fbpx

ଭାରତର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ କିଏ: ସଚିନ ନା ବିରାଟ, ଆପଣଙ୍କର ପସନ୍ଦ କିଏ?

ନୂଆଦିଲ୍ଲୀ: ଦିନକୁ ଦିନକ ଭାରତରେ କ୍ରିକେଟ ଖେଳର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଦଶନ୍ଧି ଦଶନ୍ଧି ପୂର୍ବରୁ ଦେଶରେ ବହୁ କିମ୍ବଦନ୍ତୀ କ୍ରିକେଟର ଜନ୍ମ ଲାଭ କରିବା ସହିତ ଟିମ୍ ଇଣ୍ଡିଆକୁ ବିଶ୍ୱବିଜୟୀ କରି ଦେଶ ପାଇଁ ବହୁ ଗୌରବ ଆଣିଛନ୍ତି । ତେବେ ନବେ ଦଶକ ପରଠାରୁ ଭାରତୀୟ କ୍ରିକେଟ ଜଗତ ଅନେକ ବଡ଼ ବଡ଼ ବ୍ୟାଟ୍ସମ୍ୟାନ ଓ ବୋଲରଙ୍କୁ ଦେଖିଛି । ସେମାନଙ୍କ ମଧ୍ୟରୁ ସଚିନ ତେନ୍ଦୁଲକର ଭାରତୀୟ କ୍ରିକେଟର ମୁଖ୍ୟ କର୍ଣ୍ଣଧାର ସାଜିଥିଲେ ।

ସଚିନ ଆଉଟ ହେବା ପରେ ଦର୍ଶକ ଟିଭି ସାମ୍ନାକୁ ନିରାଶ ହୋଇ ଉଠିଯାଉଥିଲେ । ସେଥିପାଇଁ ସଚିନଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ‘ଭାରତ ରତ୍ନ’ ସମ୍ମାନ ପ୍ରଦାନ କରାଯାଇଛି । ତେବେ ଏହା ମଧ୍ୟରେ ଭାରତୀୟ କ୍ରିକେଟରେ ପୁଣି ଜଣେ ମହାନାୟକ ବିରାଟ କୋହଲି ଜନ୍ମ ନେଇସାରିଛନ୍ତି । ବିଶ୍ୱ କ୍ରିକେଟରେ କେବଳ ବିରାଟ ହିଁ ସଚିନଙ୍କର ରେକର୍ଡକୁ ଭାଙ୍ଗିପାରିବେ ବୋଲି ବହୁ କ୍ରିକେଟ ବିଶ୍ଲେଷକ ଭବିଷ୍ୟବାଣୀ କରିଛନ୍ତି । ଜଣେ ଭାରତୀୟ ଆଉ ଜଣେ ଭାରତୀୟ କିମ୍ବଦନ୍ତୀଙ୍କ ରେକର୍ଡ ଅତିକ୍ରମ କରିବା ନିଶ୍ଚିତ ଭାବେ ଏକ ବଡ଼ କଥା ।

ଯଦିଓ ପ୍ରତ୍ୟେକ ଖେଳାଳିଙ୍କର ନିଜସ୍ୱ କିଛି ସ୍ୱତନ୍ତ୍ର କ୍ରୀଡ଼ା ନୈପୁଣ୍ୟତା ଥାଏ, ତଥାପି ଅନେକ ସମୟରେ ସୋସିଆଲ ମିଡ଼ିଆରେ ଅନେକ ଚର୍ଚ୍ଚା ହୋଇଥାଏ । ସଚିନ-ବିରାଟଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ସେ ନେଇ କ୍ରୀଡ଼ାପ୍ରେମୀମାନେ ପ୍ରଶ୍ନ କରିଥାନ୍ତି । ତେବେ ଦୁଇଜଣଙ୍କର ବ୍ୟାଟିଂ ଷ୍ଟାଇଲ, ଟେକନିକ, ରେକର୍ଡ ନିଶ୍ଚିତ ଭାବେ ଅଲଗା ରହିବ । କାହାକୁ ସଚିନ ଭଲ ଲାଗନ୍ତି ତ ଆଉ କାହାକୁ ବିରାଟ ଭଲ ଲାଗନ୍ତି । ତେବେ ସଚିନ ଓ ବିରାଟ ବିଶ୍ୱ କ୍ରିକେଟର ଦୁଇଜଣ ଅପ୍ରତିଦ୍ୱନ୍ଦ୍ୱୀ ମହାନାୟକ, ଏଥିରେ ଦ୍ୱିମତ ନାହିଁ ।

