fbpx

ମସ୍କୋରେ ଆକ୍ରମଣ ପରେ କ’ଣ କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ?

ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଶୁକ୍ରବାର ସନ୍ଧ୍ୟାରେ ମସ୍କୋର କ୍ରୋକସ୍ ସିଟି ହଲ୍ ରେ ହୋଇଥିବା ଗୁଳିକାଣ୍ଡକୁ ବର୍ବର ଉଗ୍ରବାଦୀ ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି । ଏହି ଆକ୍ରମଣ ପରେ ଶନିବାର ଦେଶବାସୀଙ୍କୁ ସମ୍ବୋଧିତ କରି ପୁଟିନ୍ କହିଛନ୍ତି ଯେ କ୍ରୋକସ୍ ସିଟି ହଲ୍ରେ ଶହ ଶହ ଶାନ୍ତିପୂର୍ଣ୍ଣ ଏବଂ ନିରୀହ ଲୋକ ଉଗ୍ରବାଦୀ ଆକ୍ରମଣର ଟାର୍ଗେଟରେ ଥିଲେ । ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କୁ ସେ ସମବେଦନା ଜଣାଇଛନ୍ତି । ଆକ୍ରମଣ ପରେ ଲୋକଙ୍କ ଜୀବନ ବଞ୍ଚାଇବାରେ ନିୟୋଜିତ ହୋଇଥିବା ଆମ୍ବୁଲାନ୍ସ କର୍ମଚାରୀ ଏବଂ ଉଦ୍ଧାରକାରୀ ଦଳର ଲୋକଙ୍କୁ ପୁଟିନ୍ କୃତଜ୍ଞତା ଜଣାଇଛନ୍ତି । ଏହି ମାରାତ୍ମକ ଆକ୍ରମଣରେ ସମ୍ପୃକ୍ତ ଥିବା ୪ ଜଣ ବନ୍ଧୁକଧାରୀଙ୍କୁ ଗିରଫ କରାଯାଇଛି ।

ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୧୩୩ ଜଣଙ୍କ ମୃତ୍ୟୁ ଘଟିଛି । ଶହ ଶହ ଲୋକ ଆହତ ହୋଇଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ଏହି ବନ୍ଧୁକଧାରୀମାନେ ମସ୍କୋର କ୍ରୋକସ୍ ସିଟି ହଲ୍ ରେ ପଶି ମେସିନ୍ ଗନ୍ ଗୁଳି ଚଳାଇବା ଆରମ୍ଭ କରିଥିଲେ । କନସର୍ଟ ପାଇଁ ଏହି ହଲ୍ ମସ୍କୋର ସବୁଠାରୁ ବଡ଼ ସ୍ଥାନ, ଯେଉଁଠାରେ ଗୋଟିଏ ଥରରେ ପ୍ରାୟ ଛଅ ହଜାର ଲୋକ ଯୋଗ ଦେଇପାରିବେ । ଏହି ହଲରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ, ଯେଉଁମାନେ ପିକନିକ୍ ଗ୍ରୁପର କନସର୍ଟରେ ଅଂଶଗ୍ରହଣ କରିବାକୁ ଆସିଥିଲେ । କନସର୍ଟ ପାଇଁ ସମସ୍ତ ଟିକେଟ୍ ବିକ୍ରି ହୋଇଯାଇଥିଲା ।

Get real time updates directly on you device, subscribe now.