‘ଗର୍ଭଧାରଣ’ ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ ଅମୂଲ୍ୟ ଅନୁଭୂତି । କିନ୍ତୁ ଆଜିକାଲି ମହିଳାମାନେ ଗର୍ଭଧାରଣ କରିବା ପାଇଁ ଚାହୁଁଥିଲେ ମଧ୍ୟ ଅଧିକାଂଶଙ୍କ କ୍ଷେତ୍ରରେ ସ୍ୱତଃ ଗର୍ଭନଷ୍ଟ ବା ମିସକ୍ୟାରେଜ ହୋଇଯାଉଥିବା ଅଧିକ ଦେଖିବାକୁ ମିଳୁଛି । ଯାହାକୁ ନେଇ ପରିବାର, ବିଶେଷ କରି ସଂପୃକ୍ତ ମହିଳା ମାନସିକ ଭାବେ ଭାଙ୍ଗିପଡ଼ନ୍ତି । ତେବେ ଅନେକ ମହିଳାଙ୍କ ମନରେ ପ୍ରଶ୍ନ ଉଠେ କାହିଁକି ଏଭଳି ହୋଇଥାଏ ? ଯଦି ଆପଣ ବି ଗର୍ଭନଷ୍ଟ ହେବା ଭଳି ସମସ୍ୟା ଦେଇ ଗତି କରୁଛନ୍ତି ଓ ଭାବୁଛନ୍ତି କେବେ ମାଆ ହୋଇପାରିବେ ନାହିଁ ତେବେ ଏହି ଖବର ନିଶ୍ଚିତ ପଢନ୍ତୁ ।
କାରଣ: ସାଧାରଣତଃ ୩୫ ବର୍ଷ ବୟସ ପରେ ମିସ୍କ୍ୟାରେଜ୍ ବା ଗର୍ଭନଷ୍ଟ ହେବାର ଆଶଙ୍କା ଅଧିକ ରହିଥାଏ। ଏହି ବୟସରେ ଓଭାରି ବା ଡିମ୍ବାଶୟ ଦୁର୍ବଳ ହୋଇଥାଏ। ତାସହିତ ଏହି ବୟସରେ ଜଣଙ୍କୁ ବିଭିନ୍ନ ଗମ୍ଭୀର ରୋଗ ଗ୍ରାସିବା ଆରମ୍ଭ କରିଦେଇଥାଏ। ଜେନେଟିକ୍ ଡିଫେକ୍ଟ ତଥା ସ୍ବାସ୍ଥ୍ୟଗତ ସମସ୍ୟା, ଗର୍ଭାଶୟରେ କୌଣସି ସମସ୍ୟା ଥିଲେ, ଗର୍ଭ ନଷ୍ଟ ହୋଇଯାଇଥାଏ।
ତେବେ ଗର୍ଭଧାରଣ ପରେ ମହିଳାଙ୍କ ଋତୁସ୍ରାବ ବନ୍ଦ ହେବାର ୨୮ ସପ୍ତାହ ମଧ୍ୟରେ ମିସ୍କ୍ୟାରେଜ୍ ହେବାର ଆଶଙ୍କା ଅଧିକ ଥାଏ। ଏବେ ୭ ସପ୍ତାହରୁ ୧୩ ସପ୍ତାହ ମଧ୍ୟରେ ମଧ୍ୟ ମିସ୍ କ୍ୟାରେଜ ଅଧିକ ହେଉଛି। ଗର୍ଭପାତ ହେବା ପୂର୍ବରୁ ରକ୍ତସ୍ରାବ, ତଳିପେଟରେ ଯନ୍ତ୍ରଣା ଆଦି ଲକ୍ଷଣ ଦେଖାଦିଏ।
