fbpx

Ind vs Pak ଆଜି ମେଲବର୍ଣ୍ଣରେ ହେବ ମହା ମୁକାବିଲା: ଭାରତର ପ୍ଲେଇଙ୍ଗ-୧୧ରେ ହୋଇପାରେ ଏମିତି ପରିବର୍ତ୍ତନ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଯୁଦ୍ଧ ଆରମ୍ଭ ହୋଇସାରିଛଇ । କିନ୍ତୁ ଟୁର୍ଣ୍ଣାମେଣ୍ଟର ସବୁଠୁ ବଡ ଏବଂ ରୋମାଞ୍ଚକର ମ୍ୟାଚ ଆଜି ଦେଖିବାକୁ ମିଳିବ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ । ଆଜି ଏଠାରେ ମୁହାଁମୁହିଁ ହେବେ ଚିର ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ । କିନ୍ତୁ ମ୍ୟାଚ ପୂର୍ବରୁ ଉଭୟ ଦଳର ପ୍ଲେଇଙ୍ଗ-୧୧କୁ ନେଇ ଲାଗି ରହିଛି ଜୋରଦାର ଚର୍ଚ୍ଚା । ଯାହାର ମୁଖ୍ୟ ପ୍ରସଙ୍ଗ ପାଲଟିଛି ଟିମ ଇଣ୍ଡିଆରେ କାର୍ତ୍ତିକ ଏବଂ ପନ୍ତଙ୍କ ସ୍ଥାନ । ଦଳରେ ଉଭୟଙ୍କ ମଧ୍ୟରୁ କିଏ ସ୍ଥାନ ପାଇବ ସେ ନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି । ତେବେ ଆଜିର ପ୍ରଥମ ମ୍ୟାଚରେ କ’ଣ ରହିବ ଭାରତର ପ୍ଲେଇଙ୍ଗ ୧୧ ଆସନ୍ତୁ ଜାଣିବା ।

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ବିଶ୍ୱକପର ୱାର୍ମ ଅପ ମ୍ୟାଚରେ ହିଁ ଭାରତର ପ୍ଲେଇଙ୍ଗ-୧୧ ନିର୍ଣ୍ଣୟ ହୋଇ ସାରିଥିଲା । ଏହି ମ୍ୟାଚରେ ୱିକେଟ କିପର ଦିନେଶ କାର୍ତ୍ତିକଙ୍କୁ ସୁଯୋଗ ଦେଇଥିଲେ ଅଧିନାୟକ ରୋହିତ ଶର୍ମା । ଯାହା ଫଳରେ ଯୁବ ୱିକେଟ କିପର ଋଷଭ ପନ୍ତ ଦଳରୁ ବାଦ ପଡିଥିଲେ । ତେଣୁ ପାକିସ୍ତାନ ବିପକ୍ଷ ଆଜିର ମ୍ୟାଚରେ ତାଙ୍କୁ ସ୍ଥାନ ମିଳିବା ମଧ୍ୟ କଷ୍ଟକର ମନେ ହେଉଛି । ସେହିପରି ହର୍ଷଲ ପଟେଲଙ୍କ ସ୍ଥାନ ମିଳିବାକୁ ନେଇ ମଧ୍ୟ ଆଶଙ୍କା ଭରି ରହିଛି । ମହମ୍ମଦ ଶାମୀଙ୍କ ଫର୍ମ ଏବେ ହର୍ଷଲ ପଟେଲଙ୍କ ପାଇଁ ଚିନ୍ତା ବଢାଇଛି । ଭୁବନେଶ୍ୱର କୁମାର ଏବଂ ମହମ୍ମଦ ଶାମୀଙ୍କୁ ଦଳରେ ସ୍ଥାନ ମିଳିବା ନେଇ ଅଧିକ ସମ୍ଭାବନା ରହିଥିବା ବେଳେ ତୃତୀୟ ପେସ ବୋଲର ଭାବେ ଅର୍ଶଦୀପ ସିଂହ ଦଳରେ ସାମିଲ ହୋଇପାରନ୍ତି । ଏହାସହିତ ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଚମ ବୋଲର ଭାବେ ଦଳରେ ରହିବା ସୁନିଶ୍ଚିତ ।

ଓପନିଙ୍ଗ ଦାୟିତ୍ୱ ଅଧିନାୟକ ରୋହିତ ଶର୍ମା ଏବଂ କେ.ଏଲ ରାହୁଲଙ୍କ କାନ୍ଧରେ ରହିଥିବା ବେଳେ ମିଡିଲ ଅର୍ଡରରେ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଦିନେଶ କାର୍ତ୍ତିକ ଖେଳିପାରନ୍ତି । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅକ୍ସର ପଟେଲ ଅଲରାଉଣ୍ଡର ଭୂମିକାରେ ନଜର ଆସିବେ । ତେବେ ପେସ ବୋଲିଂରେ ଭୁବନେଶ୍ୱର କୁମାର, ମହମ୍ମଦ ଶାମୀ ଏବଂ ଅର୍ଶଦୀପ ସିଂହଙ୍କ ସହ ମ୍ୟାଚରେ ଓହ୍ଲାଇପାରନ୍ତି ରୋହିତ । ସ୍ପିନ ବୋଲିଂର ଭାର ୟୁଜବେନ୍ଦ୍ର ଚହଲଙ୍କୁ ମିଳିବାର ସମ୍ଭାବନା ଅଧିକ ଦେଖା ଦେଇଛି । ତେବେ ଋଷଭ ପନ୍ତ ପ୍ରଥମ ୧୧ ରୁ ବାଦ ପଡିବା ନେଇ ଆକଳନ କରାଯାଉଛି ।

ଭାରତର ପ୍ଲେଇଙ୍ଗ ୧୧:

ରୋହିତ ଶର୍ମା(ଅଧିନାୟକ), କେ.ଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ(ୱିକେଟ କିପର), ଅକ୍ସର ପଟେଲ, ଭୁବନେଶ୍ୱର କୁମାର, ମହମ୍ମଦ ଶାମୀ, ୟୁଜବେନ୍ଦ୍ର ଚହଲ ଏବଂ ଅର୍ଶଦୀପ ସିଂହ ।

Get real time updates directly on you device, subscribe now.