fbpx

International Debut କରିବେ ରାହୁଲ ତ୍ରିପାଠୀ? ଜିମ୍ବାୱେ ବିପକ୍ଷ ପ୍ରଥମ ଦିନିକିଆରେ ଏମିତି ରହିପାରେ ଭାରତର Playing XI

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ୧୮ ତାରିଖରୁ ଜିମ୍ବାୱେ-ଭାରତ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି । ହରାରେ ସ୍ପୋର୍ଟସ କ୍ଲବ ପରିସରରେ ଏହି ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ତେବେ ଏହି ମ୍ୟାଚରୁ ହିଁ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ରାହୁଲ ତ୍ରିପାଠୀଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଛି । ସେହିପରି ଦୀର୍ଘ ଦିନ ପରେ ଦଳର ଅଧିନାୟକ କେ.ଏଲ ରାହୁଲ ଏବଂ ଷ୍ଟାର ବୋଲର ଦୀପକ ଚହର ଆହତ ସମସ୍ୟାରୁ ବାହାରି ଦଳରେ ଯୋଗ ଦେଇଛନ୍ତି ।

ଏସିଆ କପ୍-୨୦୨୨ ପୂର୍ବରୁ ରୋହିତ ଶର୍ମା, ବିରାଟ କୋହଲିଙ୍କ ସମେତ ଜସପ୍ରୀତ ବୁମରାହ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ସିନିୟର ଖେଳାଳିମାନଙ୍କୁ ବିଶ୍ରାମ ଦିଆଯାଇଛି । ତେଣୁ ଏହି ଦିନିକିଆ ସିରିଜ ପାଇଁ ଯୁବ ଖେଳାଳିମାନଙ୍କୁ ସୁଯୋଗ ଦେଇଛି ବିସିସିଆଇ । ଶୁଭମନ ଗିଲ ଏବଂ ରାହୁଲ ତ୍ରିପାଠୀଙ୍କ ଭଳି କିଛି ପ୍ରତିଭାବାନ ଖେଳାଳିମାନଙ୍କ ପାଇଁ ଏହି ସିରିଜ ଖୁବ ଗୁରୁତ୍ୱପୂର୍ଣ୍ଣ ରହିବ । ତେବେ ଏହି ସିରିଜ ପାଇଁ କୋଚ ରହୁଲ ଦ୍ରାବିଡ ମଧ୍ୟ ବିଶ୍ରାମ ନେଇଛନ୍ତି । ତେଣୁ ତାଙ୍କ ସ୍ଥାନରେ ଦଳର କୋଚିଂ ପଦ ସମ୍ଭାଳିବେ ଭିଭିଏସ ଲକ୍ଷ୍ମଣ ।

ଏହି ସିରିଜ ପାଇଁ ମଧ୍ୟ ଟିମ୍ ଚୟନ କରିବା ପାଇଁ ଲକ୍ଷ୍ମଣ ଦ୍ୱନ୍ଦ୍ୱରେ ପଡିପାରନ୍ତି । ୱିକେଟ କିପର ଭାବରେ ଦଳରେ ସଞ୍ଜୁ ସାମସନ ଏବଂ ଇଶାନ କିଶାନ ରହିଥିବା ବେଳେ ସେ କାହାକୁ ସ୍ଥାନ ଦେବେ ତାହା ଏକ ପ୍ରଶ୍ନ ହୋଇ ଠିଆ ହୋଇଛି । ସେହିପରି ଓପନର ଭାବରେ କିଏ ପାଳି ଆରମ୍ଭ କରିବେ ସେ ନେଇ ମଧ୍ୟ ଅନେକ ଆଲୋଚନା ହେଉଛି । ଭାରତ ନିକଟରେ କେ.ଏଲ ରାହୁଲ, ଶିଖର ଧୱନଙ୍କ ସମେତ ଋତୁରାଜ ଗାଏକ୍ୱାଡ ଏବଂ ଇଶାନ କିଶାନଙ୍କ ବିକଳ୍ପ ରହିଛନ୍ତି । ସେପଟେ ରାହୁଲ ତ୍ରିପାଠୀ ଆଇପିଏଲ ଏବଂ ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନକୁ ଏହି ପ୍ଲାଟଫର୍ମରେ ମଧ୍ୟ ପ୍ରମାଣିତ କରିବାକୁ ଚାହିଁବେ ।

ତେବେ ଦଳ ପାଇଁ ସବୁଠୁ ବଡ ପ୍ରଶ୍ନବାଚୀ ରହିବ ଶୁଭମନ ଗିଲ ଏବଂ ତାଙ୍କ ବ୍ୟାଟିଂ ପୋଜିସନକୁ ନେଇ । ଗତ ୱେଷ୍ଟଇଣ୍ଡିଜ ବିପକ୍ଷରେ ଓପନିଙ୍ଗ କରି ୨୦୦ରୁ ଅଧିକ ରନ ସଂଗ୍ରହ କରିଥିଲେ । ଯେଉଁଥିପାଇଁ ତାଙ୍କ ସିରିଜର ପ୍ଲେୟର ଅଫ ଦ ସିରିଜ ଭାବେ ବିବେଚନା ହୋଇଥିଲେ । କିନ୍ତୁ କେ.ଏଲ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ପରେ ତାଙ୍କୁ ମଧ୍ୟକ୍ରମରେ ଖେଳିବା ପାଇଁ ସୁଯୋଗ ଦିଆଯାଇପାରେ । ସେହିନରି ଏହି ସିରିଜରେ କୁଳଦୀପ-ଅକ୍ସର ଯୋଡିଙ୍କୁ ନେଇ ଖେଳିପାରନ୍ତି ରାହୁଲ । ତେବେ ଆସନ୍ତୁ ଜାଣିବା କ’ଣ ରହିପାରେ ଭାରତର ପ୍ଲେଇଙ୍ଗ ୧୧:-

କେ.ଏଲ ରାହୁଲ(ଅଧିନାୟକ), ଶିଖର ଧୱନ(ଉପଅଧିନାୟକ), ରାହୁଲ ତ୍ରିପାଠୀ, ଶୁଭମନ ଗିଲ, ଇଶାନ କିଶାନ, ଦୀପକ ହୁଡ୍ଡା, ଅକ୍ସର ପଟେଲ, ଦୀପକ ଚହର, କୁଳଦୀପ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା ଏବଂ ମହମଦ ସିରାଜ

Get real time updates directly on you device, subscribe now.