fbpx

୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କୁ ଫାଶୀଦଣ୍ଡ ମାମଲା: କେମିତି ମୁକ୍ତ ହେବେ, କ’ଣ ରହିଛି ଆଇନଗତ ପ୍ରକ୍ରିୟା

Advertisement

ନୂଆଦିଲ୍ଲୀ: କତାର କୋର୍ଟ ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କୁ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି । ଏହି ଅଧିକାରୀମାନେ ଗତ ୧ ବର୍ଷରୁ ଅଧିକ ସମୟ ଧରି କତାରରେ ବନ୍ଦୀ ଭାବେ ରହିଛନ୍ତି । କତାର ଏକ ଛୋଟ ଦେଶ ହୋଇଥିଲେ ହେଁ ଭାରତ ପାଇଁ ବେଶ୍ ମହତ୍ତ୍ୱପୂର୍ଣ୍ଣ । ଦୁଇ ଦେଶ ମଧ୍ୟରେ ପାଖାପାଖି ୫୦ ବର୍ଷର ପୁରୁଣା ରାଜନୈତିକ ସମ୍ପର୍କ ରହିଆସିଛି । ତେଣୁ ଏହି ଅଧିକାରୀମାନେ ମୃତ୍ୟୁଦଣ୍ଡରେ ଦଣ୍ଡିତ ହେଲେ ଦ୍ୱିପାକ୍ଷିକ ସମ୍ପର୍କ ବିଗିଡ଼ିବାର ସମ୍ଭାବନା ରହିଛି ।

ତେବେ ଏଠାରେ ପ୍ରଶ୍ନ ଉଠେ, ଏହି ଅଧିକାରୀଙ୍କୁ କ’ଣ ମୁକୁଳାଇବା ସମ୍ଭବ? ଏଥିପାଇଁ କ’ଣ ରହିଛି ଆଇନଗତ ପ୍ରକ୍ରିୟା? ଆଗକୁ ଭାରତ ସରକାର ଏ ମାମଲାରେ କ’ଣ ପଦକ୍ଷେପ ଗ୍ରହଣ କରିବେ? ଗୁପ୍ତଚର ଅଭିଯୋଗ ନେଇ ଏହି ଅଧିକାରୀମାନଙ୍କ ବିରୋଧରେ କତାର କୋର୍ଟ ନିଷ୍ପତ୍ତି ଶୁଣାଇବା ପରେ ଏବେ ଭାରତ ସରକାର ସମସ୍ତ ଆଇନଗତ ବିକଳ୍ପ ସନ୍ଧାନ କରୁଛନ୍ତି ।

ଏନେଇ ଜଣେ ବରିଷ୍ଠ ଆଇନଜୀବୀ କହିଛନ୍ତି, ଅନ୍ତରାଷ୍ଟ୍ରୀୟ ଆଇନ ଓ ଆଇସିସିପିଆରର ନିୟମ ମୁତାବକ, କିଛି ମାମଲାକୁ ଛାଡ଼ିଦେଲେ ସାଧାରଣ ଭାବେ ଫାଶୀଦଣ୍ଡ ଦିଆଯିବା ଅନୁଚିତ । ଭାରତ ନିକଟରେ ଅନେକ ରାସ୍ତା ରହିଛି । ଭାରତ ଉପର ଅଦାଲତରେ ଅପିଲ କରିପାରିବ । ଯଦି ସେହି ଅପିଲକୁ ଗ୍ରହଣ କରାନଯାଏ ତେବେ ଭାରତ ଏ କ୍ଷେତ୍ରରେ ଅନ୍ତରାଷ୍ଟ୍ରୀୟ ଅଦାଲତର ଦ୍ୱାରସ୍ଥ ହୋଇପାରିବ ।

ମୃତୁଦଣ୍ଡାଦେଶକୁ ରୋକିବା ପାଇଁ ଭାରତ ସରକାର ରାଜନୈତିକ ସ୍ତରରେ ଚାପ ପ୍ରୟୋଗ କରିପାରନ୍ତି । ଏଥିସହିତ ଏନଜିଓ ସିଭିଲ ସୋସାଇଟି ମଧ୍ୟ ଏହି ପ୍ରସଙ୍ଗକୁ ବିଶ୍ୱସ୍ତରରେ ଉଠାଇ ପାରିବେ । ଭାରତ ସରକାର ମିଳିତ ଜାତିସଂଘର ଦ୍ୱାରସ୍ଥ ମଧ୍ୟ ହୋଇପାରିବେ । ଯେଉଁ ନୌସେବା ଅଧିକାରୀମାନଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଣି ହୋଇଛି ସେମାନେ ହେଲେ କ୍ୟାପଟେନ ସୌରଭ ବଶିଷ୍ଠ, କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କ୍ୟାପଟେନ ବିରେନ୍ଦ୍ର କୁମାର ବର୍ମା, କମାଣ୍ଡର ସୁଗୁନାକର ପକାଲା, କମାଣ୍ଡର ସଞ୍ଜୀବ ଗୁପ୍ତା, କମାଣ୍ଡର ଅମିତ ନାଗପାଲ ଓ ରାଜେଶ ।

Get real time updates directly on you device, subscribe now.