ନୂଆଦିଲ୍ଲୀ: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସାଇବର ଅପରାଧ । ପିଲାଙ୍କ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ସାଇବର ଲୁଟର ଶିକାର ହେଉଛନ୍ତି । ତେବେ ସାଇବର ଅପରାଧୀମାନେ ଠକେଇ ପାଇଁ ଦିନକୁ ଦିନ ନୂଆ ନୂଆ ତରିକା ଆପଣାଉଛନ୍ତି । ତେବେ ସବୁଠୁ କେଉଁ ଆପରେ ଅଧିକ ଠକେଇ ହେଉଛି ସେନେଇ ଏକ ରିପୋର୍ଟ ପ୍ରକାଶ ପାଇଛି, ଯାହା ଶୁଣିଲେ ଆପଣ ମଧଅୟ ଆଶ୍ଚର୍ଯ୍ୟ ହୋଇଯିବେ । ଅନଲାଇନ ଠକେଇ ପାଇଁ ସାଇବର ଅପରାଧୀଙ୍କ ପ୍ରିୟ ପ୍ଲାଟଫର୍ମ ହ୍ୱାଟସଆପ୍ ସୋଶାଲ ମିଡିଆ। ହ୍ୱାଟସଆପ ପଛକୁ ରହିଛି ଟେଲିଗ୍ରାମ ଏବଂ ପରେ ଇନଷ୍ଟାଗ୍ରାମ। ଏହି ସବୁ ସୋସିଆଲ ମିଡିଆ ଆପ ଦ୍ବାରା ଠକେଇ କରୁଛନ୍ତି ସାଇବର ଅପରାଧୀ । ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି ।
ଗୃହ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ୨୦୨୪ ବର୍ଷର ପ୍ରଥମ ତିନି ମାସରେ ହ୍ୱାଟସଆପ ଜରିଆରେ ସାଇବର ଠକେଇ ସମ୍ପର୍କିତ ମୋଟ ୪୩ ହଜାର ୭୯୭ଟି ଅଭିଯୋଗ ହୋଇଛି । ସେହିପରି ଟେଲିଗ୍ରାମ ଜରିଆରେ ୨୨ ହଜାର ୬୮୦ ଠକେଇ ଅଭିଯୋଗ ଏବଂ ଇନଷ୍ଟାଗ୍ରାମ ଜରିଆରେ ୧୯ ହଜାର ୮ ଶହ ଠକେଇ ଅଭିଯୋଗ ହୋଇଛି । ବାର୍ଷିକ ୨୦୨୩-୨୪ ଏମଏଚ୍ଏ ରିପୋର୍ଟ ଅନୁଯାୟୀ ସାଇବର ଠକମାନେ ଅପରାଧ ଘଟାଇବାପାଇଁ ଗୁଗଲ୍ ସର୍ଭିସ୍ ପ୍ଲାଟଫର୍ମର ବ୍ୟବହାର କରୁଛନ୍ତି । ସାଇବର ଅପରାଧୀ ମୁଖ୍ୟତଃ ବେକାରୀ, ଗୃହିଣୀ, ଛାତ୍ରଛାତ୍ରୀ, ଅଭାବୀ ଲୋକଙ୍କୁ ଅଧିକ ଟାର୍ଗେଟ କରୁଥିବା ରିପୋର୍ଟରେ ଦର୍ଶାଯାଇଛି।