ତେବେ ପ୍ରଥମ ତିନି ମାସରେ ଶୁକ୍ରାଣୁ ଏବଂ ଡିମ୍ବାଣୁରେ କିଛି ସମସ୍ୟା, ସଂକ୍ରମଣ, ଗର୍ଭସ୍ଥ ଶିଶୁକୁ ରକ୍ତ ସଂଚାରଣ ହୋଇ ନ ପାରିବା କାରଣରୁ ଗର୍ଭନଷ୍ଟ ହୋଇପାରେ। ଦ୍ବିତୀୟ ତିନି ମାସରେ ଜରାୟୁରେ କୌଣସି ସମସ୍ୟା ଥିଲେ ଯଥା- ଜରାୟୁ ଟ୍ୟୁମର୍ ଆଦି କାରଣରୁ ଗର୍ଭନଷ୍ଟ ହୁଏ। ଏହାଛଡ଼ା ଅଧିକ ବୟସରେ ଗର୍ଭଧାରଣ, ଧାଁ ଧଉଡ଼, ପେଟ ଉପରେ ଚାପ ପଡ଼ିବା, ଯୌନାଙ୍ଗ ସଂକ୍ରମଣ ଆଦି କାରଣରୁ ବାରମ୍ବାର ଗର୍ଭନଷ୍ଟ ହୋଇଥାଏ।
ଗର୍ଭାବସ୍ଥାରେ ମହିଳାଙ୍କ ଶାରୀରିକ ଅସୁସ୍ଥତା, ହର୍ମୋନାଲ ଅସନ୍ତୁଳନ, ଦୁର୍ବଳ ରୋଗପ୍ରତିରୋଧକ ଶକ୍ତି, ରକ୍ତ ଜମାଟର ସମସ୍ୟା, ଥାଇରଏଡ୍, ଅନିୟନ୍ତ୍ରିତ ମଧୁମେହ, ଉଚ୍ଚରକ୍ତଚାପ ସମସ୍ୟା, ଧୂମ୍ରପାନ, ବଂଶାନୁଗତ, ଭ୍ରୂଣରେ ରକ୍ତ ଏବଂ ପୋଷକତତ୍ତ୍ବର ଅଭାବ ଆଦି ଥିବା ମହିଳାଙ୍କ ପାଇଁ ଅଧିକ ବିପଦ ହୋଇଥାଏ। ଦୁର୍ବଳ ଭ୍ରୂଣକୋଷ, ଯୌନାଙ୍ଗ ସଂକ୍ରମଣ, ସେକ୍ସୁଆଲ ଟ୍ରାନ୍ସମିଶନ ରୋଗ, ଗର୍ଭାଶୟ ଆକାର, ପିସିଓଏସ୍ ଆଦି ବିଭିନ୍ନ କାରଣରୁ ଗର୍ଭନଷ୍ଟ ହୋଇଥାଏ ବୋଲି ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡ. ହରପ୍ରୀତ୍ କୌର କୁହନ୍ତି।
ଗର୍ଭନଷ୍ଟ ରୋକିବାର ଉପାୟ: ମହିଳାମାନେ ଗର୍ଭଧାରଣ କରିବା ପୂର୍ବରୁ ଏବଂ ଗର୍ଭବତୀ ହେବା ସମୟରେ ଫଲିକ୍ ଏସିଡ୍ ଏବଂ ଅନ୍ୟ ଭିଟାମିନ୍ ନେବାକୁ ପରାମର୍ଶ ଦିଆଯାଇଥାଏ। ରକ୍ତ ଶର୍କରା ଓ ଥାଇରଏଡ୍ ପରୀକ୍ଷା କରାଇବା ନିହାତି ଆବଶ୍ୟକ। କିଛି ପୁରୁଣା ରୋଗ ଯୋଗୁଁ ମଧ୍ୟ ଗର୍ଭନଷ୍ଟର ଆଶଙ୍କା ବଢ଼ିପାରେ, ଏପରିସ୍ଥିତିରେ ଟିକାକରଣ ଜରୁରି । ଯେଉଁ ମହିଳାଙ୍କର ବାରମ୍ବାର ଗର୍ଭପାତ ହେଉଛି, ସେମାନେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବା ଜରୁରି।