fbpx

କେବେ, କେଉଁଠି ଖେଳାଯିବ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ମ୍ୟାଚ୍? ତାରିଖ ଘୋଷଣା କଲା ICC

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ମ୍ୟାଚ୍ ପାଇଁ ତାରିଖ ଘୋଷଣା କରିଛି ଆଇସିସି । ବର୍ତ୍ତମାନ ଆଇସିସି ବିଶ୍ୱ ଟେଷ୍ଟ ଚମ୍ପିଆନସିପର ତୃତୀୟ ସିଜନ୍ ଜାରି ରହିଛି । ଆସନ୍ତାବର୍ଷ ୨୦୨୫ ମସିହାରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ୍ ଖେଳାଯିବ । ଗତ ୨ଟି ସିଜନରେ ଟିମ ଇଣ୍ଡିଆ ଫାଇନାଲ ଖେଳିଥିବା ବେଳେ ଉଭୟ ମ୍ୟାଚରେ ପରାସ୍ତ ହୋଇଛି । ତେଣୁ ଚଳିତଥର ଫାଇନାଲରେ ସ୍ଥାନ ପକ୍କା କରିବା ସହ ଟ୍ରଫି ହାସଲ କରିବା ପାଇଁ ଚେଷ୍ଟା କରିବ ରୋହିତ ସେନା । ଗତ ସିଜନରେ ଭାରତକୁ ହରାଇ ବିଶ୍ୱ ଟେଷ୍ଟ ଚମ୍ପିଆନ୍ ପାଲଟିଥିଲା ଅଷ୍ଟ୍ରେଲିଆ ।

ଆଇସିସିର ଘୋଷଣା ଅନୁସାରେ, ତୃତୀୟ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ର ଫାଇନାଲ ମ୍ୟାଚ୍ ଆସନ୍ତାବର୍ଷ ଜୁନ୍ ମାସରେ ଖେଳାଯିବ । ଜୁନ୍ ୧୧-୧୫ ତାରିଖରେ ଇଂଲଣ୍ଡର ଐତିହାସିକ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଏହି ଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି ସୂଚନା ଦେଇଛି ଆଇସିସି । ତେବେ ଆସନ୍ତାବର୍ଷ ପ୍ରଥମ ଥର ପାଇଁ ଲର୍ଡସ ଏହି ମ୍ୟାଚ୍ ଆୟୋଜନ କରିବ । ଏ ନେଇ ନିଜ ଖୁସି ବ୍ୟକ୍ତ କରିଛନ୍ତି ମେଲବର୍ଣ୍ଣ କ୍ରିକେଟ କ୍ଲବର ମୁଖ୍ୟ କାର୍ଯ୍ୟକାରୀ ତଥା ସଚିବ ଗାଇ ଲେଭେଣ୍ଡର । ବର୍ତ୍ତମାନ ଏହି ଟେଷ୍ଟ ଚମ୍ପିଆନସିପ୍ ତାଲିକାରେ ଶୀର୍ଷରେ ଟିମ ଇଣ୍ଡିଆ ରହିଥିବା ବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛି ।

ସେପଟେ ଏ ନେଇ ଟେଷ୍ଟ ଚମ୍ପିଆନ୍ ଦଳର ଅଧିନାୟକ ପ୍ୟାଟ୍ କମିନ୍ସ କହିଛନ୍ତି ଯେ, ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଜିତିବା ଏହି ଦଳର ପ୍ରମୁଖ ଲକ୍ଷ୍ୟ ରହିଛି । ସମସ୍ତ ଦଳ ପାଇଁ ୨ ବର୍ଷର ପରିଶ୍ରମ ଏବଂ ନିରନ୍ତରତାର ପରିଣାମ ହେଉଛି ଏହି ଚମ୍ପିଆନସିପର ଫାଇନାଲ ମ୍ୟାଚ୍ । ତେବେ ଫାଇନାଲରେ ଅଷ୍ଟ୍ରେଲିଆ ପୁଣିଥରେ ସ୍ଥାନ ହାସଲ କରିବ ବୋଲି ପ୍ୟାଟ୍ କମିନ୍ସ ଆଶା ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.