fbpx

ଭାରତରେ ଯଦି କୌଣସି ବ୍ୟାଙ୍କ ବୁଡ଼ିଯିବ ତେବେ ଆପଣଙ୍କୁ କେତେ ଟଙ୍କା ମିଳିବ: ଆପଣଙ୍କ ପାଇଁ କିଛି ବିପଦ ରହିଛି କି, କ’ଣ କହୁଛି ନିୟମ

ନୂଆଦିଲ୍ଲୀ: ଆମେରିକା ସ୍ଥିତ ସିଲିକନ ଭ୍ୟାଲି ବ୍ୟାଙ୍କ (ଏସଭିପି) ଦେବାଳିଆ ହେବା ଘଟଣା ସାରା ବିଶ୍ୱବାସୀଙ୍କୁ ହତବାକ କରିଦେଇଛି । ଟେକ ଷ୍ଟାଟଅପ କମ୍ପାନୀଗୁଡ଼ିକୁ ଋଣ ଦେବା ପାଇଁ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଥିଲା ଏସଭିପି ଫାଇନାନ୍ସିଆଲ ଗ୍ରୁପ । ସିଲିକନ ଭ୍ୟାଲିର ଅନେକ ଅର୍ଥ ଭାରତୀୟ ଷ୍ଟାଟଅପରେ ମଧ୍ୟ ବିନିଯୋଗ ହୋଇଛି । ତେବେ ଏଠାରେ ପ୍ରଶ୍ନ ଉଠେ ସିଲିକନ ଭ୍ୟାଲି ବୁଡ଼ିଲା କାହିଁକି, ଯଦି ଭାରତରେ କୌଣସି ବ୍ୟାଙ୍କ ସହ ଏପରି ଘଟେ, ତେବେ ଜନସାଧାରଣ ଏ କ୍ଷେତ୍ରରେ କ’ଣ କରିବା ଆବଶ୍ୟକ ।

ଆଜିକାଲି ଆମେ ବହୁ କ୍ଷେତ୍ରରେ ଆଗକୁ ବଢ଼ୁଥିଲେ ହେଁ ସେଇ ଅନୁପାତରେ ବିଭିନ୍ନ ସମସ୍ୟାର ମଧ୍ୟ ସାମ୍ନା କରୁଛେ । ତେଣୁ ପ୍ରତ୍ୟେକ କ୍ଷେତ୍ରରେ ଆମକୁ ସଚେତନ ହେବା ନିହାତି ଜରୁରୀ । ନଚେତ୍ ବର୍ଷ ବର୍ଷର କଷ୍ଟୋପାର୍ଜିତ ଧନ ପାଣିରେ ପଡ଼ିବା ହିଁ ସାର ହେବ । ଗତ ୨୦୦୮ ପରେ ଆମେରିକାରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ପରେ ସିଲିକନ ଭ୍ୟାଲି ହେଉଛି ଏକ ସବୁଠାରୁ ବଡ଼ ବ୍ୟାଙ୍କ ବନ୍ଦ ଘଟଣା । ୧୯୮୩ରେ କାଲିଫର୍ଣ୍ଣିଆରେ ସ୍ଥାପିତ ହୋଇଥିବା ଏହି ବ୍ୟାଙ୍କ ମୁଖ୍ୟତଃ ଷ୍ଟାଟଅପ ଓ ଭେଞ୍ଚର କ୍ୟାପିଟାଲ କମ୍ପାନୀଗୁଡ଼ିକୁ ଋଣ ପ୍ରଦାନ କରିଆସୁଥିଲା । ଫଳରେ ଉକ୍ତ କମ୍ପାନୀମାନେ ବ୍ୟାଙ୍କ ସହ କାରବାର କରୁଥିବାରୁ ସେଠାରେ ନିଜର ଜମାରାଶି ମଧ୍ୟ ରଖୁଥିଲେ ।

