fbpx

ବିଜେଡି କନ୍ଦଳ ପଛର କାରଣ କ’ଣ: ୨୪ ବର୍ଷ ଧରି କ୍ଷମତାରେ ରହିଥିବା ସୁସ୍ଥ ଦଳରେ ଅସ୍ଥିରତା କାହିଁକି, ସୁପ୍ରିମୋଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ୨୪ ବର୍ଷ ଧରି ରାଜ୍ୟକୁ ଅପରାଜେୟ ଭାବେ ଶାସନ କରି ଆସିଥିବା ନବୀନ ପଟ୍ଟନାୟକଙ୍କ ଦଳ ବିଜେଡି ୨୦୨୪ ବିଧାନସଭା ନିର୍ବାଚନରେ ଅପ୍ରତ୍ୟାଶିତ ଭାବେ କ୍ଷମତାଚ୍ୟୁତ ହୋଇଥିଲା । ଯାହା କେହି କଳ୍ପନା କରିନଥିଲେ ତାହା ଦେଖିବାକୁ ମିଳିଥିଲା । ସର୍ବଦା ସ୍ୱଚ୍ଛ ଶାସନ ପାଇଁ ସାରା ଦେଶରେ ପରିଚିତି ହାସଲ କରି ଆସିଥିବା ନବୀନଙ୍କ ଦଳର ଏହି ନିମ୍ନମୁଖୀକୁ କେହି ସହଜରେ ବିଶ୍ୱାସ କରିପାରି ନାହାନ୍ତି । ଆଜି ବି ବିଜେଡିକୁ ତା’ର ଏହି ପରାଜୟର କାରଣ ମିଳିପାରି ନାହିଁ । ଏକାଦା ୧୦୦ରୁ ଅଧିକ ଆସନ ଅକ୍ତିଆର କରୁଥିବା ବିଜେଡି ଏଥର ମାତ୍ର ୫୧ଟି ସିଟରେ ଜିତିଥିବା ବେଳେ ୭୮ଟି ଆସନରେ ଜିତି ବିଜେପି ପ୍ରଥମ ଥର ରାଜ୍ୟରେ ସରକାର ଗଠନ କରିଥିଲା ।

ତେବେ ନବୀନଙ୍କ ସ୍ୱଚ୍ଛ ଚେହେରା ଦ୍ୱାରା ପରିଚାଳିତ ବିଜେଡି ଏକ ଶୃଙ୍ଖଳିତ ଦଳ ଭାବେ ଜନପ୍ରିୟତା ଲାଭ କରିଥିଲା । ମାତ୍ର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଦଳରେ କିଛିଟା ବିଶୃଙ୍ଖଳା ଦେଖିବାକୁ ମିଳୁଛି । ପଞ୍ଚାୟତ, ଜିଲ୍ଲା ସ୍ତରରୁ ଆରମ୍ଭ କରି ଶଙ୍ଖ ଭବନ ପର୍ଯ୍ୟନ୍ତ ସବୁଠି ଏହି କନ୍ଦଳର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳୁଛି । ଏପରିକି ଅନେକ ନେତା ମଧ୍ୟ ଦଳ ବିରୋଧରେ ବିଷୋଦଗାର କରିବାକୁ ପଛାଇ ନାହାନ୍ତି । ନବୀନଙ୍କ ନାଁ କହିଲେ ଏକଦା ଯେଉଁ ଦଳର ଗାରିମା ଝଲସୁଥିଲା, ଗୋଟିଏ ପରାଜୟ ପରେ ସେହି ଦଳରେ କିଛି ଠିକ୍ ଚାଲିଥିଲା ଭଳି ଲାଗୁ ନାହିଁ ।

