fbpx

ଭ୍ୟାକ୍ସିନ ସହ ସ୍ୱାସ୍ଥ୍ୟଗତ ଉପାୟ ବି ଆପଣାଇବାକୁ ପଡିବ: ‘ହୁ’

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ର ପ୍ରମୁଖ, ଟେଡ୍ରସ ଅଧନମ ଘେବ୍ରେସ୍ସ (Tedros Adhanom Ghebreyesus) କୋଭିଡ ୧୯ କୁ ନେଇ ବିଶ୍ୱ ସଂଘର୍ଷ କରୁଥିବା ନେଇ ଚିନ୍ତା ପ୍ରକାଶ କରିଛନ୍ତି । ସେ କରୋନା ଭ୍ୟାକ୍ସିନ ନେବାପାଇଁ କହିବା ସହ କହିଛନ୍ତି ମହାମାରୀକୁ ଶେଷ ହେବାକୁ ଆହୁରି ସମୟ ଲାଗିବ । କହିଛନ୍ତି ବିଶ୍ୱ ସ୍ତରରେ କୋଭିଡ ୧୯ ଭ୍ୟାକ୍ସିନର ୭୮୦ ମିଲିୟନ ଡୋଜ ଦିଆଯାଇସାରିଛି । କିନ୍ତୁ ଏହି ସଂକ୍ରମଣ ଶେଷ ହେବାକୁ ଏକ ଲମ୍ବା ରାସ୍ତା ଦେଇ ଗତି କରିବାକୁ ପଡିବ । ସେ ଆହୁରି କହିଛନ୍ତି ଏହା ଉପରେ ନିୟନ୍ତ୍ରଣ କରାଯାଇପାରିବ, ଏହି ମହାମାରୀକୁ କାବୁ କରିବା ପାଇଁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଉପାୟ ମଧ୍ୟ ଆପଣେଇବାକୁ ପଡିବ ।
‘ହୁ’ ର ଡାଇରେକ୍ଟର ଜେନେରାଲ କହିଛନ୍ତି, ଜାନୁଆରୀ ଫେବୃଆରୀରେ ୬ସପ୍ତାହ ଧରି ସଂକ୍ରମଣ ମାମଲା କମ୍ ରେକର୍ଡ କରାଯାଇଥିଲା । ମାତ୍ର ଏବେ ବିଗତ ୭ ସପ୍ତାହ ଧରି ସଂକ୍ରମଣ ବଢୁଥିବା ରେକର୍ଡ କରାଯାଉଛି । ଜେନିଭାଠାରେ ରିପୋର୍ଟରଙ୍କୁ ଉତ୍ତର ଦେବାବେଳେ ସେ କହିଛନ୍ତି ଭ୍ୟାକ୍ସିନ ମହାମାରୀ ଠାରୁ ରକ୍ଷା ପାଇବାର ସଶକ୍ତ ହତିଆର, ମାତ୍ର ତାହା କେବଳ ଏକମାତ୍ର ହତିଆର ନୁହେଁ । ସେ କହିଛନ୍ତି ‘ସାମାଜିଜ ଦୂରତା, ମାସ୍କ ପିନ୍ଧିବା, ହାତକୁ ବାରମ୍ବାର ଧୋଇବା ଦ୍ୱାରା ମଧ୍ୟ ଏହାକୁ ରୋକାଯାଇପାରିବ । ଏହା ଛଡା ଭେଣ୍ଟିଲେସନ, ଟେଷ୍ଟିଙ୍ଗ, ଟ୍ରେସିଂ, ଆଇସୋଲେସନ, କ୍ୱାରେନଟାଇନ, ଆଦି ମଧ୍ୟ କରୋନାଠାରୁ ରକ୍ଷା କରିବାରେ ସହାୟକ ହେବ ।
୨୦୧୯ ଡିସେମ୍ବରରେ ଚୀନର ଉହାନ ସହରରୁ ବହାରିଥିବା ଭାଇରସ ବିଶ୍ୱରେ ପ୍ରାୟ ୧୩,୬୫,୦୦,୪୦୦ରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି ଏବଂ ୨୯,୪୪,୫୦୦ରୁ ଅଧିକ ଲୋକ ଏଥିରେ ପ୍ରାଣ ହରାଇଛନ୍ତି । ନିକଟରେ ‘ହୁ’ର ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ୱାମୀନାଥନ କହିଛନ୍ତି ଯଦି ‘ପୁଣିଥରେ ସଂପୂର୍ଣ୍ଣ ଲକଡାଉନ ହୁଏ ତେବେ ଏହାର ପରିଣାମ ଭୟଙ୍କର ହୋଇପାରେ’ । ସେ ଆହୁରି ମଧ୍ୟ କହିଛନ୍ତି ପର୍ଯ୍ୟାପ୍ତ ଲୋକଙ୍କୁ ଭ୍ୟାକ୍ସିନ ମିଳିବା ପର୍ଯ୍ୟନ୍ତ କରୋନାର ଦ୍ୱିତୀୟ ଲହରର ଆମକୁ ଏହାର ଦୃଢତାର ସହ ସାମ୍ନା କରିବାକୁ ପଡିବ ।

Get real time updates directly on you device, subscribe now.