାଟିଂ ସମ୍ଭାଳିଥାନ୍ତି । ମାତ୍ର ସେ ଶୀଘ୍ର ଆଉଟ୍ ହେଉଥିବାରୁ ଦଳ ରନ କରିପାରୁନାହିଁ ।

Get real time updates directly on you device, subscribe now.