fbpx

ୟେମେନରେ ଏହି ଭାରତୀୟ ନର୍ସଙ୍କୁ ମିଳିଛି ମୃତ୍ୟୁଦଣ୍ଡ, କ’ଣ ରହିଛି କାରଣ ଜାଣନ୍ତୁ

ନୂଆଦିଲ୍ଲୀ:କେରଳର ଜଣେ ନର୍ସ ନିମିଷା ପ୍ରିୟାଙ୍କୁ ୟେମେନରେ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି । ମୃତ୍ୟୁଦଣ୍ଡରୁ ରକ୍ଷା ପାଇବା ଲାଗି ନିମିଷା ସେଠିକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । କିନ୍ତୁ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି କି ନିମିଷାଙ୍କ ଏହି ଆବେଦନ ଅଗ୍ରାହ୍ୟ ହୋଇଯାଇଛି ।
ନିମିଷାଙ୍କ ଉପରେ ଜଣେ ୟେମେନ ନାଗରିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଲାଗିଛି । ତେବେ ସୁପ୍ରିମକୋର୍ଟରୁ ନିମିଷାଙ୍କ ଆବେଦନ ଅଗ୍ରାହ୍ୟ ହେବା ପରେ ଏବେ ନିମିଷାଙ୍କ ଲାଗି କେବଳ ଗୋଟିଏ ବାଟ ରହିଛି । ତାହା ହେଉଛି ସେଠିକାର ରାଷ୍ଟ୍ରପତି । ଅନ୍ୟପଟେ ନିଜ ଝିଅକୁ ବଞ୍ଚାଇବା ଲାଗି ନିମିଷାଙ୍କ ମା’ କୋର୍ଟରେ ଆବେଦନ କରିଛନ୍ତି । ଏହାସହିତ ନିମିଷାଙ୍କ ମା’ କେନ୍ଦ୍ର ସରକାରଙ୍କ ନିକଟରେ ୟେମେନ ଯାତ୍ରା ଲାଗି ଅନୁମତି ବି ମାଗିଛନ୍ତି । ଏହାଦ୍ୱାରା ସେ ପୀଡିତ ପରିବାରକୁ ସେମାନଙ୍କ ଦାବୀ ଅନୁଯାୟୀ କ୍ଷତିପୂରଣ ଦେଇ ନିଜ ଝିଅର ଜୀବନ ରକ୍ଷା କରିପାରିବେ ।

ନିମିଷା ପ୍ରିୟା କେରଳର ଜଣେ ନର୍ସ ଯିଏକି ୟେମେନରେ ଯାଇ କ୍ଲିନିକ୍ ଖୋଲିଥିଲେ । ଏଠାରେ ତାଙ୍କର ଆବଦୋ ମହଦୀ ନାମକ ଜଣେ ବ୍ୟକ୍ତି ସହ ବନ୍ଧୁତା ଗଢି ଉଠିଥିଲା ଯିଏକି ତାଙ୍କୁ ସେଠାରେ କ୍ଲିନିକ୍ ଖୋଲିବାରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜର ପ୍ରତିଶ୍ରୁତି ପୂରଣ କରି ନ ଥିଲେ । ଏହା ସତ୍ତ୍ୱେ ନିମିଷା ସେଠାରେ ନିଜର କ୍ଲିନିକ୍ ଖୋଲିବାରେ ସଫଳ ହୋଇଥିଲେ । କିନ୍ତୁ ପରେ ମହଦୀ ନିମିଷାଙ୍କୁ ହଇରାଣ କରିବା ଆରମ୍ଭ କରି ଦେଇଥିଲା ଓ ତାଙ୍କୁ ନିଜର ଦ୍ୱିତୀୟ ପତ୍ନୀ ବୋଲି ସମସ୍ତଙ୍କ ଆଗରେ କହୁଥିଲା । ସେ ନିମିଷାଙ୍କୁ ବିଭିନ୍ନ ସମୟରେ ପଇସା ବି ମାଗୁଥିଲା । ନିମିଷା ଏହାକୁ ନେଇ ପୋଲିସରେ ଅଭିଯୋଗ କରିଥିଲେ । ଏହାପରେ କିଛିଦିନ ମହଦୀ ଜେଲ୍‌ରେ ରହିଥିଲା ।

ଜେଲ୍‌ରୁ ଫେରିବା ପରେ ସେ କୌଣସି ଉପାୟରେ ନିମିଷାଙ୍କ ପାସପୋର୍ଟ ନିଜ ହାତକୁ ନେଇ ଆସିଲା । ତେବେ ମହଦୀ ଠାରୁ ନିଜ ପାସପୋର୍ଟ ପାଇବା ଲାଗି ନିମିଷା ତାଙ୍କୁ ଚେତାଶୂନ୍ୟ କରିବାକୁ ଇଂଜେକସନ ଦେଇଥିଲେ । କିନ୍ତୁ ଏହି ଇଂଜେକସନ୍ ଓଭରଡୋଜ ହୋଇଯାଇଥିବାରୁ ମହଦୀର ମୃତ୍ୟୁ ହୋଇଯାଇଥିଲା । ଏହାପରେ ନିମିଷା ଓ ତାଙ୍କ ସହ ରହୁଥିବା ଜଣେ ୟେମେନ ନାଗରିକ ମହଦୀର ଶବକୁ ଖଣ୍ଡ ଖଣ୍ଡ କରି ପାଣି ଟ୍ୟାଙ୍କରେ ଫିଙ୍ଗି ଦେଇଥିଲେ । ଏହି ଘଟଣାରେ ୨୦୧୮ରେ ନିମିଷାଙ୍କୁ ମୃତ୍ୟୁଦଣ୍ଡ ଓ ତାଙ୍କ ସହଯୋଗୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଯାଇଥିଲା । ନିମିଷାଙ୍କର ଏକ ୮ ବର୍ଷର ପୁଅ ବି ରହିଛି । ୨୦୧୧ରୁ ସେ ୟେମେନରେ କାମ କରି ଆସୁଥିଲେ ।

Get real time updates directly on you device, subscribe now.