fbpx
BSKY
BJD MC SKY
BJD YOUTH SKY

ରାଜନୀତିରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କାହିଁକି ଜରୁରୀ? ଜାଣନ୍ତୁ ୫ଟି ବଡ଼ କାରଣ

ନୂଆଦିଲ୍ଲୀ: ଦୀର୍ଘ ତିନି ଦଶନ୍ଧି ଧରି ପଡ଼ିଥିବା ମହିଳା ସଂରକ୍ଷଣ ବିଲ ଲୋକସଭାରେ ଆଗତ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି । ପୂର୍ବରୁ ଉଭୟ ଲୋକସଭା ଓ ରାଜ୍ୟରେ ୧୫ ପ୍ରତିଶତରୁ କମ୍ ମହିଳା ପ୍ରତିନିଧିତ୍ୱ କରୁଥିଲେ । ଅନୁରୂପ ଭାବେ ବିଭିନ୍ନ ରାଜ୍ୟର ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ୧୦ ପ୍ରତିଶତରୁ ମଧ୍ୟ କମ୍ ରହିଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି, ରାଜନୀତିରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କାହିଁକି ଜରୁରୀ?

ଦେଶରେ ମହିଳାଙ୍କ ଜନସଂଖ୍ୟା ୪୮ ପ୍ରତିଶତ ଅର୍ଥାତ ୧୪୦ କୋଟିର ଅଧାରୁ କିଛି କମ୍ ହେବ । ମାତ୍ର ରାଜନୈତିକ କ୍ଷେତ୍ରରେ ସଂସଦ ଓ ବିଧାନସଭାରେ ସେମାନଙ୍କର ଭାଗିଦାରିତା ନାମମାତ୍ର ରହିଛି । ଏହି ଭାଗିଦାରିତାକୁ ବୃଦ୍ଧି କରିବା ଲକ୍ଷ୍ୟରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କର ୩୩ ପ୍ରତିଶତ ପ୍ରତିନିଧିତ୍ୱ ନେଇ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଅଣାଯାଇଛି ।

୧- ବର୍ତ୍ତମାନ ସମୟରେ ଲୋକସଭାରେ ୮୨ ଜଣ ଓ ରାଜ୍ୟସଭାରେ ୩୧ ଜଣ ମହିଳା ସାଂସଦ ରହିଛନ୍ତି । ଦୁଇ ଗୃହରେ ମହିଳାଙ୍କ ପ୍ରତିନିଧିତ୍ୱ ହାର ୧୫ ପ୍ରତିଶତ ମଧ୍ୟ ହେଉ ନାହିଁ । ୧୯୫୧-୫୨ରେ ପ୍ରଥମ ଲୋକସଭାରେ ମାତ୍ର ୬.୯ ପ୍ରତିଶତ ମହିଳା ସାଂସଦ ଭାବେ ସଂସଦକୁ ଯାଇଥିଲେ । ୨୦୧୯ରେ ୭୨୬ ଜଣ ମହିଳା ଲୋକସଭା ନିର୍ବାଚନ ଲଢ଼ିଥିଲେ ହେଁ ସେମାନଙ୍କ ମଧ୍ୟରୁ ୭୮ ଜଣ ଜିତିଥିଲେ ।

୨- ଦେଶର ୧୯ଟି ରାଜ୍ୟର ବିଧାନସଭାରେ ମହିଳାଙ୍କ ଭାଗିଦାରିତା ୧୦ ପ୍ରତିଶତରୁ କମ୍ ରହିଛି । କେବଳ ୧୦ଟି ରାଜ୍ୟରେ ଏହି ହାର ୧୦ ପ୍ରତିଶତରୁ ଅଧିକ ରହିଛି । ହିମାଚଳ ପ୍ରଦେଶ ବିଧାନସଭାରେ କେବଳ ଜଣେ ମାତ୍ର ମହିଳା ବିଧାୟିକା ରହିଥିବା ବେଳେ ନାଗାଲାଣ୍ଡରେ ଚଳିତ ବର୍ଷ ଦୁଇ ଜଣ ମହିଳା ନିର୍ବାଚିତ ହୋଇ ବିଧାନସଭାକୁ ଯାଇଛନ୍ତି ।

୩- ଆଜି ପର୍ଯ୍ୟନ୍ତ ଦେଶରେ କେବଳ ୧୬ ଜଣ ମହିଳା ମୁଖ୍ୟମନ୍ତ୍ରୀ ହୋଇ ପାରିଛନ୍ତି । ସୂଚେତା କୃପଲାନୀ ଦେଶର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଥିଲେ । ଦେଶର ୧୮ଟି ରାଜ୍ୟରେ ଆଜି ପର୍ଯ୍ୟନ୍ତ ଜଣେ ବି ମହିଳା ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିନାହିଁ । କେବଳ ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ଦୁଇ ଥର ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

୪- ରାଜନୀତିରେ ମହିଳାଙ୍କ ପ୍ରତିନିଧିତ୍ୱ କ୍ଷେତ୍ରରେ ଭାରତ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଓ ବାଂଲାଦେଶ ଠାରୁ ମଧ୍ୟ ପଛରେ ରହିଛି । ବିଶ୍ୱର ସମସ୍ତ ସାଂସଦଙ୍କ ମଧ୍ୟରୁ କେବଳ ୨୫ ପ୍ରତିଶତ ମହିଳା ରହିଛନ୍ତି । ରୱାଣ୍ଡା, କ୍ୟୁବା, ବୋଲିଭିଆ ଓ ୟୁଏଇ ପରି ଦେଶରେ ୫୦ ପ୍ରତିଶତରୁ ଅଧିକ ମହିଳା ସାଂସଦ ରହିଛନ୍ତି । ପାକିସ୍ତାନରେ ୬୦ ପ୍ରତିଶତ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ବାଂଲାଦେଶରେ ୫୦ ପ୍ରତିଶତ ଓ ନେପାଳରେ ୩୩ ପ୍ରତିଶତ ରହିଛି ।

୫- ୨୦୧୧ ଜନଗଣନା ମୁତାବକ, ଦେଶରେ ମହିଳାଙ୍କ ଜନସଂଖ୍ୟା ୪୮.୫ ପ୍ରତିଶତ । ମାତ୍ର ଯେଉଁ ସଂସଦ ଓ ବିଧାନସଭାରେ ଆଇନ ତିଆରି ହୁଏ, ସେଠାରେ ମହିଳାଙ୍କର ପ୍ରତିନିଧିତ୍ୱ ବହୁତ କମ୍ ରହିଛି । ରାଜନୀତିରେ ଏବେ ମହିଳାମାନେ ଅଧିକ ମାତ୍ରାରେ ଅଂଶଗ୍ରହଣ କରୁଥିବାରୁ ସେମାନଙ୍କର ପ୍ରତିନିଧିତ୍ୱ ବଢ଼ିବା ଆବଶ୍ୟକ । ଆଜି ପର୍ଯ୍ୟନ୍ତ ଦେଶରେ ୧୭ ଥର ଲୋକସଭା ହୋଇଛି । ୨୦୧୪ରେ ପ୍ରଥମ ଥର ମହିଳାଙ୍କ ଭୋଟିଂ ପ୍ରତିଶତ ୬୫.୬ ପ୍ରତିଶତ ହୋଇଥିଲା । ୨୦୧୯ ନିର୍ବାଚନରେ ତାହା ବୃଦ୍ଧି ପାଇଁ ୬୭.୨ ପ୍ରତିଶତ ହୋଇଥିଲା ।

Get real time updates directly on you device, subscribe now.