(Video) ରତ୍ନ ଭଣ୍ଡାର ଖୋଲିଲେ କ’ଣ ହେବ? କାହିଁକି ରତ୍ନ ଭଣ୍ଡାର ଖୋଲିବାକୁ ନେଇ ଚର୍ଚ୍ଚା?

ଓଡ଼ିଶା ଭାସ୍କର: ଓଡ଼ିଶାରେ ନୂଆ ସରକାର ଗଠନ ହେବା ପରଠାରୁ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି । ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିବା ସହ ଏହାଭିତରେ ଥିବା ଜିନିଷର ତଦାରଖ କରାଯିବ ବୋଲି କୁହାଯାଉଛି । ରତ୍ନଭଣ୍ଡାର କେବେ ଖୋଲାଯିବ ସେ ନେଇ ପ୍ରକୃତ ତାରିଖ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ରଥଯାତ୍ରା ପରେ ଏହା ଉପରେ ବଡ଼ ନିଷ୍ପତ୍ତି ହୋଇପାରେ । ତେବେ ଆପଣ ମାନେ ଭାବୁଥିଲେ ରତ୍ନ ଭଣ୍ଡାର ଖୋଲିଲା ପରେ ଭିତରେ କଣ ସବୁ କାର୍ଯ୍ୟ ହେବ । ତେବେ ଆମେ ଆଜି ଏଠାରେ କହିବୁ ରତ୍ନ ଭଣ୍ଡାର ଖୋଲିବା ପରେ ଭିତରେ କଣ କରିବେ ଅଧିକାରୀ ମାନେ ।

ଆସନ୍ତା ୬ ତାରିଖରେ ନିଷ୍ପତ୍ତି ହେବ କେଉଁ ଦିନ ଖୋଲିବ ରତ୍ନ ଭଣ୍ଡାର । ଏଥିପାଇଁ ୧୬ ଜଣିଆ କମିଟି ନିଷ୍ପତ୍ତି ନେବେ । ତେବେ ରତ୍ନ ଭଣ୍ଡାର ଖୋଲିବା ପରେ ମୁଖ୍ୟ କାର୍ଯ୍ୟ ରହିବ ଅଳଙ୍କାର ଗଣତି । ପ୍ରଥମେ ଅଳଙ୍କାର ସବୁ ସଠିକ ଭାବରେ ମହଜୁଦ ଅଛିକି ନାହିଁ ତାହାର ତଦାରଖ କରାଯିବ । କେଉଁ ଅଳଙ୍କାର କେତେ ପରିମାଣରେ ରହିଛି ତାହାର ତାଲିକା ପ୍ରସ୍ତୁତ ହେବ । ପ୍ରତିଟି ଅଳଙ୍କାରର ନାମ ଲେଖିବା ସହ ଗଣତି ହେବ । କେଉଁ ଅଳଙ୍କାର କେତୋଟି ରହିଛି । ରତ୍ନ ଭଣ୍ଡାରରେ ରତ୍ନ ସବୁକୁ ଓଜନ ମଧ୍ୟ କରାଯାଇପାରେ ।

ତେବେ ଆପଣ ମାନଙ୍କ ମନରେ ପ୍ରଶ୍ନ ଆସୁଥିବ ରତ୍ନ ସବୁ ସେହି ମନ୍ଦିର ମଧ୍ୟରେ ରହିବ ନା ବ୍ୟାଙ୍କରେ ରହିବ । ତେବେ ଆମେ ଆପଣଙ୍କୁ କହିଦେବାକୁ ଚାହିଁବୁକି ରତ୍ନ ସବୁକୁ କେବଳ ଗଣତି କରି ସେହି ଭଣ୍ଡାର ଗୃହରେ ହିଁ ରଖିଦିଆଯିବ । ସେପଟେ ରତ୍ନ ଗଣା ସରିବା ପରେ ମୁଖ୍ୟ କାର୍ଯ୍ୟ ହେଉଛି ରତ୍ନ ଭଣ୍ଡାରକୁ ମରାମତି କରିବା । ଭଣ୍ଡାର ଗୃହରେ ଯେଉଁ ସବୁ ଫାଟ ରହିଛି ତାକୁ ସମ୍ପୂର୍ଣ୍ଣ ରୁପରେ ମରାମତି କରିବାର କାର୍ଯ୍ୟ ହେବ । ଅଳଙ୍କାର ଥିବା ବାକ୍ସ ଗୁଡ଼ିକୁ ମଧ୍ୟ ମରାମତି କରାଯିବ । ତେବେ ରତ୍ନ ଭଣ୍ଡାର ଖୋଲିବା ପରେ କେତେ ପରିମାଣରେ ଅଳଙ୍କାର ରହିଛି ଟିକ ନିକ କରି ହିସାବ ରଖାଯିବ ।

୧୯୭୮ ମସିହାରେ ଖୋଲା ଯାଇଥିଲା ରତ୍ନ ଭଣ୍ଡାର । ଦୀର୍ଘ ୪୫ ବର୍ଷ ପରେ ଶ୍ରୀମନ୍ଦିରର ପୁଣିଥରେ ଖୋଲା ହେବାକୁ ଯାଉଛି । ଯାହାକୁ ପୁରା ଓଡ଼ିଶା ବାସୀଙ୍କ ଅପେକ୍ଷା ଥିଲା ସେହି ଆଶା ପୁରଣ ହେବ । ନିଶ୍ଚିତ ରତ୍ନ ଭଣ୍ଡାର ଖୋଲାଯିବ ବୋଲି କହିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଖୋଲା ହେଲା ପରେ କଣ କଣ ସବୁ କାର୍ଯ୍ୟ ହେବ ରତ୍ନ ଭଣ୍ଡାର ମଧ୍ୟରେ ତାକୁ ନେଇ ମଧ୍ୟ ସୂଚନା ଦେଇଛନ୍ତି ।