fbpx

ସରକାରୀ ସ୍କୁଲର ବିଚିତ୍ର ସ୍ଥିତି: ପିଲାମାନେ ଚାଲି ଚାଲି ପାଣି ବୋହୁଛନ୍ତି, ବିଦ୍ୟାଳୟରେ ୧୦ ବର୍ଷ ହେଲା ଜଳର ବ୍ୟବସ୍ଥା ନାହିଁ

ନୂଆଦିଲ୍ଲୀ: ଶିକ୍ଷାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେଥିପାଇଁ ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କର ସମସ୍ତ ପ୍ରକାରର ସୁବିଧା ସୁଯୋଗ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ତେବେ ଏବେ ବି ଦେଶରେ କିଛି ସ୍କୁଲ ରହିଛି ଯେଉଁଠି ପିଇବାକୁ ପାଣି ମିଳୁନି । ଏହି ଅବସ୍ଥା ଆଜିକାଲିର ନୁହେଁ, ଗତ ୧୦ବର୍ଷ ଧରି ଏହି ସମସ୍ୟା ଦେଖିବାକୁ ମିଳୁଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଏପରି ଘଟଣା ରାଜସ୍ଥାନର ଏକ ସରକାରୀ ସ୍କୁଲରେ ଦେଖିବାକୁ ମିଳିଛି । ସ୍କୁଲରେ ପିଇବା ପାଣି ନଥିବାରୁ ପିଲାମାନେ ଅଧା କିମି ପର୍ଯ୍ୟନ୍ତ ଚାଲିଚାଲି ପାଣି ବୋହୁଛନ୍ତି । ସ୍କୁଲରେ ଏକ ହ୍ୟାଣ୍ଡପମ୍ପ ରହିଥିଲେ ହେଁ ତାହା କାମ କରୁନାହିଁ । ଏଥିସହିତ ସ୍କୁଲରେ ପାଣି ଟାଙ୍କି ମଧ୍ୟ ନାହିଁ । ପାଲି ଜିଲ୍ଲାର ସିରିୟାରୀ ଗ୍ରାମପଞ୍ଚାୟତ ସ୍ଥିତ ରାଜକୀୟ ପ୍ରାଥମିକ ବିଦ୍ୟାଳୟରୁ ଏହି ସମସ୍ୟା ଆସିଛି । ତେବେ ଏହି ସମସ୍ୟା ସେଠାରେ ୧୦ ବର୍ଷ ତଳୁ ଚାଲିଆସୁଥିବା ଜଣାପଡ଼ିଛି ।

ଉକ୍ତ ସ୍କୁଲରେ ୮୫ ଜଣ ପିଲା ପାଠ ପଢ଼ୁଥିବା ବେଳେ ୩ ଜଣ ଅଧ୍ୟାପକ ରହିଛନ୍ତି । ପିଲାମାନେ ଶୋଷ ନିବାରଣ କରିବା ପାଇଁ ଘରୁ ବୋତଲରେ ପାଣି ନେଇ ସ୍କୁଲକୁ ଆସନ୍ତି । ମାତ୍ର ବୋତଲ ପାଣି ସରିଗଲା ପରେ ସେମାନେ ବାଧ୍ୟ ହୋଇ ଅଧା କିମି ପର୍ଯ୍ୟନ୍ତ ଚାଲିଚାଲି ପାଣି ଆଣିବାକୁ ଯାଇଥାନ୍ତି । ପିଲାମାନେ ଦୈନିକ ତିନି-ଚାରି ଥର ପାଣି ଆଣିବାକୁ ଯାଇଥାନ୍ତି । ଫଳରେ ସେମାନଙ୍କର ପାଠପଢ଼ା ବ୍ୟାହତ ହେଉଥିବା ଜଣାପଡ଼ିଛି । ଏହି ସମସ୍ୟା ବିଷୟରେ ଗ୍ରାମବାସୀମାନେ ଜଳ ବିଭାଗ ଅଧିକାରୀଓ ଜନପ୍ରତିନିଧିଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ବର୍ଷ ବର୍ଷ ଧରି ପିଲାମାନେ ଏପରି ସମସ୍ୟାରେ ଛଟପଟ ହେଉଛନ୍ତି ।

Get real time updates directly on you device, subscribe now.