ଘରୋଇ ପିଚରେ ଭାରତର ଅବସ୍ଥା ଅସମ୍ଭାଳ, ବିଦେଶରେ କ’ଣ ହେବ: ଖେଳ ଆଉ ଦୁଇଦିନ ବାକି, ହାତରେ ଅଛି ୭ଟି ୱିକେଟ୍

ନୂଆଦିଲ୍ଲୀ: ରୋଚକମୋଡ଼ରେ ପହଞ୍ଚିଛି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ । ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଟେଷ୍ଟର ପ୍ରଥମ ଦିନ ବର୍ଷା ପାଇଁ ବାଧାପ୍ରାପ୍ତ ହୋଇଥିଲା । ଏହାପରେ ଦ୍ୱିତୀୟ ଦିନ ପ୍ରଥମ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିବା ସହ ଦଳ ମାତ୍ର ୪୬ ରନରେ ଅଲଆଉଟ୍ ହୋଇଯାଇଥିଲା । ଏହା ପରେ ନ୍ୟୁଜିଲାଣ୍ଡ ୪୦୨ ରନରେ ସୀମିତ ରହିଥିଲା । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆ ୩ ୱିକେଟ ହରାଇ ୨୩୧ ରନ୍ ସଂଗ୍ରହ କରିଛି ।

ଖେଳ ଆଉ ମାତ୍ର ଦୁଇ ଦିନ ବାକିଥିବା ବେଳେ ଭାରତ ପାଇଁ ଏହି ଟେଷ୍ଟ ଜିତିବା ବଡ଼ କଷ୍ଟକର ହୋଇପାରେ । ବିରାଟ କୋହଲି ୭୦ ରନ୍ କରି ଶେଷ ବଲରେ ଆଉଟ୍ ହୋଇଥିବା ବେଳେ ସର୍ଫରାଜ ଖାନ ୭୦ ରନରେ ଅପରାଜିତ ରହିଛନ୍ତି । ଏବେ ବି ନ୍ୟୁଜିଲାଣ୍ଡ ୧୨୫ ରନରେ ଆଗୁଆ ରହିଥିବା ବେଳେ ଭାରତ ଏହି ରନକୁ ପ୍ରଥମେ ଅତିକ୍ରମ କରିବା ଆବଶ୍ୟକ । ତା’ପରେ ଭାରତ କେତେ ସମୟ ତିଷ୍ଠି ପାରୁଛି ତା’ ଉପରେ ସଭିଙ୍କ ନଜର । ଭାରତ ଯଦି ଆସନ୍ତାକାଲି କଷ୍ଟେମଷ୍ଟେ ତିଷ୍ଠି ଯାଆନ୍ତା ତେବେ ହୁଏତ ମ୍ୟାଚ ଡ୍ର ହେବାର ସମ୍ଭାବନା ସୃଷ୍ଟି ହୁଅନ୍ତା । ଏହି ମ୍ୟାଚରେ ଭାରତର ପରାଜୟର ପ୍ରତିଶତ ଅଧିକ ରହିଛି । କ୍ରିକେଟ ଏକ ଅନିଶ୍ଚିତତାର ଖେଳ ହୋଇଥିବା ବେଳେ କିଛି ବି ପୂର୍ବାନୁମାନ କରିହେବନି । ତେଣୁ ଆସନ୍ତାକାଲି ଯଦି ଭାରତର ସମସ୍ତ ଖେଳାଳି ଭଲ ବ୍ୟାଟିଂ କରନ୍ତେ ତେବେ ହୁଏତ ଏହି ମ୍ୟାଚରେ ଭାରତର ସମ୍ମାନ ରହିପାରନ୍ତା ।

ଗୋଟିଏ ପଟେ ପ୍ରଥମ ଇନିଂରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଫେଲ୍ ମାରିଥିବା ବେଳେ ନ୍ୟୁଜିଲାଣ୍ଡ ବଢ଼ିଆର ସ୍କୋର କରିଥିଲା । ତେଣୁ ପିଚକୁ ଦୋଷ ଦେବା ବୋକାମିର ପରିଚୟ ହେବ । ଘରୋଇ ପିଚରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଟେଷ୍ଟର ଏହି ଅବସ୍ଥା ନିହାତି ଲଜ୍ଜାଜନକ । ଘରୋଇ ପିଚରେ ଯଦି ଭାରତ ମାଟି କାମୁଡ଼ି ପଡ଼ୁଛି ତେବେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନ୍ସ (ଡବ୍ଲ୍ୟୁଟିସି) ଫାଇନାଲ ଖେଳାଯିବାକୁ ଥିବା ଲର୍ଡ୍ସ ଗ୍ରାଉଣ୍ଡରେ ଭାରତ ଯେ କ’ଣ କମାଲ କରିବ ତାହା ଏବେଠାରୁ ଜଳ ଜଳ ହୋଇ ଦିଶିଲାଣି ।

Get real time updates directly on you device, subscribe now.