fbpx

UCC କ’ଣ ? ଏଥର ଏହି ବିବାହ ସମ୍ପର୍କକୁ ମାନ୍ୟତା ଦେବନି ଆଇନ, ବାଧ୍ୟ କଲେ ହେବ ଜେଲ…

ନୂଆଦିଲ୍ଲୀ: ଆଜି ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହୋଇଛି ୟୁନିଫର୍ମ ସିଭିଲ କୋଡ୍ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ସଦନରେ ଏହି ସମାନ ନାଗରିକ ସଂହିତା ବିଲ୍ ଆଗତ କରିଛନ୍ତି । ଏହି ନିୟମ ପରେ ରାଜ୍ୟରେ ବିବାହ ମାନ୍ୟତା, ଛାଡ଼ପତ୍ର ବା ଦମ୍ପତ୍ତିଙ୍କ ଅଲଗା ହେବା ଭଳି ମାମଲାରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ଏ ସବୁ ଘଟଣାକୁ ନେଇ ଉତ୍ତରାଖଣ୍ଡ ବିଧାନସଭାରେ ଉପସ୍ଥାପନ କରାଯାଇଥିବା ୟୁସିସି ନିୟମରେ ଆଲୋଚନା କରାଯାଇଛି । ଏଥିରେ ବୈବାହିକ ସମ୍ପର୍କକୁ ନେଇ ଏଭଳି ଅନେକ ନିୟମ ବିଷୟରେ ଆଲୋଚନା ହୋଇଛି ଏବଂ ଏସବୁକୁ ପ୍ରତ୍ୟେକ ଧର୍ମର ଲୋକଙ୍କୁ ମାନିବାକୁ ପଡ଼ିବ ।

କେବେ ବିବାହ ସମ୍ପର୍କ ଅମାନ୍ୟ ବୋଲି କୁହାଯିବ?

୧- ବିବାହ ସମ୍ପର୍କ କେବେ ଅମାନ୍ୟ ହେବ, ସେ ନେଇ ଉତ୍ତରାଖଣ୍ଡର ୟୁସିସି ବିଲରେ କୁହାଯାଇଛି । ଏହି ବିଲ୍ ଅନୁସାରେ, ଯଦି ସମ୍ପୃକ୍ତ ବ୍ୟକ୍ତି ନପୁଂସକ ବା ଜାଣି ଜାଣି ଶାରୀରିକ ସମ୍ପର୍କ ରଖିବାରୁ ଦୂରେଇ ରହୁଛନ୍ତି, ତେବେ ଏହି କ୍ଷେତ୍ରରେ ବିବାହ ସମ୍ପର୍କକୁ ଅମାନ୍ୟ ବୋଲି ବିଚାର କରାଯିବ ।

୨- ଯଦି ଆବେଦନକାରୀଙ୍କୁ ବଳପୂର୍ବକ, ନିର୍ଯାତନା କିମ୍ବା ଠକେଇ କରି ବିବାହ ପାଇଁ ସହମତି ହାସଲ କରାଯାଇଥାଏ, ଏହି କ୍ଷେତ୍ରରେ ମଧ୍ୟ ବିବାହକୁ ମାନ୍ୟତା ମିଳିପାରିବ ନାହିଁ ।

୩- ବିବାହ ସମୟରେ ଯଦି ପତ୍ନୀ ପତିଙ୍କ ବ୍ୟତୀତ ଅନ୍ୟ ପୁରୁଷଙ୍କ ଦ୍ୱାରା ଗର୍ଭବତୀ ହୋଇଥାନ୍ତି କିମ୍ବା ପତି ବିବାହ ସମୟରେ ପତ୍ନୀଙ୍କ ବ୍ୟତୀତ ଅନ୍ୟ ମହିଳାଙ୍କୁ ଗର୍ଭବତୀ କରାଇଥାନ୍ତି, ତେବେ ଏହି କ୍ଷେତ୍ରରେ ବିବାହକୁ ମାନ୍ୟତା ଦିଆଯିବ ନାହିଁ ।

ବିବାହକୁ ୧ ବର୍ଷ ପୂରଣ ନ ହେବା ପର୍ଯ୍ୟନ୍ତ ଛାଡ଼ପତ୍ର ପାଇଁ ଆବେଦନ କରାଯାଇ ପାରିବ ନାହିଁ । ତେବେ ଯଦି ଦମ୍ପତ୍ତି ଛାଡ଼ପତ୍ର ନେବାକୁ ଚାହିଁଲେ ଏଥିପାଇଁ କିଛି ସର୍ତ୍ତ ରଖାଯାଇଛି, କେବଳ ଏହି ସ୍ଥିତି ଗୁଡ଼ିକରେ ଛାଡ଼ପତ୍ର ପାଇଁ ଆବେଦନ କରିପାରିବେ ଦମ୍ପତ୍ତି । ଉଭୟଙ୍କ ମଧ୍ୟ କେହି ଯଦି ବିବାହ ପରେ ଅନ୍ୟ କାହା ସହ ସ୍ୱଇଚ୍ଛାରେ ଶାରୀରିକ ସମ୍ବନ୍ଧ ରଖିଥିଲେ, ଆବେଦନକାରୀଙ୍କ ସହ କଠୋର ବ୍ୟବହାର କରୁଥିଲେ କିମ୍ବା ଜଣେ ଅନ୍ୟ ପକ୍ଷରୁ ୨ ବର୍ଷରୁ ତ୍ୟାଗ କରିଥାନ୍ତି ଏବଂ ଯଦି ଆବେଦନକାରୀଙ୍କ ଧର୍ମ ପରିବର୍ତ୍ତନ କରାଯାଏ, ତେବେ ଏହି ସମୟରେ ଛାଡ଼ପତ୍ର ପାଇଁ ଆବେଦନ କରିପାରିବେ ଦମ୍ପତ୍ତି । ପତି-ପତ୍ନୀଙକ ମଧ୍ୟରୁ କେହି ଜୀବିତ ଥିଲେ ଛାଡ଼ପତ୍ର ବିନା ଦ୍ୱିତୀୟ ବିବାହ କରିହେବ ନାହିଁ ।

ଯଦି ଛାଡପତ୍ର ପରେ ମହିଳା ପୁନର୍ବାର ସେହି ପୁରୁଷକୁ ବିବାହ କରିବାକୁ ଚାହାଁନ୍ତି, ତେବେ ହଲାଲା ଏବଂ ଇଦ୍ଦତର ଆବଶ୍ୟକତା ରହିବ ନାହିଁ । ଯଦି କେହି ଜଣେ ମହିଳାଙ୍କୁ ଏହା କରିବାକୁ ବାଧ୍ୟ କରନ୍ତି, ତେବେ ତାଙ୍କୁ ୩ ବର୍ଷ ଜେଲ ଏବଂ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ ।

Get real time updates directly on you device, subscribe now.