ତେବେ ଗତ ୨-୩ ବର୍ଷ ଧରି ବ୍ୟାଙ୍କର ଗ୍ରାହକ ଥିବା ଟେକ୍ନୋଳୋଜି ଷ୍ଟାଟଅପ କମ୍ପାନୀଗୁଡ଼ିକର ଆର୍ଥିକ ପ୍ରଦର୍ଶନ ଉନ୍ନତ ଧରଣର ରହିନଥିଲା । ଫଳରେ ସେମାନଙ୍କର ଅର୍ଥର ଆବଶ୍ୟକତା ବଢ଼ିବାରେ ଲାଗିଥିଲା । ଭେଞ୍ଚର କ୍ୟାପିଟାଲ କମ୍ପାନୀ ତରଫରୁ ମଧ୍ୟ ଆର୍ଥିକ ସହାୟତା କମିବାରେ ଲାଗିଥିଲା । ତେବେ ଏପରି ସ୍ଥିତିରେ ଷ୍ଟାଟଅପ କମ୍ପାନୀମାନେ ବାଧ୍ୟ ହୋଇ ବ୍ୟାଙ୍କରୁ ଜମାରାଶି ଉଠାଇବା ଆରମ୍ଭ କରିଦେଇଥିଲେ । ଏକାକାଳୀନ ବଡ଼ ଧରଣର ଅର୍ଥ ଆବଶ୍ୟକ ହେବାରୁ ବ୍ୟାଙ୍କ ବାଧ୍ୟ ହୋଇ ନିବେଶ କରିଥିବା ବଣ୍ଡକୁ କମ୍ ମୂଲ୍ୟରେ ବିକ୍ରି କରିବାକୁ ଲାଗିଲା । ମାତ୍ର ଏ କ୍ଷେତ୍ରରେ ବିଫଳ ହୋଇଥିଲା । ପରବର୍ତ୍ତୀ ସମୟରେ ବ୍ୟାଙ୍କ କାରବାର ବନ୍ଦ କରିବାକୁ ବାଧ୍ୟ ହୋଇଥିଲା ।

ତେବେ ଆମେରିକା ଭଳି ଏକ ବିତ୍ତଶାଳୀ ରାଷ୍ଟ୍ରରେ ଏକ ବିଶସ୍ତରୀୟ ବ୍ୟାଙ୍କ ବୁଡ଼ିଯିବା ପରେ ଭାରତର ଲୋକଙ୍କ ପାଇଁ ମଧ୍ୟ ସତର୍କ ହେବାର ସମୟ ଆସିଯାଇଛି । ଯଦି ଭାରତରେ କୌଣସି ବ୍ୟାଙ୍କ ବୁଡ଼ିଯାଏ, ତେବେ ଗ୍ରାହକମାନେ କେତେ ଅର୍ଥ ଫେରିପାଇବେ ତାହା ଜାଣିବା ନିହାତି ଜରୁରୀ । ଆମ ଦେଶରେ ଅନେକ ଜାତୀୟକରଣ ଓ ପ୍ରାଇଭେଟ ବ୍ୟାଙ୍କ ରହିଛି । ତେଣୁ କୌଣସି ବ୍ୟାଙ୍କ ସହ ବି ଏପରି ଘଟିପାରେ । ସେଥିପାଇଁ ଗ୍ରାହକଙ୍କ ସ୍ୱାର୍ଥ ପାଇଁ ସରକାର ଏକ ଇନସ୍ୟୁରାନ୍ସ ବ୍ୟବସ୍ଥା କରିଛନ୍ତି । ଯଦି ବ୍ୟାଙ୍କ ବୁଡ଼ିଯାଏ ବା ଦେବାଳିଆ ହୋଇଯାଏ ତେବେ ଗ୍ରାହକଙ୍କୁ ସର୍ବାଧକ ୫ ଲକ୍ଷ ଟଙ୍କାର ଜମା ରାଶି ମିଳିପାରିବ । କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଡିପୋଜିଟ ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ (ଡିଆଇସିଜିସି)କୁ ଏହି ଦାୟିତ୍ୱ ଦିଆଯାଇଛି ।

ବ୍ୟାଙ୍କ ଦେବାଳିଆ ହେବା ପରେ ଡିଆଇସିଜିସି ସବୁ ଗ୍ରାହକଙ୍କ ଆକାଉଣ୍ଟର ହିସାବ କରିଥାନ୍ତି । ଯଦି ବ୍ୟାଙ୍କ ପାଖରେ ଅର୍ଥ ନଥିବ, ତେବେ ଡିଆଇସିଜିସି ସର୍ବନିମ୍ନ ଅର୍ଥରାଶି ଜମାକାରୀଙ୍କୁ ପ୍ରଦାନ କରିଥାନ୍ତି । ତେବେ ଯଦି ଜଣେ ଜମାକାରୀ ନିଜ ଆକାଉଣ୍ଟରେ ୫ ଲକ୍ଷ ଟଙ୍କା ରଖିଥାନ୍ତି ତେବେ ବ୍ୟାଙ୍କ ଦେବାଳିଆ ହେବା ପରେ ତାଙ୍କୁ ୫ ଲକ୍ଷ ମିଳିଥାଏ । ସେହିପରି ସେ ଯଦି ୫ କୋଟି ରଖିଥାନ୍ତି ତେବେ ତାଙ୍କୁ ୫ ଲକ୍ଷ ଟଙ୍କା ହିଁ ମିଳିଥାଏ । କ୍ଷୁଦ୍ର ଜମାକରୀଙ୍କ ଜମା ଅର୍ଥ ସରକ୍ଷିତ ରଖିବା ପାଇଁ ସରକାର ଏହି ବ୍ୟବସ୍ଥା କରିଛନ୍ତି ।

Get real time updates directly on you device, subscribe now.