fbpx
BSKY SKY
BSKY SKY

ସଂସଦରୁ ବହିଷ୍କୃତ ହେବା ପରେ ମହୁଆ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ନେଇ ଚର୍ଚ୍ଚା

BSKY

ନୁଆଦିଲ୍ଲୀ: ବହୁ ବାଦ ବିବାଦ ପରେ ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ବଡ଼ ଆକ୍ସନ ନେଇଛନ୍ତି ଲୋକସଭା ବାଚସ୍ପତି। ଶେଷରେ ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ଅଭିଯୋଗରେ ଗତକାଲି ତାଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଛି। ତେବେ ଏଥିକ୍ସ କମିଟିର ସୁପାରିସ ଆଧାରରେ ମହୁଆଙ୍କୁ ଲୋକସଭାରୁ ବହିଷ୍କୃତ କରାଯାଇଥିବା ଜଣାପଡିଛି। ବହିଷ୍କାର ପୂର୍ବରୁ, ଗତକାଲି ଲୋକସଭାରେ ମହୁଆ ନିଜର ପକ୍ଷ ରଖିବାକୁ ମଧ୍ୟ ଚେଷ୍ଟା କରିଥିଲେ। ହେଲେ ଏଥିକ୍ସ କମିଟି ତାଙ୍କୁ ବହିଷ୍କୃତ କରିବାକୁ ସୁପାରିସ କରିଥିବାରୁ ବାଚସ୍ପତି ଓମ ବିର୍ଲା ତାଙ୍କୁ ନିଜର ପକ୍ଷ ରଖିବାକୁ ସୁଯୋଗ ଦେଇ ନଥିଲେ। ଏହାକୁ ନେଇ ନିମ୍ନ ସଦନରେ ବେଶ ହଟ୍ଟଗୋଳ ଦେଖିବାକୁ ମଧ୍ୟ ମିଳିଥିଲା। କିନ୍ତୁ ଶେଷରେ ବାଚସ୍ପତି ଲୋକସଭାରୁ ମହୁଆଙ୍କୁ ବହିଷ୍କୃତ ଘୋଷଣା କରିଥିଲେ।

ସେପଟେ ଏଥିକ୍ସ କମିଟି ଦେଇଥିବା ରିପୋର୍ଟ ଲୋକସଭାରେ ଆଗତ କରାଯାଇଥିବା ବେଳେ ଏହାକୁ ବିରୋଧୀ ଦଳର ସଦସ୍ୟମାନେ ବିରୋଧ କରିଥିଲେ। ଯାହାକୁ ନେଇ ଏହା ଉପରେ ଭୋଟ ହୋଇଥିଲା। କିନ୍ତୁ ଏହାକୁ ବିରୋଧ କରି ଇଣ୍ଡିଆ ମେଣ୍ଟର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ସେମାନଙ୍କ ସହ ମହୁଆ ମଧ୍ୟ ଲୋକସଭାରୁ ବାହାରି ଆସିଥିଲେ। ଏହା ସହ ତାଙ୍କୁ ବେଆଇନ ଭାବେ ବହିଷ୍କୃତ କରାଯାଇଥିବା ମହୁଆ କହିଛନ୍ତି। ଏଣୁ ମହୁଆଙ୍କ ଏହି ବୟାନ ପରେ ସେ ସୁପ୍ରିମକୋର୍ଟରେ ଏକ ମାମଲା ଦାୟର କରିବା ସହ ନ୍ୟାୟ ଭିକ୍ଷା କରିପାରନ୍ତି ବୋଲି କୁହାଯାଉଛି। ଅନ୍ୟପଟେ ତାଙ୍କ ଟିଏମସି ଦଳ ତଥା ବିରୋଧୀ ଇଣ୍ଡିଆ ମେଣ୍ଟ ତାଙ୍କୁ ସମର୍ଥନ କରି ବିଭିନ୍ନ ନାରାବାଜି କରୁଥିବା ଦେଖିବାକୁ ମିଳୁଛି। ମହୁଆଙ୍କ ବହିଷ୍କୃତକୁ ବିରୋଧ କରି ବିରୋଧୀ ଦଳ ନେତାମାନେ ସଂସଦ ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି। ତେବେ ମହୁଆଙ୍କୁ ବହିଷ୍କୃତ କରିବା ପରେ ଲୋକସଭାକୁ ୧୧ ତାରିଖ ଦିନ ୧୧ଟା ଯାଏ ମୁଲତବୀ ଘୋଷଣା କରାଯାଇଛି।

ସୂଚନା ଥାଉକି, ପଶ୍ଚିମବଙ୍ଗର ତ୍ରୁଣମୂଳ କଂଗ୍ରେସ(ଟିଏମସି) ନେତ୍ରୀ ତଥା କ୍ରୀଷ୍ଣାନଗର ଲୋକସଭା ସାଂସଦ ମହୁଆ ମୈତ୍ର ଗୌତମ ଆଦାନୀ ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ପାଇଁ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ଲାଞ୍ଚ ନେଉଥିଲେ। ମହୁଆ ନିଜର ସଂସଦ ଆକାଉଣ୍ଟର ଲଗ୍-ଇନ୍ ଆଇଡି ଓ ପାସୱାର୍ଡକୁ ବି ହୀରାନନ୍ଦାନୀଙ୍କୁ ଦେବା ସହ ତାଙ୍କ ଠାରୁ ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ସୁବିଧା ପାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଏଥିକ୍ସ କମିଟି ମହୁଆଙ୍କୁ ଜେରା ପାଇଁ ନୋଟିସ୍ ପଠାଇଥିଲା। ଜେରା ସମୟରେ ବେଶ ହଙ୍ଗାମା ଦେଖିବାକୁ ମିଳିଥିଲା। ଏହାପରେ କମିଟିର ୬ ଜଣ ସଦସ୍ୟ ମହୁଆଙ୍କୁ ବହିଷ୍କାର କରିବା ପାଇଁ ସୁପାରିସ କରିଥିଲେ। କମିଟି ପାଞ୍ଚ ଶହ ପୃଷ୍ଠାର ଏକ ରିପୋର୍ଟ ଲୋକସଭା ବାଚସ୍ପତିଙ୍କୁ ଦେଇ କହିଥିଲା ଯେ ଆଗକୁ ମହୁଆ ସାଂସଦ ଭାବେ ରହିବା ଉଚିତ ନୁହେଁ। ତାଙ୍କୁ ସଂସଦ ପଦରୁ ବହିଷ୍କାର କରାଯିବା ଉଚିତ୍। ମହୁଆଙ୍କ କାର୍ୟ୍ୟକଳାପକୁ ଅତ୍ୟନ୍ତ ଆପତ୍ତିଜନକ, ଅନୈତିକ, ଘୃଣ୍ୟ ଓ ଅପରାଧିକ ଦର୍ଶାଇ ତାଙ୍କୁ କଠୋର ଦଣ୍ଡ ଦେବାକୁ ଏଥିକ୍ସ କମିଟି ସୁପାରିସ୍ କରିଥିଲା।

 

Get real time updates directly on you device, subscribe now.