fbpx

ନିର୍ବାଚନ ଲଢ଼ିବେ ନାହିଁ ଲୋକସଭାର ପୂର୍ବତନ ବାଚସ୍ପତି, କହିଲେ ମହିଳା ସଶକ୍ତିକରଣ ପାଇଁ କାମ କରିବେ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଦ୍ୱାରା ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ବିଭିନ୍ନ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା ହୋଇସାରିଲାଣି । ଏଥିମଧ୍ୟରେ ଲୋକସଭାର ପୂର୍ବତନ ବାଚସ୍ପତି ତଥା କଂଗ୍ରେସର ବରିଷ୍ଠ ନେତା ମୀରା କୁମାର ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।

ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳୀୟ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ଦଳବଦଳ ପ୍ରକ୍ରିୟା ଜାରି ରହଛି । ଏଥିମଧ୍ୟରେ ଲୋକସଭାର ପୂର୍ବତନ ବାଚସ୍ପତି ମୀରା କୁମାର ‘ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ମୁଁ ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ଲଢ଼ିବି ନାହିଁ ବୋଲି ନିଷ୍ପତ୍ତି ନେଇଛି । ମୁଁ ସାମାଜିକ ନ୍ୟାୟ, ଇନକ୍ଲୁସିଭ୍ ଗ୍ରୋଥ୍ ଏବଂ ମହିଳା ସଶକ୍ତିକରଣ ପାଇଁ କାମ କରିବାକୁ ଚାହେଁ ।’ ଏହା ପୂର୍ବରୁ ଅନେକ କଂଗ୍ରେସ ନେତା ନିର୍ବାଚନ ଲଢ଼ିବା ପାଇଁ ମନା କରିଦେଇଛନ୍ତି । ଏଥିରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଏବଂ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନାମ ସାମିଲ ଅଛି । କହିରଖୁଛୁ ମୀରା କୁମାର ହେଉଛନ୍ତି ଦଳିତ ନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜଗଜୀବନ ରାମଙ୍କ ସୁପୁତ୍ରୀ । ସେ ଦେଶର ପ୍ରଥମ ମହିଳା ବାଚସ୍ପତି(ଲୋକସଭା) ହେବାର ଗୌରବ ହାସଲ କରିଥିଲେ । ୧୯୯୫ରେ ସେ ବିଜନୌର ଲେକସଭା ଅଂଚଳରୁ ଉପନିର୍ବାଚନ ପାଇଁ ମାୟାବତୀ ଏବଂ ରାମବିଲାସ ପାସୱାନଙ୍କୁ ପରାଜିତ କରି ପ୍ରଥମ ଥର ପାଇଁ ସଂସଦରେ ପାଦ ଥାପି ଥିଲେ । ଏହା ପରେ ସେ ୧୧ତମ ଏବଂ ୧୨ତମ ଲୋକସଭା ନିର୍ବାଚନ ପାଇଁ ଦିଲ୍ଲୀର କରୋଲବାଗ୍ ସଂସଦୀୟ କ୍ଷେତ୍ରରୁ ବିଜୟୀ ହୋଇ ସଂସଦରେ ପହଞ୍ଚିଥିଲେ । ସେ କଂଗ୍ରେସ କାର୍ଯ୍ୟସମିତିର ସଦସ୍ୟ ବି ଅଛନ୍ତି ।

Get real time updates directly on you device, subscribe now.