ଦଳରେ କିଛିଟା ଗୋଷ୍ଠୀ କନ୍ଦଳର ପ୍ରମାଣ ମିଳିଛି । ଦଳର ୩୦ ଜଣ ଭୁବନେଶ୍ୱର ମହାନଗର ନିଗମ (ବିଏମସି) କର୍ପୋରେଟର ଏକାଠି ହୋଇ ପୁରୀ ଲୋକନାଥଙ୍କୁ ଦର୍ଶନ କରିଥିଲେ । ସେହିପରି ଦଳର ୨ ଜଣ କର୍ପୋରେଟର ଓ ୨ ନେତାଙ୍କୁ ଭୁବନେଶ୍ୱର ଜିଲ୍ଲା ସଭାପତିଙ୍କ ତରଫରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ଏହି ବିବାଦକୁ ଆହୁରି ତୀବ୍ର କରିଦେଇଛି । ଗଞ୍ଜାମ ଜିଲ୍ଲାରେ ପଦଯାତ୍ରା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତ ବୈଠକରେ କିଛି ନେତା ଅନୁପସ୍ଥିତ ରହିଥିଲେ । ବୈଠକରେ ପୂର୍ବତନ ସାଂସଦ ଓ ପୂର୍ବତନ ବିଧାୟକଙ୍କୁ ଦେଖିବାକୁ ମିଳିନଥିଲା । ଯେଉଁ ବିଜେଡିରେ ନେତାମାନେ ଏକତ୍ର ହୋଇ ଦଳକୁ ଆଗକୁ ନେଉଥିଲେ, ଆଜି ସେହି ଦଳରେ ଏପରି କାହିଁକି ହେଉଛି?

ବିଧାନସଭା ନିର୍ବାଚନରେ ଦଳ ପରାଜୟ ପରେ ତ୍ରୁଟି ସୁଧାରିବା କଥା । ମାତ୍ର ଦଳରେ ଯେଉଁଭଳି ଭାବେ କିଛି ନେତା ବିବାଦ ସୃଷ୍ଟି କରୁଛନ୍ତି ସେନେଇ ସୁପ୍ରିମୋ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଭବିଷ୍ୟତ ନେଇ ଯୋଜନା କରିବା ଆବଶ୍ୟକ । ବେଳ ଥାଉ ଥାଉ ଯଦି ବିଜେଡି ଜାଗ୍ରତ ନହେବ, ଲୋକଙ୍କ ପାଖକୁ ନଯିବ, ତେବେ ଭବିଷ୍ୟତରେ ବଡ଼ ମୂଲ୍ୟ ଦେବାକୁ ପଡ଼ିବ । ସେହିପରି ରାଜଧାନୀର ଭରତପୁର ଅଞ୍ଚଳରେ ଘଟିଥିବା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ଶଙ୍ଖ ଭବନରେ ବସିଥିବା ବୈଠକରେ ମଧ୍ୟ ଏହି ବିବାଦର ଚିତ୍ର ସାମ୍ନାକୁ ଆସିଥିଲା । ବୈଠକରେ ଦଳର କିଛି ବରିଷ୍ଠ ନେତା ଉପସ୍ଥିତ ରହିଥିବା ବେଳେ କିଛି କର୍ପୋରେଟର ବୈଠକକୁ ଉଠି ଚାଲିଆସିଥିଲେ । ଏହାକୁ ନେଇ ସାରା ରାଜଧାନୀରେ ହଇଚଇ ସୃଷ୍ଟି ହୋଇଥିଲା । ରାଜନୀତିରେ ବିଜୟ-ପରାଜୟ ଏକ ସାଧାରଣ କଥା । ପରାଜୟକୁ ସୁଧାରି ଆଗକୁ ବଢ଼ିଲେ ହିଁ ଗୋଟିଏ ଦଳ ସଫଳତା ପାଇ ପାରିବ । ତେଣୁ ବିଜେଡି ଆଗାମୀ ଦିନରେ ଏକ ହୋଇ ଭବିଷ୍ୟତ ନିମନ୍ତେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ଆବଶ୍ୟକ ।

Get real time updates directly on you device, subscribe now.