ସଚିନ ୧୯୮୯ରୁ ୨୦୧୨ ମଧ୍ୟରେ ମୋଟ ୪୬୩ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ସେ ଗୋଟିଏ ଦ୍ୱିଶତକ, ୪୯ଟି ଶତକ ଓ ୯୬ଟି ଅର୍ଦ୍ଧଶତକ ସହାୟତାରେ ୧୮,୪୨୬ ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ଆଭରେଜ ୪୪.୮୩ ରହିଥିବା ବେଳେ ଷ୍ଟ୍ରାଇକ ରେଟ୍ ରହିଛି ୮୬.୨୩ । ସଚିନଙ୍କର ରନର ନିକଟର ଥିବା ବିଶ୍ୱର ସମସ୍ତ ବ୍ୟାଟ୍ସମ୍ୟାନ ଅବସର ନେଇ ସାରିଲେଣି । କେବଳ ବିରାଟ ହିଁ ଏବେ ଅନ୍ତର୍ଜାତୀୟ ମ୍ୟାଚ ଜାରି ରଖିଛନ୍ତି । ବିରାଟ ୨୦୦୮-୨୦୨୩ ମଧ୍ୟରେ ୨୭୪ଟି ଦିନିକିଆ ଖେଳି ୧୨,୮୯୮ ରନ୍ ସଂଗ୍ରହ କରିଛନ୍ତି । ସେ ୪୬ଟି ଶତକ, ୬୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ତାଙ୍କର ଆଭରେଜ ୫୭.୩୨ ରହିଥିବା ବେଳେ ଷ୍ଟ୍ରାଇକ ରେଟ୍ ୯୩.୬୨ ରହିଛି ।

ସେହିପରି ସଚିନ ମୋଟ ୨୦୦ଟି ଟେଷ୍ଟ ମ୍ୟାଚ ଖେଳି ୧୫,୯୨୧ ରନ୍ ସଂଗ୍ରହ କରିଛନ୍ତି । ସେଥିରେ ୬ଟି ଦ୍ୱିଶତକ, ୫୧ଟି ଶତକ ଓ ୬୮ଟି ଅର୍ଦ୍ଧଶତକ ରହିଛି । ତାଙ୍କର ରେକର୍ଡ ନିକଟତର ଅଧିକାଂଶ ଖେଳାଳି ଏବେ ଅବସର ନେଇ ସାରିଲେଣି । ବିରାଟ ମୋଟ ୧୦୮ଟି ଟେଷ୍ଟ ମ୍ୟାଚ ଖେଳି ୮,୪୧୬ ରନ୍ ସଂଗ୍ରହ କରିଛନ୍ତି । ସେଥିରେ ୭ଟି ଦ୍ୱିଶତକ, ୨୮ଟି ଶତକ ଓ ୨୮ଟି ଅର୍ଦ୍ଧଶତକ ରହିଛି । ତେବେ ସଚିନଙ୍କର ଦିନିକିଆ ରେକର୍ଡ ଅପେକ୍ଷା ଟେଷ୍ଟ ରେକର୍ଡକୁ ଅତିକ୍ରମ କରିବା ବିରାଟଙ୍କ ପାଇଁ ବହୁତ କଷ୍ଟସାଧ୍ୟ ହୋଇପାରେ । ମାତ୍ର କିକେଟରେ କିଛି ବି ଅସମ୍ଭବ ନୁହେଁ ।

Get real time updates directly on you device, subscribe now.