fbpx

ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣାକୁ ଅପେକ୍ଷା, ବିଜୟ ଉତ୍ସବ ମନାଇବାକୁ ଚଳଚଞ୍ଚଳ ମୟୂରଭଞ୍ଜ

ମୟୁରଭଞ୍ଜ: ଦେଶର ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ନେଇ ସମ୍ଭାବନା ଥିବାରୁ ବିଜୟ ଉତ୍ସବ ମନାଇବାକୁ ମୟୂରଭଞ୍ଜ ଜିଲାବାସୀ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଗୁରୁବାର ଫଳାଫଳ ଘୋଷଣାକୁ ଅପେକ୍ଷା କରି ରହିଛନ୍ତି ସମଗ୍ର ଜିଲାର ଲୋକେ। ଦ୍ରୌପଦୀଙ୍କ ଜନ୍ମମାଟି କୁସୁମୀ ବ୍ଲକ ଉପରବେଡ଼ା ଶାଶୁଘର ପାହଡ଼ପୁର ଓ ନିଜସ୍ୱ ବାସସ୍ଥାନ ରାଇରଙ୍ଗପୁରରେ ଏହାର ପ୍ରଭାବ ବେଶ୍ ଦେଖିବାକୁ ମିଳୁଛି ରାଇରଙ୍ଗପୁର ସହରବାସୀଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଥିବା ବେଳେ ସମସ୍ତ ସହରବାସୀଙ୍କ ମୁହଁ ମିଠା କରିବାକୁ ଚାଲିଛି ଲଡୁ ପ୍ରସ୍ତୁତି। ୫ କୁଇଣ୍ଟାଲ ଓଜନର ଲଡୁ ତିଆରି କରିବାକୁ ଲାଗିଛନ୍ତି ୧୨ଜଣ କାରିଗର। ଭାଜପା (ପଶ୍ଚିମ) ସଙ୍ଗଠନ ସଭାପତି ନବ ଚରଣ ମାଝୀଙ୍କ ନେତୃତ୍ୱରେ ଦଳୀୟ କର୍ମକର୍ତ୍ତାମାନେ ଲଡୁ, ମିଠା, ବାଣ ରୋଶଣି ଓ ଗୀତନାଚରେ ମସ୍‌ଗୁଲ ହେବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି। ଦଳ ପକ୍ଷରୁ ୧୦ହଜାର ଲଡୁ ପ୍ରସ୍ତୁତି ଚାଲିଥିବା ବେଳେ ବିଭିନ୍ନ ସଙ୍ଗଠନ ପକ୍ଷରୁ ମଧ୍ୟ ୧୦ହଜାର ଲଡୁ ତିଆରି ଲାଗିଛି। ଭୋଟ ଗଣତି ଆରମ୍ଭ ହେବା ପରେ ଲଡୁ ବଣ୍ଟନ ସହିତ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିବ।

ସେହିପରି ଜିଲାର ୨୬ ବ୍ଲକରେ ଥିବା ଗ୍ରାମଗୁଡ଼ିକରେ ବିଜୟ ଉତ୍ସବ ପାଳନ ପାଇଁ ଭାଜପା ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗାଁ ଗଣ୍ଡାରେ ନାଚଗୀତର ଆସର ପାଇଁ ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ମହିଳା ପୁରୁଷମାନେ ସଜବାଜ ଆରମ୍ଭ କରିଛନ୍ତି। ଜିଲାର ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ହେବାକୁ ନେଇ ଦଳୀୟ କର୍ମକର୍ତ୍ତା ଦିଲ୍ଲୀରେ ପହଞ୍ଚିଛନ୍ତି। ଭାଜପାର ମୟୂରଭଞ୍ଜ ଜିଲା (ପୂର୍ବ) ସଭାପତି କାନ୍ଦରା ସୋରେନ କହନ୍ତି , ଅତି ଖୁସି ଓ ଆନନ୍ଦର ଦିନକୁ ଆମେ ଅପେକ୍ଷା କରିଛୁ। ଜିଲାର ଘରେ ଘରେ ବିଜୟ ଉତ୍ସବ ମନାଇବା ପାଇଁ ଆମେ ଆଶା ପ୍ରକଟ କରିଛୁ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ.କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କହିବା ଅନୁଯାୟୀ ଜଣେ ଆଦିବାସୀ ମହିଳା ସର୍ବୋଚ୍ଚ ଆସନରେ ବସିବାକୁ ଯାଉଥିବା ବେଳେ ଆମ ଜିଲା ତଥା ରାଜ୍ୟ ପାଇଁ ମହାଆନନ୍ଦର ପର୍ବ। ଭାଜପାର ବରିଷ୍ଠ ସଦସ୍ୟ କବି ବିଷ୍ଣୁ ଶତପଥୀଙ୍କ ମତରେ ଜଣେ ଆଦିବାସୀ ମହିଳା ଦେଶର ସମ୍ମାନଜନକ ଆସନରେ ବସିବାକୁ ଯାଉଥିବାରୁ ଜିଲାବାସୀଙ୍କ ସମେତ ରାଜ୍ୟବାସୀ ବେଶ୍ ଉତ୍ସାହିତ ଅଛନ୍ତି। ରାଇରଙ୍ଗପୁର ଅଞ୍ଚଳର ବାସିନ୍ଦା ବିକାଶ ମହାନ୍ତ କହନ୍ତି, ସହରବାସୀଙ୍କ ମୁହଁ ମିଠା କରିବା ପାଇଁ ବୁନ୍ଦି ଲଡୁ ତିଆରି କରାଯାଇଛି। ପଡ଼ୋଶୀ ରାଜ୍ୟରୁ ଆସୁଥିବା ଲୋକଙ୍କ ସହ ଅଞ୍ଚଳବାସୀଙ୍କୁ ଲଡୁ ବଣ୍ଟାଯିବ।

Get real time updates directly on you device, subscribe now.