fbpx
BSKY
BJD MC SKY
BJD MS SKY

କେଉଁ ବୟସରେ କେଉଁ ସ୍ୱାସ୍ଥ୍ୟ ପରୀକ୍ଷା ଜରୁରୀ, ଜାଣନ୍ତୁ କ’ଣ କୁହନ୍ତି ଡାକ୍ତର

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ବ୍ୟକ୍ତି ଉଭୟ ବୃତ୍ତିଗତ ଏବଂ ବ୍ୟକ୍ତିଗତ କାର୍ଯ୍ୟ ଚାପରେ ସବୁବେଳେ ଚିନ୍ତାରେ ରହୁଛି । ଏହା ସେମାନଙ୍କ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାର ଅଟେ । ଡାକ୍ତରଙ୍କ ଅନୁଯାୟୀ ସ୍ୱାସ୍ଥ୍ୟର ସ୍ଥିତି ବିଷୟରେ ଜାଣିବା ପାଇଁ ସମୟ ସମୟରେ ଆମକୁ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଉଚିତ । ଏହା ଦ୍ୱାରା ଆମେ ନିଜକୁ ଆନେକ ଗମ୍ଭୀର ରୋଗ ଠାରୁ ଦୂରେଇ ରଖିପାରିବା । ତେବେ ଆସନ୍ତୁ ଜାଣିବା ଡାକ୍ତରଙ୍କ ଅନୁଯାୟୀ କେଉଁ ବୟସରେ କ’ଣ ସବୁ ଚେକ୍‌ଅପ୍ କରିବା ଉଚିତ ।

୧. ୨୦-୩୦ ବର୍ଷ ବୟସ: ଏହି ବୟସ ସୀମା ମଧ୍ୟରେ ବ୍ୟକ୍ତିଙ୍କୁ ରକ୍ତଚାପ, ଉଚ୍ଚତା ଏବଂ ଓଜନର ଯାଞ୍ଚ ସହ ଏଚପିଭି ପରୀକ୍ଷା କରାଇବା ଉଚିତ । ବିଶେଷ କରି ମହିଳାଙ୍କ କ୍ଷେତ୍ରରେ ଏଚପିଭି କ୍ୟାନସର ଆଶଙ୍କା ବୃଦ୍ଧି କରିଥାଏ ।

୨. ୩୧ରୁ ୪୦ ବର୍ଷ ବୟସ: ଏହି ସମୟରେ ବ୍ୟକ୍ତି ପାରିବାରିକ ଏବଂ ଅଫିସ୍ ଦାୟିତ୍ୱକୁ ନେଇ ଅଧିକ ଚିନ୍ତାଗ୍ରସ୍ତ ରହିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁଯାୟୀ ଏହି ବୟସ ମଧ୍ୟରେ ୨୨% ବ୍ୟକ୍ତିଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଥାଏ । ତେଣୁ ନିଜକୁ ସ୍ୱାସ୍ଥ୍ୟ ସମସ୍ୟାରୁ ଦୂରେଇ ରଖିବା ପାଇଁ ରକ୍ତଚାପ, ଡାଇବେଟିସ୍‌, ଥାଇରଏଡ୍‌, କୋଲେଷ୍ଟ୍ରୋଲ ଏବଂ ହାର୍ଟ ସମ୍ବନ୍ଧୀୟ ଯାଞ୍ଚ କରିବା ଆବଶ୍ୟକ ।

୩. ୪୧ରୁ ୫୦ ବର୍ଷ ବୟସ: ବିଶେଷ କରି ପୁରୁଷଙ୍କ କ୍ଷେତ୍ରରେ ଏହି ବୟସ ସୀମା ମଧ୍ୟରେ ପୋଷ୍ଟ୍ରେଟ୍ କର୍କଟ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ଏହାକୁ ପୋଷ୍ଟ୍ରେଟ୍ ହାଇପର ପ୍ଲେସିଆ ମଧ୍ୟ କୁହାଯାଏ । ତେଣୁ ପୁରୁଷଙ୍କୁ ପୋଷ୍ଟ୍ରେଟ୍ କର୍କଟ ଯାଞ୍ଚ ସହ ହାର୍ଟ ପରୀକ୍ଷା, ଚର୍ମ କର୍କଟ, ଆଖି ଏବଂ ଦନ୍ତ ପରୀକ୍ଷା ମଧ୍ୟ କରାଇବା ଉଚିତ ।

୪. ୫୧ରୁ ୬୫ ବର୍ଷ ବୟସ: ସାଧାରଣତଃ ଏହି ବୟସ ସୀମା ମଧ୍ୟରେ ୯୦% ମହିଳାଙ୍କ କ୍ଷେତ୍ରରେ ସ୍ତନ କର୍କଟର ଆଶଙ୍କା ଦେଖାଦେଇଥାଏ । ଏହି ବୟସରେ Bone Density ହ୍ରାସ ହେବା କାରଣରୁ ହାଡ଼ ଦୁର୍ବଳ ହୋଇଥାଏ । ତେଣୁ ସେମାନଙ୍କୁ ମାମୋଗ୍ରାଫ୍ ସହ ମଳ ପରୀକ୍ଷା, ଅଷ୍ଟିଓପୋରୋସିସ୍‌, ଡିପ୍ରେସନ୍‌, କୋଲୋନ୍ କ୍ୟାନସର ଆଦି ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଉଚିତ ।

୫. ୬୫ ବର୍ଷ ବୟସରୁ ଉର୍ଦ୍ଧ୍ୱ : ସାଧାରଣତଃ ଅଧିକ ବୟସ ହେଲେ ରୋଗପ୍ରତିରୋଧକ ଶକ୍ତି ହ୍ରାସ ହୋଇଥାଏ । ଦୃଷ୍ଟି ଶକ୍ତି ଏବଂ ଶ୍ରବଣ ଶକ୍ତି ପ୍ରଭାବିତ ହେବା ସହ ଶରୀରର ସନ୍ତୁଳନ ବିଗିଡ଼ି ଥାଏ । ତେଣୁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଶ୍ରେୟସକର ହୋଇଥାଏ ।

Get real time updates directly on you device, subscribe now.